ରାଉରକେଲା: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସରକାର ମାଗଣାରେ ଯୋଗାଇଦେଉଛନ୍ତି ୟୁନିଫର୍ମ ‌(ପୋଷାକ)। ଅଗଷ୍ଟ ୧୫ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମଳିବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ହେଲେ ବି ବିଦ୍ୟାଳୟକୁ ୟୁନିଫର୍ମ ମିଳିନି। ପ୍ରତିବର୍ଷ ପରି ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ସ୍ବାଧୀନତା ଦିବସରେ ନୂଆ ପୋଷାକ ପିନ୍ଧି ବିଦ୍ୟାଳୟକୁ ଆସିଥାନ୍ତି। ସରକାରଙ୍କ ଉଦାସୀନତା ହେଉ, ଅବା ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଶିକ୍ଷାବିଭାଗର ଏଭଳି ବ୍ୟବସ୍ଥାକୁ ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ବ୍ଲକ ଓ ବ୍ଳକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ସ୍ତରରେ ପ୍ରକ୍ରିୟା ଚାଲିଛି। କେବେ ପ୍ରକ୍ରିୟା ସରିବ ? ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ, ତା’ର କୌଣସି ଉତ୍ତର ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ। ଫଳରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ପ୍ରାୟ ୧ ଲକ୍ଷ ୮୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଚିରାଫଟା ପୋଷାକ ପିନ୍ଧି ବିଦ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି।

Advertisment

ଅତି ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ୟୁନିଫର୍ମ ନଥିବାରୁ ବିଦ୍ୟାଳୟକୁ ଯାଉନାହାନ୍ତି। ୟୁନିଫର୍ମ ନଥିବାରୁ ଜିଲ୍ଳାରେ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ଯେତିକି ରହିବା କଥା ତା’ ରହୁନି। ଅନ୍ୟପଟେ କ୍ଷୁଦ୍ର ଉଦ୍ୟୋଗ (ଏମ୍‌ଏସ୍‌ଇ) ଓ ମହିଳା ସ୍ବୟଂ ସହାୟକ  ଗୋଷ୍ଠୀ (ଏସ୍‌ଏଚ୍‌ଜି)ମାନଙ୍କୁ ଶିକ୍ଷାବିଭାଗର ରହିଥିବା ସ୍ପଷ୍ଟ ନିର୍ଦ୍ଦେଶନାମା ୟୁନିଫର୍ମ ସମସ୍ୟା ଆହୁରି ଜଟିଳ କରିଦେଇଛି। ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର ଚିଠି ଅନୁଯାୟୀ  ୟୁନିଫର୍ମ ଯୋଗାଇବାକୁ ଥିବା ଏମ୍‌ଏସ୍‌ଇ ଓ ଏସ୍‌ଏଚ୍‌ଜିଗୁଡ଼ିକୁ ଗତ ଅଗଷ୍ଟ ୫ ସୁଦ୍ଧା ଆବେଦନ କରିବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ବ୍ଲକସ୍ତରରେ ଆବେଦନ ପ୍ରକ୍ରିୟା ଚାଲିଛି। ଅଧିକାଂଶ ବ୍ଲକରେ ଆବେଦନ ପ୍ରକ୍ରିୟାକୁ ବିବାଦ ଉପୁଜିଛି। ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ଓ ସୁନ୍ଦରଗଡ଼ ସହରକୁ ବାଦ୍‌ ଦେଲେ ଜିଲ୍ଲାର ୧୭ ବ୍ଲକରେ ଆଖିଦୃଶିଆ କ୍ଷୁଦ୍ର ଉଦ୍ୟୋଗ ନାହିଁ। ୭୦% ଏସ୍‌ଏଚ୍‌ଜିମାନଙ୍କର ସିଲେଇ ୟୁନିଟ୍‌ ମଧ୍ୟ ନାହିଁ। ଏହାର ଫାଇଦା ଉଠାଇବାକୁ ଜିଲ୍ଲାର କିଛି ବଡ କପଡାଦୋକାନୀ ଏସ୍‌ଏଚ୍‌ଜିଙ୍କ ଜରିଆରେ ୟୁନିଫର୍ମ କିଣିବାକୁ ମସୁଧା ଚଳାଇଛନ୍ତି। କେବଳ ୟୁନିଫର୍ମ ନୁହେଁ, ଜୋତା, ପରିଚୟପତ୍ର, ଟୋପି କିଣା କାର୍ଯ୍ୟ ହାତକୁ ନେବାକୁ ମଧ୍ୟ ବ୍ଲକ ଓ ବ୍ଲକ ଶିକ୍ଷାଅଧିକାରୀଙ୍କସ୍ତରରେ ଜୋରସୋରରେ ଲାଗିପଡ଼ିଛି। ୟୁନିଫର୍ମ କିଣାରେ ପ୍ରାୟ ୨୦ କୋଟି ଟଙ୍କା ସୁନ୍ଦରଗଡ଼ ଜିଲ୍ଲାରେ ଖର୍ଚ୍ଚ କରିବାକୁ ଯାଉଥିବାରୁ ବ୍ୟାପକ ହେରଫେର ହେବାର ସମ୍ଭାବନା ରହିଛି। ଏସବୁ ଭିତରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅର୍ଦ୍ଧବାର୍ଷିକ ପରୀକ୍ଷା ପୂର୍ବରୁ ୟୁନିଫର୍ମ ମିଳିବ ତ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଅଧିକାରୀଙ୍କ କହିବାନୁଯାୟୀ ସରକାରଙ୍କଠୁ ଯେତିକି ପାଣ୍ଠି ଆସିବା କଥା, ତା’ ଆସି ନଥିବାରୁ ଏଭଳି ସମସ୍ୟା ଉପୁଜିଛି। କେବେ ସରକାର ସମ୍ପୂର୍ଣ୍ଣ ପାଣ୍ଠି ମଞ୍ଜୁର କରିବେ, କହିହେବ ନାହିଁ ବୋଲି କହିଛନ୍ତି।