କୋରାପୁଟ : ତେଲିଙ୍ଗିରୀ ପ୍ରକଳ୍ପ ପାଇଁ ପରିବେଶ ବିଗିଡ଼ିଯାଇଛି। ଜମି ସହ ପ୍ରକଳ୍ପ ଶୁଖା ପଡିଛି। ପ୍ରକଳ୍ପର ଚାରି ପାର୍ଶ୍ବରେ ଥିବା ପାହାଡର ଗଛ ଗୁଡିକ ପୂର୍ବରୁ ସବୁଜ ଦିଶୁଥିବା ବେଳେ ଏବେ ମାଟିଆ ଦିଶୁଛି। ପାଣି ଜମା ନଥିବାରୁ ଅଂଚଳରେ ପ୍ରବଳ ଗରମ ହେଉଛି। ଏଥରକ ୪୨୬୪ ହେକ୍ଟର ଜମିରେ ରବି ଚାଷ କରି ପାରି ନଥିବାରୁ ଚାଷୀ ମାନେ ବି ଚିନ୍ତାରେ। ମୋଟରରେ ପାଣି ମଡ଼ାଇ କାଁଭାଁ ଚାଷୀ କିଛି ପନିପରିବା ଓ ଧାନ କରିବାକୁ ପ୍ରୟାସ କରୁଛନ୍ତି।
ବୋରିଗୁମ୍ମା , ଜୟପୁର ଓ କୋରାପୁଟ ବ୍ଲକର ୧୫ରୁ ଉର୍ଦ୍ଧ୍ବ ପଂଚାୟତବାସୀ ପ୍ରଭାବିତ ହୋଇଛନ୍ତି। ଅଚାନକ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ବନ୍ଦ ହେବା ଦ୍ବାରା ହଜାର ହଜାର ଚାଷୀ କ୍ଷତି ସହୁଥିବାରୁ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ସହ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି। କାହିଁକି ଓ କେଉଁ ସ୍ଥିତିରେ ପ୍ରକଳ୍ପର ସ୍ଲୁଇସ୍ ଗେଟ ଖରାପ ଥିବା ଏବଂ ପାଣି ଲିକ୍ ସମ୍ପର୍କରେ ଅଧିକାରୀ ଓ ପ୍ରଶାସନ ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଯଦିଓ ୨୦୨୦-୨୧ମସିହାରେ ଜଳସେଚନ ବିଭାଗ ଚେଷ୍ଟା କରି ପରେ କାହିଁକି ଚୁପ ରହିଥିଲା। ଏବେ ଅଚାନକ ଭାବେ ଚାଷୀ ମାନେ କ୍ଷତି ସହିବା ସହ ପରିବେଶ ଖରାପ ହେବା ସହ ସରକାରଙ୍କ ଉପରେ ଅଚାନକ ଭାବେ ମରାମତି ପାଇଁ ଅତିରିକ୍ତ ଖର୍ଚ୍ଚ ଲଦିବା ପାଇଁ କିଏ ଦାୟୀ ବୋଲି ଜୟପୁର ବିଧାୟକ ପ୍ରଶ୍ନ କରିଛନ୍ତି।
ପ୍ରକାଶଯୋଗ୍ୟ, ୨୦୧୯ ମସିହା ପୂର୍ବରୁ କୋରାପୁଟ, ବୋରିଗୁମ୍ମା, ଜୟପୁର ବ୍ଲକର ୧୦ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ତେଲିଙ୍ଗିରୀ ନଦୀ, ଘୋଡାଦରା ନାଳ ଓ ପାହାଡିଆ ଝରଣା ପାଣି ସହ ବର୍ଷାପାଣିରେ ଅଂଚଳବାସୀ ଖରିଫ ଓ ରବି ଚାଷ କରି ଆସୁଥିଲେ। ବୋରିଗୁମ୍ମା ଓ ଜୟପୁର ବ୍ଲକର ଚାଷୀଙ୍କ ପାଇଁ ଆରମ୍ଭ କରାଯାଇଥିଲା ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ । ଦୀର୍ଘ ୧୭ବର୍ଷ କାଳ ଲୋକେ ଅପେକ୍ଷା କରିବା ପରେ ୨୦୧୯ମସିହାରେ ନିର୍ବାଚନ ପୂର୍ବରୁ ଅତ୍ୟନ୍ତ ତରବରିଆ ଭାବେ ଏହାକୁ ଲୋକାର୍ପିତ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଳସେଚନ ପ୍ରକଳ୍ପ ନିର୍ମାଣ ସମୟରେ କରାଯାଇଥିବା ସ୍ଲୁଇସ୍ ଗେଟକୁ ବନ୍ଦ କରାଯାଇ ନଥିଲା। ଡ୍ୟାମରୁ ଜଳନିଷ୍କାସନ୍ ହେବାକୁ ଲାଗିଥିଲା। ଡ୍ୟାମ୍ କେତେ ବେଳେ ଭାଙ୍ଗିଯିବା ଭୟରେ ଏହାର ମରାମତି ଆରମ୍ଭ ହୋଇଛି। ତେବେ ଏହାର ପରିମାଣ ଏବେ ଚାଷୀ ଓ ସରକାରଙ୍କୁ ଭୋଗିବାକୁ ପଡ଼ିଛି। ୪୨୬୪ହେକ୍ଟର ଜମିକୁ ପାଣି ମାଡ଼ି ନାହିଁ। ଚାଷୀଙ୍କ ଚାଷ ହୋଇନଥିବା ବେଳେ ପାଣି ଜମା ହୋଇ ରହି ନଥିବାରୁ ପରିବେଶ ଉପରେ ବିଶେଷ ପ୍ରଭାବ ପଡ଼ିଛି। ଅଂଚଳର ଜମି ଗୁଡିକ ଶୁଖା ପଡ଼ିଥିବା ବେଳେ ଜଳଭଣ୍ଡାର ଅଂଚଳ ମରୁଡ଼ି ଭଳି ହୋଇଛି। ଜମି ପାଟି ଆଁ କରୁଛି। କେନାଲ ଗୁଡିକ ବି ଶୁଖିଯାଇଛି। ଫଳରେ ଏବେ ଠାରୁ ଗରମ ଅନୁଭବ କରୁଥିବା ତଳ ଡାକ୍ରା, ଉପରଡାକ୍ରା, କେନ୍ଦାର ,ବାଗ୍ରା, ରାଣୀଗଡ, ବରିପୁଟ, ବାଲିପୁଜାରୀପୁଟ ଆଦି ଗ୍ରାମବାସୀ କହିଛନ୍ତି। ସ୍ଲୁଇସ୍ ଗେଟ୍ ମରାମତି ଚାଲୁଥିବାରୁ ଏହି ସମୟରେ ମୁଖ୍ୟକେନାଲ, ଶାଖା କେନାଲ୍ ଆଦିର ମରାମତି ଜଳସେଚନ ବିଭାଗ କରୁ ବୋଲି ବିଧାୟକଙ୍କ ସହ ଅଂଚଳବାସୀ ଦାବି କରିଛନ୍ତି।