ନୂଆଦିଲ୍ଲୀ: ୭୩ ଦିନ ଓ ୭୪ ମ୍ୟାଚ୍ର ଜବରଦସ୍ତ ଲଢ଼େଇ ପରେ ଗତକାଲି ଆଇପିଏଲ୍କୁ ମିଳିଥିଲା ନୂଆ ବିଜେତା। ଅସୀମିତ ରୋମାଞ୍ଚ, ଅପୂର୍ବ ଉତ୍କଣ୍ଠା ତଥା ଘଡ଼ିଘଡ଼ିକେ ମୋଡ଼ ବଦଳାଉଥିବା ଫାଇନାଲ୍ରେ ପଞ୍ଜାବ କିଙ୍ଗ୍ସକୁ ୬ ରନ୍ରେ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ପୂରଣ କରିଥିଲା ବହୁ ପ୍ରତୀକ୍ଷିତ ଅଧୁରା ସ୍ବପ୍ନ | ୧୮ ବର୍ଷ ପରେ ବି ଆଇପିଏଲ୍ର ଆକର୍ଷଣୀୟ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଥିଲା। ଆଇପିଏଲ ବିଜେତା ହେବା ପରେ ବାଙ୍ଗାଲୋର ଦଳକୁ ପୁରସ୍କାର ରାଶିରେ ୨୦ କୋଟି ଟଙ୍କା ମିଳିଛି। ଆଇପିଏଲର ବିଜେତା ଦଳକୁ ସମ୍ପୂର୍ଣ୍ଣ ରାଶି ମିଳେ ନାହିଁ, କିନ୍ତୁ ଏଥିରେ ଲାଗୁ ହୋଇଥିବା ଟିକସ ଅନୁସାରେ ରାଶି ମିଳିଥାଏ। ଆରସିବିକୁ ପୁରସ୍କାର ରାଶି ଉପରେ ଲାଗୁ ହୋଇଥିବା ଟିକସ ମଧ୍ୟ ଦେବାକୁ ପଡିବ। ଆରସିବିକୁ ପୁରସ୍କାର ରାଶିର ୩୦ ପ୍ରତିଶତ ଟିକସ ଭାବରେ ଦେବାକୁ ପଡିବ। ଏହା ଅନୁଯାୟୀ, ବାଙ୍ଗାଲୋର ଦଳକୁ ଟିକସ ଭାବରେ ୬ କୋଟି ଟଙ୍କା ଦେବାକୁ ପଡିବ ଏବଂ ଦଳକୁ ପୁରସ୍କାର ରାଶିର ୧୪ କୋଟି ଟଙ୍କା ମିଳିବ।
ପ୍ରୀତି ଜିଣ୍ଟାଙ୍କ ଦଳ ପଞ୍ଜାବ କିଙ୍ଗ୍ସ ଆଇପିଏଲରେ ଉପବିଜେତା ହୋଇଛି। ଏହି ଦଳକୁ ପୁରସ୍କାର ରାଶିରେ ୧୩ କୋଟି ଟଙ୍କା ମିଳିଛି। ବିଜେତା ଦଳ ପରି, ଏଥିରେ ମଧ୍ୟ ୩୦ ପ୍ରତିଶତ ଟିକସ ନିଆଯିବ, ଯାହା ଅନୁଯାୟୀ ଏହି ଦଳକୁ ଟିକସ ଭାବରେ ୩.୯୦ କୋଟି ଟଙ୍କା ଦେବାକୁ ପଡିବ। ପଞ୍ଜାବ ଦଳକୁ ପୁରସ୍କାର ରାଶିରେ ୯ କୋଟି ୧୦ ଲକ୍ଷ ଟଙ୍କା ମିଳିବ।
ଉଲ୍ଲେଖ ଥାଉ କି ଗତକାଲି ଫାଇନାଲ ମ୍ୟାଚ୍ରେ ବାଙ୍ଗାଲୋର ପଞ୍ଜାବକୁ ୬ ରନରେ ପରାସ୍ତ କରିଥିଲା । ପଞ୍ଜାବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା | ଜବାବରେ, ବାଙ୍ଗାଲୋର ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ୧୯୧ ରନର ଟାର୍ଗେଟ ରଖିଥିଲା, ଯାହାକୁ ଶ୍ରେୟସ ଆୟରଙ୍କ ଦଳ ହାସଲ କରିପାରିନଥିଲା ଏବଂ ଆରସିବି ଜିତିଥିଲା।