‘ଠାକୁର୍‍ ଭଲେ ବିରାଜୋ ଜି!’

ରଥ କଥା - ଅସିତ ମହାନ୍ତି

“ଠାକୁର୍‍ ଭଲେ ବିରୋଜୋ ଜି!
ଓଡ଼ିଶା ଜଗନ୍ନାଥ ପୁରୀ ମେଁ ଭଲେ ବିରାଜୋ ଜି!”
ଏ ହେଉଛି ସନ୍ଥ କବିରଙ୍କର ଗୋଟିଏ ଜଗନ୍ନାଥ ଭଜନ । ଦୀର୍ଘ ପ୍ରାୟ ପାଞ୍ଚଶହ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଏହାକୁ ସାରା ଭାରତର, ବିଶେଷ କରି ଉତ୍ତର ଭାରତର ଜଗନ୍ନାଥ ଭକ୍ତ ଗାଇ ଆସୁଛନ୍ତି । କବିରଙ୍କର ଏହି ଭଜନଟିର ଅନେକ ଐତିହାସିକତା ମଧ୍ୟ ରହିଛି । ବିଶେଷ କରି ଠାକୁରମାନେ ‘ନୀଳାଦ୍ରି ବିଜେ’ରେ ଯାଇ ରତ୍ନସିଂହାସନରେ ବିରାଜମାନ ହେବା ପରେ, ଅତି ଶ୍ରଦ୍ଧା ଓ ଭକ୍ତିର ସହ ଭକ୍ତମାନେ ଏହା ଗାଇଥାଆନ୍ତି । ଏହା ପଛରେ ଥିବା ସେମାନଙ୍କର ଅନ୍ତରର ଅଭିଳାଷ ହେଉଛି- ହେ ଜଗନ୍ନାଥ! ତୁମେ ଶ୍ରୀମନ୍ଦିରର ରତ୍ନସିଂହାସନରେ ଭଲରେ ବିରାଜିତ ଥାଅ! ତୁମେ ଭଲରେ ରହିଲେ ହିଁ ଆମ ସମସ୍ତଙ୍କର ଭଲ!!

କବିର ଦାସ ଥିଲେ ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ବିଶିଷ୍ଟ ଭକ୍ତ । ସେ ଅନେକ ଜୀବନଧର୍ମୀ ‘ଦୋହା’ (ଦୁଇ ଧାଡ଼ିଆ ପଦ) ରଚନା କରି ପ୍ରସିଦ୍ଧ ହୋଇଥିଲେ । ସେ ଥିଲେ ବ୍ରହ୍ମବାଦୀ । ତେଣୁ ଛୁଆଁ-ଅଛୁଆଁ ମନୋଭାବ ବା ଜାତିଭେଦ ତାଙ୍କର ନଥିଲା । ସେଥିପାଇଁ ସେ ଶ୍ରୀକ୍ଷେତ୍ର ପୁରୀକୁ ଟାଣି ହୋଇ ଆସିଥିଲେ ।

କିଂବଦନ୍ତି ଅନୁସାରେ ତାଙ୍କର ମାଆ ଥିଲେ ଜଣେ ବିଧବା ବ୍ରାହ୍ମଣୀ । କିନ୍ତୁ ‘ନିରୁ’ ନାମକ କାଶୀର ଜଣେ ମୁସଲମାନ ତନ୍ତୀ ତାଙ୍କୁ ପାଳିଥିଲେ । ତାଙ୍କ ପାଇଁ ରାମ ଓ ରହିମ ଉଭୟ ଥିଲେ ଏକ । ସେ ରାମଭକ୍ତିରେ ପ୍ରମତ୍ତ ହେଉଥିଲେ ମଧ୍ୟ ମୁସଲମାନ ଧର୍ମରେ ବିଶ୍ୱାସୀ ଥିଲେ । ସେ ବୈଷ୍ଣବଗୁରୁ ରାମାନନ୍ଦଙ୍କର ଶିଷ୍ୟତ୍ୱ ମଧ୍ୟ ଗ୍ରହଣ କରିଥିଲେ ।

ପୁରୀରେ କବିରଙ୍କ ନାମରେ ଗୋଟିଏ ମଠ ଅଛି । ଏହାର ନାମ ‘କବୀର ଚୌରା ମଠ’ । ପୁରୀ ସ୍ୱର୍ଗଦ୍ୱାର ସାମ୍ନାରେ ଏହି ମଠ ଅବସ୍ଥିତ । କିଂବଦନ୍ତି ଅନୁସାରେ, ପରିଣତ ବୟସରେ କବିର କାଶୀ (ବାରାଣସୀ)ରୁ ପୁରୀ ଆସିଥିଲେ । ସେତେବେଳେ ସମୁଦ୍ର କୂଳ ଲଙ୍ଘନକରି ଶ୍ରୀମନ୍ଦିରର କ୍ଷତିକରିବା ପରି ଆଶଙ୍କା ଦେଖାଦେଇଥିଲା । ତେଣୁ ରାଜା ପ୍ରତାପରୁଦ୍ର ଦେବ ଶ୍ରୀଜଗନ୍ନାଥଙ୍କଠାରୁ ସ୍ୱପ୍ନାଦେଶ ପାଇ ସ୍ୱତନ୍ତ୍ର ଦୂତ ପଠାଇ ତାଙ୍କୁ ଡକାଇ ଆଣିଥିଲେ । କବିର ଆସି ସମୁଦ୍ର ତଟରେ ତାଙ୍କର ଆଶାବାଡ଼ିଟିକୁ ପୋତି ଦେବାରୁ ସମୁଦ୍ର ଆଉ କୂଳ ଲଙ୍ଘନ କଲା ନାହିଁ । କବିରଙ୍କର ସେହି ଆଶାବାଡ଼ି ଓ ସେ ପିନ୍ଧୁଥିବା କଠଉ ଆଜି ବି କବିର ଚୌରା ମଠରେ ପୂଜା ପାଉଛି । ସେ କାନ୍ଧରେ ପ୍ରାୟ ସବୁବେଳେ ଗୋଟିଏ ଝୁଲି ପକାଉଥିବାରୁ ମାଧବ ପଟ୍ଟନାୟକଙ୍କ ‘ବୈଷ୍ଣବ ଲୀଳାମୃତ କାବ୍ୟ’ରେ ତାଙ୍କୁ ‘ଝୋଲିଆ କବିର’ ବୋଲି ବର୍ଣ୍ଣନା କରାଯାଇଛି ।

ଜଗନ୍ନାଥଙ୍କୁ ନେଇ ଗୁରୁ ନାନକ ‘ଗଗନ ମେଁ ଥାଲ୍‍’ ନାମରେ ଗୋଟିଏ ଭଜନ ଲେଖିଛନ୍ତି । ତାହା ଯେପରି ପ୍ରସିଦ୍ଧ, ଜଗନ୍ନାଥଙ୍କୁ ନେଇ କବିର ଲେଖିଥିବା ଭଜନ ‘ଠାକୁର ଭଲେ ବିରାଜୋ ଜି’ ସେପରି ପ୍ରସିଦ୍ଧ । କିନ୍ତୁ କବିରଙ୍କ ଭଜନରେ ପୁରୀ, ଓଡ଼ିଶା ଓ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅନେକ କଥା କୁହାଯାଇଛି । ତାହାର ପ୍ରଥମ ପଦ (ଘୋଷା)ରେ, ପୁରୀ ହିଁ ଜଗନ୍ନାଥଙ୍କର ବିଜେସ୍ଥଳୀ ଏବଂ ଓଡ଼ିଶାର ଏହି ବିଜେସ୍ଥଳୀ ତାଙ୍କ ନାମରେ ‘ଜଗନ୍ନାଥ ପୁରୀ’ ଭାବରେ ପ୍ରସିଦ୍ଧ ବୋଲି ସୂଚିତ ହୋଇଛି । ତାଙ୍କୁ ମଧ୍ୟ ‘ବଲଭଦ୍ର ଜି କେ ଭୟା’ (ବଡ଼ ଠାକୁର ବଳଭଦ୍ରଙ୍କ ଭାଇ) ଓ ‘ସୁଭଦ୍ରା ଜି କେ ଭୟା’ (ଦେବୀ ସୁଭଦ୍ରାଙ୍କ ଭାଇ) ବୋଲି କୁହାଯାଇଛି ।

ଏହି ଭଜନର ପରବର୍ତ୍ତୀ ଦୁଇ ଧାଡ଼ି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିରେ ସନ୍ଥ କବିର କହିଛନ୍ତି-
“କବ୍‍ସେ ଛୋଡ଼ୀ ମଥୁରା ନଗରୀ କବ୍‍ ସେ ଛୋଡ଼ୀ କାଶୀ ।
ଝାଡ଼ଖଣ୍ଡ ମେଁ ଆୟେ ବିରାଜେ ବ୍ରିନ୍ଦାବନକେ ବାସୀ ।।”

ଏହାର ତାତ୍ପର୍ଯ୍ୟ ହେଉଛି- ଦିନେ ମଥୁରା ନଗରୀ ଥିଲା ବୈଷ୍ଣବଧର୍ମର ପ୍ରସିଦ୍ଧ କ୍ଷେତ୍ର । ପରେ କାଶୀ ପ୍ରସିଦ୍ଧ ହେଲା । ମୁଖ୍ୟତଃ ଶୈବ କ୍ଷେତ୍ର ହେଲେ ହେଁ ବିଷ୍ଣୁଙ୍କର ପ୍ରାଧାନ୍ୟ କାଶୀରେ ଥିଲା । କିନ୍ତୁ ପରବର୍ତ୍ତୀ କାଳରେ ବୃନ୍ଦାବନବାସୀ କୃଷ୍ଣ ଆସି ‘ଝାଡ଼ଖଣ୍ଡ’ର ନିବାସୀ ହେଲେ । ଓଡ଼ିଶାର ‘ଜଗନ୍ନାଥ ପୁରୀ’ ହେଲା ତାଙ୍କର କ୍ଷେତ୍ର ।

କବିରଙ୍କର ଏହି ଭଜନର ‘ଝାଡ଼ଖଣ୍ଡ’ ମନରେ କିଞ୍ଚିତ୍‍ ସଂଶୟ ଜାତ କରେ । କାରଣ ‘ଝାଡ଼ଖଣ୍ଡ’ ପ୍ରମୁଖ ତୀର୍ଥ କ୍ଷେତ୍ର ଭାବରେ ବିଶେଷ ମାନ୍ୟତା ପାଇନାହିଁ । ଏ ସଂପର୍କରେ ଅନୁଧ୍ୟାନରୁ ଜଣାଯାଏ ଯେ ବହୁ ପ୍ରାଚୀନ କାଳରେ ଭାରତର ଏକ ବିଶାଳ ଭୂଖଣ୍ଡ ‘ଝାଡ଼ଖଣ୍ଡ’ ଭାବରେ ପରିଚିତ ଥିଲା । ତାହା ଥିଲା ଗଙ୍ଗାନଦୀର ଦକ୍ଷିଣବର୍ତ୍ତୀ ଭୂଖଣ୍ଡ ଏବଂ ଗୟାଠାରୁ ମହେନ୍ଦ୍ରଗିରି ପର୍ଯ୍ୟନ୍ତ ବିସ୍ତୁତ ଗିରି ଓ ଅରଣ୍ୟାଞ୍ଚଳ । ମଥୁରା ଓ କାଶୀ ପରେ, ସେହି ଅଞ୍ଚଳରେ ବୃନ୍ଦାବନବାସୀ କୃଷ୍ଣ ଜଗନ୍ନାଥ ନାମରେ ଅବସ୍ଥାନ କଲେ । ଓଡ଼ିଶାର ଏହି ଅଞ୍ଚଳ ‘ଜଗନ୍ନାଥ ପୁରୀ’ ଭାବରେ ପରିଚିତ ହେଲା ।

କବିରଙ୍କର ଏହି ଜଗନ୍ନାଥ ଭଜନର ଶେଷ ଦୁଇପଦରେ ମଧ୍ୟ ଭକ୍ତି ଓ ଇତିହାସର ମିଶ୍ର ରୂପ ଆମେ ଦେଖୁ । ସେଥିରେ କବିର ଦାସ କହିଛନ୍ତି- “ନୀଲଚକ୍ର ପର ଧ୍ୱଜା ବିରାଜୈ ମସ୍ତକେ ଶୋହେ ହୀରା / ଠାକୁର୍‍ ଆଗେ ଦାସୀ ନାଚୈ ଗାବୈ ଦାସ କବିରା ।”

ଏହା ଆମକୁ ଯେଉଁ ଚିତ୍ର ଦିଏ, ସେଥିରେ ଆମେ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଉଡ଼ୁଥିବା ପତିତପାବନ ବାନାକୁ ଯେପରି ଦେଖୁ, ସେପରି ମଧ୍ୟ ଠାକୁରଙ୍କର ବଡ଼ସିଂହାର ବେଳେ ରତ୍ନସିଂହାସନ ଆଗରେ ଦେବଦାସୀ ନୃତ୍ୟ କରୁଥିବାର ଦେଖୁ ।

ଏହିପରି ଏକ ଶାନ୍ତ ଓ ପବିତ୍ର ପରିବେଶରେ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଜଗନ୍ନାଥ ଭଲରେ ବିରାଜିତ ଥାଇ ଆମ ସମସ୍ତଙ୍କର ମଙ୍ଗଳ କରନ୍ତି । ତେଣୁ ଭକ୍ତ ସନ୍ଥ କବିରଙ୍କ ପରି ଆବେଗଭରା ସ୍ୱରରେ ଗାଇଥାଏ, “ଠାକୁର୍‍ ଭଲେ ବିରୋଜା ଜି!”

ସମ୍ବନ୍ଧିତ ଖବର