ରାଉରକେଲା: ଗାଧେଇବାବେଳେ କୋଏଲ ନଦୀରେ ବୁଡ଼ି ଜଣେ ସ୍କୁଲଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ନୂଆଗାଁ ବ୍ଲକ୍‌ ଲିଣ୍ଡ୍ରା ଗାଁର ନେତ୍ରାନନ୍ଦ ମୁଣ୍ଡାରି (୧୪)। ସେ ଖୁଟଗାଁ ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

 ମିଳିଥିବା ସୂଚନା ମୁତାବକ ମୃ୍ତ ନେତ୍ରାନନ୍ଦଙ୍କ ସମ୍ପର୍କୀୟଙ୍କ ଦଶାହ କର୍ମ ଥିଲା। ଦଶାହକର୍ମ ସାରି ସେ କୋଏଲନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବାବେଳେ ବୁଡ଼ି ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବହୁ ‌ଖୋଜାଖୋଜି କରି ନପାଇବାରୁ ବିଶ୍ରା ଥାନା‌ରେ ନିଖୋଜ ମାମଲା ଦେଇଥିଲେ। ବୁଧବାର କୋଏଲନଦୀରେ ଏକ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ବିଶ୍ରା ଥାନାକୁ ସୂଚନା ଦେଇଥିଲେ। ପୁଲିସ ଏ ସଂକ୍ରାନ୍ତରେ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକ ପହଞ୍ଚି ଶବ ଚିହ୍ନଟ କରିଥିଲେ। ଛାତ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।