ନିର୍ବାଚନୀ ହିଂସା: ଦୁଇ ଦଳ ପକ୍ଷ ଭିତରେ ବିବାଦରୁ ଗଣ୍ଡଗୋଳ, ଟିଡିପି ନେତାଙ୍କ ମୃତ୍ୟୁ

ବିଜୟଓ୍ଵାଡା:  ଆନ୍ଧ୍ରପ୍ରଦେଶରୁ ଆସିଛି ନିର୍ବାଚନୀ ହିଂସାର ଖବର।  ଆନ୍ଧ୍ରର ୧୨୫ ବିଧାନସଭା ଓ ୨୫ଟି ଲୋକସଭା ଆସନ ପାଇଁ ଆଜି   ନିର୍ବାଚନ ଚାଲିଥିବା  ବେଳେ ଦୁଇ ପକ୍ଷ ଭିତରେ ଗଣ୍ଡଗୋଳ ଘଟି ତେଲୁଗୁ ଦେଶମ ପାର୍ଟି(ଟିଡିପି) ନେତା ଚିନ୍ତା ଭାସ୍କର ରେଡ୍ଡିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।  ଅନନ୍ତପୁର ଜିଲ୍ଲାର ଭିରାପୁରମରେ ଥିବା ତାଡ଼ିପାତ୍ରି ନିର୍ବାଚନ ମଣ୍ଡଳିର ୧୯୭ ନମ୍ବର ବୁଥ୍‌ରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି।

ଜାଣିବାକୁ ମିଳିଛି ଯେ ମତଦାନ ଆରମ୍ଭ ହେବା ସହ ରାଜ୍ୟର ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ତିକ୍ତତା ବି ତୀବ୍ର ହୋଇଛି। ରାଜ୍ୟର ଶାସକ ଦଳ ତେଲ୍‌ଗୁ ଦେଶମ ପାର୍ଟି(ଟିଡିପି) ଓ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଭିତରେ କଡ଼ା ମୁକାବିଲା ହୋଇଛି। ନିର୍ବାଚନକୁ ନେଇ ଭିନ୍ନ ଦଳ ମଧ୍ୟରେ ହିଂସା ପୁଜିଥିବା ବି ଦେଖିବାକୁ ମିଳିଛି।

ଖବର ଅନୁସାରେ, ଟିଡିପି ନେତା ଭାସ୍କର ରେଡ୍ଡି ଓ ଓ୍ଵାଇଏସ୍‌ଆର୍‌ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ସେମାନେ ପରସ୍ପରଙ୍କୁ ଟେକାପଥର ଫୋପାଡ଼ି ଥିଲେ। ଏହି ଆକ୍ରମଣରେ ଟିଡିପି ନେତା ଜଣକ ଗୁରୁତର ଆହତ ହୋଇପଡ଼ିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ରରେ ଟିଡିପି ଓ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ମଧ୍ୟରେ ବିବାଦ ଦେଖାଦେଇଛି। ଇଭିଏମ୍‌ ମେସିନ୍‌ରେ ଗଡ଼ବଡ଼ ଅଛି ବୋଲି ଅଭିଯୋଗକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ତୀବ୍ର ହେବା ବେଳେ ଆଲ୍ଳାଗଡ଼ା ବିଧାନସଭା କ୍ଷେତ୍ରର ପ୍ରାର୍ଥିନୀ ଭୂମା ଅଖିଲା ପ୍ରିୟାଙ୍କ ସ୍ୱାମୀ ମଧ୍ୟ ଏହି ନିର୍ବାଚନୀ ହିଂସାରେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର