ରାଉରକେଲା: ଗଣେଶ ଭସାଣି ଉତ୍ସବକୁ କେନ୍ଦ୍ରକରି ଲେବରଟେର୍ଣ୍ଣାମେଣ୍ଟ କେଶରୀନଗରରେ ଗତକାଲି ସଂଧ୍ୟା‌ରେ ୩୦ରୁ ଅଧିକ ଯୁବକ ରାସ୍ତାରେ ବୁଲାଇଲେ ଖଣ୍ଡା ଓ ଭୁଜାଲି। ଯାହାକୁ ଦେଖିଲେ ମାରିବାକୁ ଗୋଡାଇଲେ। ମାରିଦେବାକୁ ଧମକଚମକ ଦେଲେ। କାର୍‌, ଅଟୋ ଓ ବାଇକ୍‌ଗୁଡ଼ିକୁ ଭାଙ୍ଗିଲେ। ଯିଏ ରାସ୍ତାଗଲା, କାହାରିକୁ ବି ଛାଡିଲେନି। ଏତିକିରେ ସେମାନଙ୍କ ରାଗ ଶାନ୍ତ ପଡିନଥିଲା। କେଶରୀନଗର କ୍ଲବ ଭିତରକୁ ଜୋରଜବରଦସ୍ତ ପଶିଲେ। କାହାକୁ ନ ପାଇ ନିଆଁ ଲଗାଇଦେଇଥିଲେ। କ୍ଲବରେ ଜାଲିଦେଲେ ଟିଭି,‌ ଏସି, ଟିଭି, ସୋଫା ଓ ଅନ୍ୟାନ୍ୟ ଆସବାବପତ୍ରକୁ ନିଆଁ ଲଗାଇ ଜାଳି ଦେଇଥିଲେ। ପ୍ରାୟ ଘଣ୍ଟାଏ ସମୟ ଧରି କେଶରୀନଗରରେ ଅଞ୍ଚଳରେ ୩୦ରୁ ଅଧିକ ଯୁବକମାନେ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇ ଚାଲିଥିଲେ। ଯୁବକମାନଙ୍କ ଭୁଜାଲି ଆକ୍ରମଣରେ ଲେବରଟେର୍ଣ୍ଣାମେଣ୍ଟର  ଅମରେନ୍ଦ୍ର ରାଉତ (୩୬) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଭୟର ଏମିତି ବାତାବରଣ ସୃଷ୍ଟି କରିଥିଲେ ଯେ, କେହି ପ୍ରତିବାଦ କରିବାକୁ ଘରୁ ବାହାରି ନଥିଲେ।

Advertisment

ଖବରପାଇ ରଗୁନାଥପାଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବକମାନେ ଘଟଣାସ୍ଥଳରୁ ବାଇକ୍‌ରେ ଫେରାର ହୋଇଯାଇଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ  ସ୍ଥାନୀୟଲୋକ ଜେଲ୍‌ରୋଡ ମୁଖ୍ୟରାସ୍ତାକୁ ପ୍ରାୟ ଘଣ୍ଟାଏ ଧରି ଟାୟାର ଜାଳି ଅବରୋଧ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ରାତିରେ ଆକ୍ରମଣ ଶିକାର ଯୁବକ, କ୍ଷତିଗ୍ରସ୍ତ କାର୍‌, ଅଟୋ ଓ ବାଇକ୍‌ ଚାଳକ ସମେତ ୫ରୁ ଅଧିକ ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ଓ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ମିଳିଥିବା ସୂଚନାମୁତାବକ ଗତ ଗୁରୁବାର ଏସ୍ଆଇଟି ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଭସାଣି କରାଯାଇଥିଲା। ଭସାଣି‌ ଶୋଭାଯାତ୍ରା ଜେଲ୍‌ରୋଡ, କେଶରୀନଗରୀ ଦେଇ ଯାଇଥିଲା। ବିଳମ୍ବିତ ରାତିରେ ଡିଜେର ବିକଟାଳ ଶବ୍ଦ ଓ ଲେଜର ଲାଇଟ୍‌ ପ୍ରଦର୍ଶନକୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ।  ସେଠାକାର ପୂଜାକମିଟିର କିଛି ଯୁବକମାନେ ମଧ୍ୟ ଅନୁରୂପ ବିରୋଧ କରିଥିଲେ। ଯାହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଗତକାଲି କେଶରୀନଗର ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଭଷାଣୀ ହୋଇଥିଲା। ଉଭୟ ଭଷାଣୀକୁ ନେଇ ଏସ୍ଆଇଟି ଓ କେଶରୀର ଯୁବକମାନଙ୍କ ମଧ୍ୟରେ ପାଟିତୁଣ୍ଡର ଆଜି  ଉଗ୍ରରୂପ ଧାରଣ କରିଥିଲା। ଏସ୍‌ଟିଆଇ ପୂଜାକମିଟି ବାହାର କିଛି ଯୁବକଙ୍କୁ ଆଣି ଏଭଳି କାଣ୍ଡ ଭିଆଇଥିବା କେଶରୀନଗରବାସିନ୍ଦା ଅଭିଯୋଗ କରିଛନ୍ତି। ଫେରାର ଯୁବକମାନଙ୍କୁ ଧରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ କହିଛି।