ପାଟନା: ଲାଲୁ ପ୍ରସାଦଙ୍କ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବ ଏବେ ଏକ ନୂତନ ଘୋଷଣା କରି ଆରଜେଡିର ଚିନ୍ତା ବଢ଼ାଇଦେଇଛନ୍ତି | ବାସ୍ତବରେ ତେଜ ପ୍ରତାପ ଘୋଷଣା କରିଛନ୍ତି ଯେ ସେ ଜୁନ୍ ୩୦ରୁ ତାଙ୍କ ବାସଭବନରେ ଜନତା ଦରବାର ଆରମ୍ଭ କରିବେ। ସେ ଏହି ସୂଚନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ତେଜ ପ୍ରତାପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି - ଜନତା ଦରବାର, ଜନସାଧାରଣଙ୍କ ସମସ୍ୟାର ସିଧାସଳଖ ସମାଧାନ, ଆପଣଙ୍କ ମଧ୍ୟରେ, ଆପଣଙ୍କ ସ୍ୱର ହେବାକୁ ପ୍ରସ୍ତୁତ, ଆସନ୍ତୁ ଏକାଠି ବିହାରର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା, ସର୍ବଦା ଆପଣଙ୍କ ସହିତ, ସର୍ବଦା ବିହାର ସହିତ.. ସୋମବାର, ଜୁନ୍ ୩୦ରୁ ସନ୍ଧ୍ୟା ୬ ରୁ ୮ଟା ପର୍ଯ୍ୟନ୍ତ ଜନତା ଦରବାର ହେବ।
ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ପ୍ରାୟତଃ ବିବାଦରେ ଅଛନ୍ତି। ସମ୍ପ୍ରତି, ତାଙ୍କୁ ଦଳର ସୁପ୍ରିମୋ ଲାଲୁ ପ୍ରସାଦ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଥିଲେ। ପ୍ରକୃତରେ, ତେଜ ପ୍ରତାପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ଅନୁଷ୍କା ଯାଦବ ନାମ୍ନୀ ଜଣେ ଯୁବତୀଙ୍କ ସହିତ ଫଟୋ ପୋଷ୍ଟ କରି ତାଙ୍କ ସହ ଥିବା ପ୍ରେମ ସଂପର୍କ ନେଇ କହିବା ପରେ ଏହା ଲାଲୁ ପରିବାରରେ କମ୍ପନ ସୃଷ୍ଟି କରିଥିଲା। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତେଜ ପ୍ରତାପଙ୍କୁ ୬ ବର୍ଷ ପାଇଁ ଆର୍ଜେଡିରୁ ବହିଷ୍କାର କରାଯାଇଥିଲା। ଏଥିସହ ଲାଲୁ ନିଜ ବଡ଼ ପୁଅକୁ ପରିବାରରୁ ମଧ ବେଦଖଲ କରାଯାଇଥିବା ଘୋଷଣା କରିଥିଲେ । ଲାଲୁ ପ୍ରସାଦ କହିଥିଲେ ଯେ ଦଳ ଓ ପରିବାରରେ ଏବେ ତେଜ ପ୍ରତାପଙ୍କ କୌଣସି ଭୂମିକା ରହିବ ନାହିଁ।
ଲାଲୁ ସେତେବେଳେ କହିଥିଲେ ଯେ, ‘ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ଦ୍ୱାରା ସାମାଜିକ ନ୍ୟାୟ ପାଇଁ ଆମର ସାମୂହିକ ସଂଘର୍ଷ ଦୁର୍ବଳ ହେଉଛି। ବଡ଼ ପୁଅର କାର୍ଯ୍ୟକଳାପ, ସାର୍ବଜନୀନ ଆଚରଣ ଓ ଦାୟିତ୍ୱହୀନ ବ୍ୟବହାର ଆମ ପାରିବାରିକ ମୂଲ୍ୟବୋଧ ଓ ରୀତିନୀତି ଅନୁଯାୟୀ ନୁହେଁ। ତେଣୁ ଉପରୋକ୍ତ ପରିସ୍ଥିତି ଯୋଗୁଁ ମୁଁ ତାଙ୍କୁ ଦଳ ଓ ପରିବାରରୁ ହଟାଇ ଦେଉଛି'।