ପୁରୀ: ପୁରୀ ବେଳାମାର୍ଗରେ ଉଦଘାଟିତ ହୋଇଛି ‘ସ୍ବସ୍ତି ପ୍ରିମିୟମ ବିଚ୍‌ ରିସୋର୍ଟ’। ଏଥିରେ ୧୨୦ଟି ବିଳାସପୂର୍ଣ୍ଣ ପ୍ରିମିୟମ ରୁମ୍‌ ରହିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରି କହିଛନ୍ତି, ଆତିଥେୟତା ଶିଳ୍ପରେ ପ୍ରଚୁର ସମ୍ଭାବନା ରହିଛି। ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି କଲେ ହିଁ ନିଯୁକ୍ତିର ସୁଯୋଗ ବୃଦ୍ଧି ପାଇବ। ଓଡ଼ିଶାର କଳା ଓ ଐତିହ୍ୟର ଛାପ ଥିବା ଏହି ହୋଟେଲ୍ ପୁରୀର ଆତିଥେୟତା ଓ ସେବା ଶିଳ୍ପ କ୍ଷେତ୍ରରେ ନୂଆ ପରିଚୟ ତିଆରି କରିବ। ଶ୍ରୀ ପ୍ରଧାନ କହିଲେ, ପୂର୍ବୋଦୟ ଯୋଜନାରେ ଓଡ଼ିଶାର ବିକାଶ ସହ ପର୍ଯ୍ୟଟନକୁ ବିଶେଷ ଗୁରୁତ୍ବ ମିଳିଛି। ଉପକୂଳ ରାଜପଥ ନୂଆ ଓଡ଼ିଶାର ଜୀବନ ରେଖା ହେବାକୁ ଯାଉଛି। ରାଜ୍ୟରେ ସମୃଦ୍ଧ ପରିବେଶ ଓ ଐତିହ୍ୟ ସୁଯୋଗ ଥିବାରୁ ଏହା ଆତିଥେୟତା ଶିଳ୍ପର ବିକାଶ ଲାଗି ବେଶ୍‌ ଉପଯୋଗୀ। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ସ୍ବଚ୍ଛତାକୁ ଗୁରୁତ୍ବ ଦେବା ମଧ୍ୟ ଜୁରୁରି ବୋଲି ସେ କହିଛନ୍ତି। 

Advertisment

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମ୍ୟାରେଜ ଡେଷ୍ଟିନେସନ, ଗଲ୍‌ଫ କୋର୍ସର ଆବଶ୍ୟକତା ସମ୍ପର୍କରେ କହିଥିଲେ। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ପର୍ଯ୍ୟଟନ ଓ ଅତିଥେୟତା ଶିଳ୍ପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କହିଥିଲେ। ଆଇନ ମନ୍ତ୍ରୀ ପୁରୀରେ ହେବାକୁ ଥିବା ନୂଆ ଇଣ୍ଟରପ୍ରିଟେସନ ସେଣ୍ଟର ବାବଦରେ କହିଥିଲେ। ସାଂସଦ ସମ୍ବିତ ପାତ୍ର, ବିଧାୟକ ସୁନିଲ ମହାନ୍ତି, ବାବୁ ସିଂହ, ଆଶ୍ରିତ ପଟ୍ଟନାୟକ, ଓମ୍‌ ପ୍ରକାଶ ମିଶ୍ର, ଉପାସନା ମହାପାତ୍ର ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ.କେ ମହାନ୍ତି ମା’ଙ୍କ ଗହଣା ବନ୍ଧା ପକାଇ ୧ଲକ୍ଷ ଟଙ୍କାରୁ ଆରମ୍ଭ କରି ସ୍ବସ୍ତି ପ୍ରିମିୟମ୍‌ ବିଚ୍‌ ରିସୋର୍ଟ ପର୍ଯ୍ୟନ୍ତ ଯାତ୍ରା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତିଙ୍କ ପୁଅ ତଥା ସ୍ବସ୍ତି ଗ୍ରୁପ୍ ନିର୍ଦ୍ଦେଶକ ଚିରଞ୍ଜୀବ ମହାନ୍ତି ଉପସ୍ଥିତ ଥିଲେ।