ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍‌ସର କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ଗତକାଲି ନୂଆ ଇତିହାସ ରଚିଥିଲେ। ୧୪ ବର୍ଷ ୨୩ ଦିନ ବୟସରେ ଲକ୍ଷ୍ନୌ ବିପକ୍ଷରେ ପଦାର୍ପଣ କରି ଆଇପିଏଲ୍‌ ଖେଳିବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ । ରବିବାର ସୂର୍ଯ୍ୟବଂଶୀ ଇମ୍ପାକ୍ଟ ଖେଳାଳି ଭାବେ ରାଜସ୍ଥାନର ପାଳି ଆରମ୍ଭ କରିଥିଲେ। ପୁଣି ନିଜେ ସମ୍ମୁଖୀନ ହୋଇଥିବା ପ୍ରଥମ ବଲ୍‌କୁ ଛକା ମାରି ବିରଳ କ୍ଲବ୍‌ରେ ସାମିଲ ହୋଇଥିଲେ। ଶାର୍ଦୁଳ ଠାକୁରଙ୍କ ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ ଷ୍ଟ୍ରାଇକ୍ ପାଇଥିବା ଏହି ଅସାଧାରଣ ପ୍ରତିଭାଧାରୀ ଏହାକୁ ଅନାୟାସରେ ଏକ୍ସଟ୍ରା କଭର ସୀମାରେଖା ଉପରେ ବାହାରକୁ ପଠାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏତିକିରେ କିନ୍ତୁ ଅଟକି ନଥିଲେ।

Advertisment

ଅନ୍ୟତମ ଅନ୍ତର୍ଜାତୀୟ ଅଭିଜ୍ଞତା ସଂପନ୍ନ ଦ୍ରୁତ ବୋଲର ଆୱେସ ଖାନଙ୍କ ଦ୍ବିତୀୟ ଓଭରର ଦ୍ବିତୀୟ ବଲ୍‌କୁ ମଧ୍ୟ ଛକା ମାରି ରୟାଲ୍ସ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଏଥର ଅଫ୍‌ ଷ୍ଟମ୍ପ ଉପର ବଲ୍‌କୁ ଛକା ମାରି ସେ ଯେ ସବୁପ୍ରକାର ସଟ୍ ଖେଳିବାରେ ସିଦ୍ଧହସ୍ତ ତାର ପ୍ରମାଣ ଦେଇଥିଲେ। ସମଗ୍ର କ୍ରିକେଟ ଜଗତ ଏହି ଯୁବ କ୍ରିକେଟରଙ୍କୁ ପ୍ରଶଂସା କରୁଛି, ଏହି ସମୟରେ ଗୁଗୁଲ୍ କମ୍ପାନୀର ସିଇଓ ସୁନ୍ଦର ପିଚାଇ ମଧ୍ୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଛନ୍ତି।

ସୁନ୍ଦର ପିଚାଇ ସୋସିଆଲ ମିଡିଆ ମାଧ୍ୟମରେ କହିଥିଲେ ଯେ ସେ କେବଳ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ଦେଖିବା ପାଇଁ ଜାଗ୍ରତ ଥିଲେ। ସେ ଆଶ୍ଚର୍ଯ୍ୟ ହୋଇ କହିଲେ, "ମୁଁ ଉଠିଲି ଏବଂ ଦେଖିଲି ଯେ ଜଣେ ଅଷ୍ଟମ ଶ୍ରେଣୀର ପିଲା ଆଇପିଏଲରେ ଖେଳୁଛି। କି ମହାନ ଡେବ୍ୟୁ।" ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ୩୪ ରନ୍‌ର ଇନିଂସରେ ୨ ଚୌକା ଏବଂ ୩ ଛକା ମାରିଥିଲେ। ଯେତେବେଳେ ରିଷଭ ପନ୍ତ ଏଡେନ୍ ମାର୍କରାମଙ୍କ ବୋଲିଂରେ ବୈଭବଙ୍କୁ ଷ୍ଟମ୍ପ ଆଉଟ୍ କରିଥିଲେ, ସେତେବେଳେ ଯୁବ ଭାରତୀୟ ବ୍ୟାଟସମ୍ୟାନ୍ କାନ୍ଦିବାକୁ ଲାଗିଥିଲେ। ପ୍ରକାଶ ଥାଉ କି ମାତ୍ର ୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍‌ସ ଚଳିତବର୍ଷ ଆଇପିଏଲ୍‌ ନିଲାମରେ ୧.୧ କୋଟି ଟଙ୍କାରେ କିଣି ଚହଳ ସୃଷ୍ଟି କରିଥିଲା। ସେତେବେଳକୁ ତାଙ୍କୁ କେବଳ ୧୩ ବର୍ଷ ହୋଇଥିଲା। ଫଳରେ ଆଇପିଏଲ୍‌ରେ ନିଲାମ ହେବାରେ ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ