ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଯୋଗାଯୋଗର ବ୍ୟବସ୍ଥାର ସୁଧାର ଆଣିବାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ପାଣି ବୋହିଲା ପରି ଅର୍ଥ ଖର୍ଚ୍ଚ କରାଯାଇଛି। ୩୦୦ କି ୪୦୦ କୋଟି ନୁହେଁ ୧୦୫୨ କୋଟି ୬ ଲକ୍ଷ ୭୪ ହଜାର ୭୬୦ ଟଙ୍କା ଖର୍ଚ୍ଚ କରାଯାଇଛି। ଏତେ ଟଙ୍କା ବିନିଯୋଗ ସତ୍ବେ ସୁନ୍ଦରଗଡ଼ ଉପାନ୍ତ ବ୍ଲକ୍‌ ହେଉ ଅବା ସହର ନିକଟପାର୍ଶ୍ବବର୍ତ୍ତୀ ଅଞ୍ଚଳ ଭଲ ରାସ୍ତାଟିଏ ଦେଖିପାରିଲାନି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଜିଲ୍ଲାର କେତୋଟି ବ୍ଲକ୍‌ ଏହାର ଜ୍ବଳନ୍ତ ଉଦାହରଣ। କୋଇଡ଼ା ବ୍ଲକ୍‌ ପାଟମୁଣ୍ଡା ପଞ୍ଚାୟତର କଦମଡିହି, ମାଲଦା ପଞ୍ଚାୟତର ଗଣୁଆ, ଦେଓଝର, କଳମଙ୍ଗ ସ୍ବାଧୀନତାର ୭୮ ବର୍ଷ ପରେ ଭଲରାସ୍ତାଟିଏ ଦେଖିଲାନି। ତେହେରେଇରୁ ଗଣୁଆ ପ୍ରାୟ ୧୦ କି.ମି. ରାସ୍ତା ବର୍ଷ ବର୍ଷ ଧରି ମରଣଯନ୍ତା ପାଲଟିଛି।

Advertisment

ଗୁରୁଣ୍ଡିଆ ବ୍ଲକ୍‌ ସୋଲ୍‌ ପଞ୍ଚାୟତର କଣ୍ଟାମୁଣ୍ଡା, ଗୁରୁଣ୍ଡିଆରୁ ତରମାରେନ ପ୍ରାୟ ୩ କି.ମି. ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ନୂଆଗାଁ ବ୍ଲକ୍‌ର ବାଗଡେଗାରୁ ଖୁଣ୍ଟଗାଁ ପ୍ରାୟ ୪ କି.ମି. ରାସ୍ତା ସମ୍ପୂର୍ଣ୍ଣ ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି। ସୋରଡାରୁ ଗୀର୍ଜାଟୋଲି, କୁଟିଦାରୁ ଗଞ୍ଜୁର ରାସ୍ତାର ସ୍ଥିତି ଆହୁରି ସଙ୍ଗୀନ। ସେମିତି ବିଶ୍ରା ବ୍ଲକ୍‌ର ମର୍ସିକୁଦର, ବମ୍ବୁଆ, ଉଡୁସୁ ଆଦି ରାସ୍ତା ଅବସ୍ଥା ନ କହିବା ଭଲ। କେବଳ ୪ଟି ବ୍ଲକ୍‌ ନୁହେଁ, ସୁନ୍ଦରଗଡ଼ର ୧୭ ବ୍ଲକର ପ୍ରତ୍ୟେକ ପଞ୍ଚାୟତର ଗ୍ରାମାଞ୍ଚଳର ଅଧିକାଂଶ ରାସ୍ତାରେ ଆଜି ପର୍ଯ୍ୟନ୍ତ ପିଚୁ, କ୍ରଂକିଟ୍‌ ଦୂରର କଥା ‌ମୁରୁମ ପଡ଼ିପାରିଲା ନାହିଁ। କେଉଁଠି ରାସ୍ତା ମାଟିରେ ମିଶିଗଲାଣି ତ ଅନ୍ୟ କେଉଁଟି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଯେଉଁ ରାସ୍ତାକୁ ଅତିକ୍ରମକୁ ଗାଡ଼ିଚାଳକକୁ ଅଧଘଣ୍ଟା ଲାଗିବା କଥା, ସେଠି ୨/୩ ଘଣ୍ଟା ଲାଗୁଛି। କେବଳ ଠିକାଦାର ପୋଷାନୀତିରେ ରାସ୍ତାନିର୍ମାଣରେ କୋଟି କୋଟି ଟଙ୍କାକୁ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ମିଳିମିଶି ଚଳୁ କରିଥିବା ଅଭିଯୋଗ ହେଉଛି। ଯାହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ଡିଏମ୍‌ଏଫ୍‌ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ରାସ୍ତା ନିର୍ମାଣ ଓ ମରାମତି ପାଇଁ ସର୍ବାଧିକ ଗ୍ରାମାଞ୍ଚଳ କାର୍ମିକ ବିଭାଗ (ଆର୍‌ଡବ୍ଲ୍ୟୁଡି) ଅଧୀକ୍ଷଣ ଯନ୍ତ୍ରୀଙ୍କୁ  ୩୭୪ କୋଟି, ୪୩ ଲକ୍ଷ ୩୩ ହଜାର୬୧୩ ଟଙ୍କା, ଅଧୀକ୍ଷଣ ଯନ୍ତ୍ରୀ ସୁନ୍ଦରଗଡ଼କୁ ୯୭ କୋଟି ୭୧ ଲକ୍ଷ ୩ ହଜାର୨୪୯ ଟଙ୍କା,  ରାଉରକେଲା ରୋଡ ଆଣ୍ଡ ବିଲ୍‌ଡିଂ ଅଧୀକ୍ଷଣଯନ୍ତ୍ରୀଙ୍କୁ ୩୬୧ କୋଟି ୪୨ ଲକ୍ଷ  ୨୮ ହଜାର ୫୨୨ ଟଙ୍କା,  ସୁନ୍ଦରଗଡ଼ ଅଧୀକ୍ଷଣଯନ୍ତ୍ରୀଙ୍କୁ ୧୬ କୋଟି ୯୯ ଲକ୍ଷ ୬୭ ହଜାର ୧୨୧ ଟଙ୍କା ଦିଆଯାଇଛି।

ଇଞ୍ଜିନିୟର ପ୍ରୋଜେକ୍ଟ ଇଣ୍ଡିଆ (ଇପିଆଇ) ସିଜିଏମ୍‌ଙ୍କୁ୧୪୮ କାଟି ୩୬ ଲକ୍ଷ ୨୧ ହଜାର ୬୭୨ ଟଙ୍କା, ନେସ୍‌ନାଲ ପ୍ରୋଜେକ୍ଟ କନଷ୍ଟ୍ରକ୍ସନ କର୍ପୋରେସନ୍‌ ଲିମିଟେଡ୍‌ (ଏନ୍‌ପିସିସି)କୁ ୫୦ କ‌ୋଟି ୭୭ ଲକ୍ଷ ୮୨ ହଜାର ୮୮୧ ଟଙ୍କା, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କୁ  ୫୫ ଲକ୍ଷ ୬୦ ହଜାର, ବିଡିଓ ନୂଆଗାଁକୁ ୩୫ ଳକ୍ଷ, ବିଡିଓ କୁଆରମୁଣ୍ଡାକୁ ୬୫ ଲକ୍ଷ ୩ ହଜାର ୧୧୬ ଟଙ୍କା ଓ ବିଡିଓ କୋଇଡାକୁ ୮୦ ଲକ୍ଷ ୭୪ ହଜାର ୫୮୦ ଟଙ୍କା ଡିଏମ୍‌ଏଫ୍‌ ପାଣ୍ଠିରୁ ଦିଆଯାଇଛି। ଡିଏମ୍‌ଏଫ୍‌ ପାଣ୍ଠିରୁ ଖର୍ଚ୍ଚ ହେଉଥିବା ଅର୍ଥ କେମିତି ରାସ୍ତା ନିର୍ମାଣ ଓ ମରାମତିରେ ବିନିଯୋଗ ହେଉଥିଲା, ରାଉରକେଲା ଓ ସୁନ୍ଦରଗଡ଼ ସହର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ରାସ୍ତାରୁ ଜଳ ଜଳ ହୋଇ ଦିଶୁନି। ଶିକ୍ଷା, ସ୍ବାସ୍ଥ୍ୟ ଭଳି ଯୋଗାଯୋଗରେ ବିନିଯୋଗ ହୋଇଥିବା ଅର୍ଥର ତଦନ୍ତ ହେଲେ ବଡ଼ଧରଣ ଦୁର୍ନୀତି ଲୋକଲୋଚନକୁ ଆସିପାରିବ।