ଟିକା ନେଇ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ ସଂଘ

ଖୋର୍ଦ୍ଧା: ଜିଲ୍ଲାର ପ୍ରାଥମିକ ଶିକ୍ଷକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ସ୍ୱତନ୍ତ୍ର ଭାବେ କରୋନା ପ୍ରତିଷେଧକ ଟିକାକରଣ ଅଭିଯାନରେ ସଂଯୁକ୍ତ କରିବାକୁ ସଂଘ ପକ୍ଷରୁ ଦାବି ହୋଇ ଆସୁଥିଲା । ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରିଥିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି ।

ଆଜି ଏନେଇ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖାର ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସଭାପତି ଯୁଧିଷ୍ଠିର ସାହୁ ଅଧ୍ୟକ୍ଷତା କରିଥିଲେ । ବୈଠକ ପ୍ରାରମ୍ଭରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରତି ଶ୍ରଦ୍ଧାଂଜଳି ଓ ନିରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଶିକ୍ଷକମାନଙ୍କୁ ସ୍କୁଲ ଛାଡ଼ିଥିବା ଓ ସ୍କୁଲ ଆସୁଥିବା ଛାତ୍ରଛାତ୍ରୀଙ୍କ ସର୍ଭେ ଓ ପଂଜୀକରଣ କରିବାକୁ ଶିକ୍ଷାବିଭାଗ ନିଦେ୍ର୍ଦଶ ଦେଇଛନ୍ତି । କରୋନା ମହାମାରୀ ସମୟରେ ସରକାରଙ୍କ ନିଦେ୍ର୍ଦଶାନୁସାରେ ମଧ୍ୟାହ୍ଣ ଭୋଜନ ପ୍ରଦାନ, ପୁସ୍ତକ ବଂଟନ ଆଦି କାର୍ଯ୍ୟ କରିଛନ୍ତି । ଏଥିରେ କେତେକ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରାଣହାନୀ ଘଟିଛି । ଏହି ପରିପ୍ରେକ୍ଷୀରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା, କିନ୍ତୁ ସରକାର ଏହାକୁ ଅଣଦେଖା କରିଛନ୍ତି । ଏଣୁ ଟିକା ଦେବା ପରେ ଯାଇ ପଂଜୀକରଣ କାର୍ଯ୍ୟ କରାଯିବ ଓ ଏଥିପାଇଁ ଆନେ୍ଦାଳନ କରାଯିବ ବୋଲି ସଂଘ ପକ୍ଷରୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ମହାପାତ୍ର, ସଂପାଦକ ଅମୀୟ କୁମାର ପରିଡ଼ା, ଉପସଭାପତି ସୁକାନ୍ତି ଦେବୀ, ମଙ୍ଗୁଳି ନିଶଙ୍କ, ସହ ସମ୍ପାଦକ ରବି ନାରାୟଣ ପଣ୍ଡା, ଦିବ୍ୟସିଂହ ସୁବୁଦ୍ଧି, ସୁଶାନ୍ତ ମିଶ୍ର, ସରୋଜିନୀ ସାହୁ, ରଶ୍ମୀ ଦାସ, ଉପଦେଷ୍ଟା ମନୋଜ ଦାସ, ଜୟକୃଷ୍ଣ ପାଲଟାସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର