ଆନନ୍ଦପୁର/ହାଟଡିହି: ପେସାରେ ଶିକ୍ଷକ, ନିଶା କିନ୍ତୁ ପରିବେଶ ସୁରକ୍ଷା। ୩୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସେ ଗଛ ଲଗାଇ ଚାଲିଛନ୍ତି। ଫଳସ୍ବରୂପ ଆଜି ନଣ୍ଡା ପାହାଡ଼ ସବୁଜିମାରେ ଭରିଯାଇଛି। ଏହି ପରିବେଶପ୍ରେମୀ ଶିକ୍ଷକ ହେଲେ ଘସିପୁରା ବ୍ଲକ ଖାଳିଆମେଣ୍ଟା ଗ୍ରାମର ଯୁବରାଜ ଜେନା। ଶିକ୍ଷକତା ସହ ନିଜ ହାତରେ ସୃଷ୍ଟି କରିଛନ୍ତି ୧୦ ବର୍ଗ କିଲୋମିଟର ଅଞ୍ଚଳରେ ସବୁଜ ବନାନୀ।
ଦିନେ ଟାଙ୍ଗରା ଥିବା ଏହି ଭୂଇଁରେ ସୃଷ୍ଟ ଜଙ୍ଗଲରେ ଏବେ ବାର୍ହା, ହରିଣ, କୁଟାରି, ଝିଙ୍କ, ଭାଲୁ, ମୟୂର ଆଦି ବନ୍ୟଜନ୍ତୁ ବାସ କରୁଛନ୍ତି। କୌଣସି ସରକାରୀ ସହାୟତା ବିନା ନିଜ ଖର୍ଚ୍ଚରେ ନଣ୍ତାପାହାଡ଼, ପତିତ ଜମିରେ ବ୍ୟାପକ ବୃକ୍ଷରୋପଣ କରିଛନ୍ତି। ପ୍ରଥମେ ନିଜ ଗାଁର ଶାଳ ଜଙ୍ଗଲକୁ ସୁରକ୍ଷା ଦେବାକୁ ଘୋଡ଼ାରେ ବସି ଜଙ୍ଗଲ ଚତୁଃପାର୍ଶ୍ବରେ ପହରା ଦେଉଥିଲେ। ଶିକ୍ଷକତାରୁ ଟିକେ ଫୁରୁସତ ମିଳିଲେ ନୂତନ ଚାରା ରୋପଣ କରି ଯତ୍ନ ନେଇଥାନ୍ତି। ତାଙ୍କରି ଉଦ୍ୟମରେ ୧୯୯୦ ମସିହାରୁ ସେ ଖାଳିଆମେଣ୍ଟା, ଭଣ୍ଡାରିଡିହା ଓ ଗୋହିରା ପଞ୍ଚାୟତରେ ଥିବା ବିଭିନ୍ନ ନଣ୍ଡାପାହାଡ଼, ପତିତ ଜମି, ରାସ୍ତାକଡ଼ରେ ଗଛ ଲଗାଇବା ଆରମ୍ଭ କରିଥିଲେ। ପ୍ରଥମେ ସେ ଗୋରୁଗାଈ ଜବତ କରି ବାଡ଼ ପାଇଁ ଜଙ୍ଗଲ କାଟିବା ବନ୍ଦ କରିଥିଲେ। ଜାଳେଣି ପାଇଁ ଗଛମୂଳ ତାଡ଼ିବା ବନ୍ଦ କରିଥିଲେ। ପୋଡୁଚାଷ ବନ୍ଦ କରିବା ସହ ଶାଳ ଦାନ୍ତକାଠି ବ୍ୟବହାର ବନ୍ଦ କରିଥିଲେ। ଚୁଲି ମୁହଁରୁ ଜଙ୍ଗଲକୁ ବଞ୍ଚାଇବା ପାଇଁ ପାରମ୍ପରିକ ଚୁଲା ବଦଳରେ ମାଟିରେ ତିଆରି ସ୍ବଳ୍ପ ଜାଳେଣି ଚୁଲାର ପ୍ରଚଳନ କଲେ।
ଜଙ୍ଗଲ ଉପରେ ନିର୍ଭର କରୁଥିବା ୩୫ଖଣ୍ଡ ଗାଁର ଲୋକମାନଙ୍କୁ ଜାଳକାଠ, ଘର ଛାଇବା ଓ ଗୃହୋପକରଣ ପାଇଁ ଆତ୍ମନିର୍ଭରଶୀଳ ହେବାକୁ ଆକାଶିଆ, କଳା ଚାକୁଣ୍ଡା, ବାଉଁଶ, ଶାଗୁଆନ୍ ଚାରା ମାଗଣାରେ ବଣ୍ଟନ କରିଥିଲେ। ଏଥିସହ ଜଙ୍ଗଲରେ ନିଆଁ ନଲଗାଇବା, ବନ୍ୟଜନ୍ତୁ ଶିକାର ନକରିବା, ଗଛ ଲଗାଇ ପରିବାର ଜଙ୍ଗଲ ସୃଷ୍ଟି କରିବା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ରାଲି, ସଭାସମିତି, ପ୍ରଚାରପତ୍ର ବଣ୍ଟନ କରିଥିଲେ। ଫଳରେ ଆଜି ୩ଟି ପଞ୍ଚାୟତରେ ବ୍ୟାପକ ସବୁଜ ବନାନୀ ସୃଷ୍ଟି ହୋଇଛି। ପରେ ସାଇଁକୁଳ ଅଞ୍ଚଳର ନଣ୍ତା ପାହାଡ଼, ପତିତ ଜମି ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବୃକ୍ଷରୋପଣ କରିଥିଲେ। ଗଛର ସୁରକ୍ଷା ପାଇଁ ପଥପ୍ରାନ୍ତ ସଭା, ଜନଗହଳି ସ୍ଥାନରେ ସଚେତନତାର ଚିତ୍ର ଆଙ୍କି ବୃକ୍ଷପ୍ରେମରେ ନିଜକୁ ସମର୍ପିତ କରିଛନ୍ତି। ବର୍ଷେ ତଳେ ଚାକିରିରୁ ଅବସର ଗ୍ରହଣ କରିବା ପରେ ନିଜକୁ ସଂପୂର୍ଣ୍ଣ ଭାବେ ପରିବେଶ ସୁରକ୍ଷାରେ ନିୟୋଜିତ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/L8IQyt3WK36k3FWd3NQM.jpg)