ଏବେ ବି ଆବିଷ୍କାର ହୋଇନାହିଁ ୯୦୦୦ ପ୍ରଜାତିର ଗଛ; କିନ୍ତୁ, ସେସବୁ ଧ୍ବଂସ ମୁଖରେ

ପୃଥିବୀରେ ଆହୁରି ୯୨୦୦ ପ୍ରକାର ବୃକ୍ଷ ପ୍ରଜାତି ଏଯାବତ୍‌ ଆବିଷ୍କାର ହୋଇ ନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ସମଗ୍ର ବିଶ୍ବରେ ଥିବା ଜଣା ଅଜଣା ବୃକ୍ଷ ପ୍ରଜାତି ପ୍ରାୟ ୭୩,୦୦୦ ହେବ ବୋଲି ଆକଳନ କରାଯାଇଛି।

ସେଥିରୁ ଦକ୍ଷିଣ ଆମେରିକାରେ ୪୩%, ୟୁରେସିଆରେ ୨୨%, ଆଫ୍ରିକାରେ ୧୬%, ଉତ୍ତର ଆମେରିକାରେ ୧୫% ଏବଂ ଓସିଆନାରେ ୧୧% ବୃକ୍ଷ ପ୍ରଜାତି ଥିବା କଥା ଉକ୍ତ ଅଧ୍ୟୟନରେ ଉଲ୍ଲେଖ ଅଛି।

୨୦୧୭ରେ ‌ହୋଇଥିବା ଅଧ୍ୟୟନରେ ଆକଳନ କରାଯାଇଥିଲା ଯେ, ପୃଥିବୀରେ ୬୦,୦୬୫ ପ୍ରଜାତିର ଗଛବୃଚ୍ଛ ରହିଛି। ଏଥିରୁ ଅଧିକାଂଶ ବୃକ୍ଷ ପ୍ରଜାତି ରହିଛି ବ୍ରାଜିଲ୍‌, କଲମ୍ବିଆ ଏବଂ ଇଣ୍ଡୋନେସିଆରେ।

‘ଏଯାବତ୍‌ କେତେ ପ୍ରଜାତିର ବୃକ୍ଷ ଆବିଷ୍କାର କରାଯାଇ ନାହିଁ’- ତାହା ଆକଳନ କରିବା ନିମନ୍ତେ ଏବକାର ଅଧ୍ୟୟନ କରାଯାଇଥିଲା। ପୂର୍ବରୁ କେବେ ହୋଇ ନ ଥିବା ଏଭଳି ଅଧ୍ୟୟନରେ ସମଗ୍ର ବିଶ୍ବର ୧୫୦ଜଣ ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ୟୁନିଭର୍ସିଟି ଅଫ୍‌ ମିଚିଗାନ୍‌ର ଫରେଷ୍ଟ୍‌ ଇକୋଲୋଜିଷ୍ଟ୍‌ ପିଟର୍‌ ରିଚ୍।

‘ଦି ଗ୍ଲୋବାଲ୍‌ ଟ୍ରି ଆସେସ୍‌ମେଣ୍ଟ୍‌ ରିପୋର୍ଟ’ ଅନୁସାରେ, ଜଙ୍ଗଲ ନଷ୍ଟ, ଦ୍ରୁତ ବେଗ‌ରେ ବ୍ୟାପୁଥିବା କୀଟ, ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ‌ଯୋଗୁଁ ବୃକ୍ଷ ପ୍ରଜାତି ବିପଦରେ ପଡୁଛନ୍ତି। ପ୍ରାୟ ୩୦% ବୃକ୍ଷ ପ୍ରଜାତି ବିଲୟ ଆଡ଼କୁ ଗତି କରୁଛନ୍ତି ଏବଂ ଅନ୍ୟୂନ ୧୪୨ କିସମର ବୃକ୍ଷ ପ୍ରଜାତି ବିଲୁପ୍ତ ହୋଇ ସାରିଛନ୍ତି।

କିନ୍ତୁ, ଏହି ଅଧ୍ୟୟନରେ ଅଂଶ ଗ୍ରହଣ କରି ନ ଥିବା ଲାଭରହିତ ସଂଗଠନ ‘ନେଚର୍‌ କଞ୍ଜର୍‌ଭେସନ୍‌ ଫାଉଣ୍ଡେସନ୍‌’ର ବନ୍ୟପ୍ରାଣୀ ବୈଜ୍ଞାନିକ ଟି.ଆର୍‌. ଶଙ୍କର ରମଣ କହନ୍ତି, ସମଗ୍ର ବିଶ୍ବରେ ବିଶେଷକରି, ବିଷୁବମଣ୍ଡଳୀୟ ଆର୍ଦ୍ର ଏବଂ ଶୁଷ୍କ ଅରଣ୍ୟରେ ୯୦୦୦ ପ୍ରଜାତିର ବୃକ୍ଷ ଆବିଷ୍କାର ହୋଇ ନାହିଁ ବୋଲି ସେମାନେ କରିଥିବା ଆକଳନ ଦରକାରୀ ହେଲେ ବି ଆଶ୍ଚର୍ଯ୍ୟଜନକ ନୁହେଁ। ଜୀବବିଜ୍ଞାନୀମାନେ ଏବେ ମଧ୍ୟ ସେହି ସବୁ ଅଞ୍ଚଳରେ ନୂଆ ପ୍ରଜାତିର ବୃକ୍ଷ କଥା ବର୍ଣ୍ଣନା କରୁଛନ୍ତି। ଗ୍ରୀଷ୍ମମଣ୍ଡଳୀୟ ଅରଣ୍ୟଗୁଡ଼ିକୁ ଏବେ ମଧ୍ୟ ଭଲଭାବେ ସର୍ବେକ୍ଷଣ କରାଯାଇନାହିଁ।

Image Courtesy of Finnoexpert

ଏହା ବ୍ୟତିରେକେ, ବଡ଼ ବଡ଼ ବିକାଶମୂଳକ ପ୍ରକଳ୍ପ ଯୋଗୁଁ ମଧ୍ୟ ଏହି ଅରଣ୍ୟାଞ୍ଚଳ ପ୍ରଭାବିତ ହେଉଛି। ଏଭଳି କିଛି ପ୍ରକଳ୍ପ ପାଇଁ ଭାରତ ମଧ୍ୟ ଯୋଜନା କରିଛି। ଦୃଷ୍ଟାନ୍ତ ସ୍ବରୂପ ଆଦିମ ବିଷୁବ ମଣ୍ଡଳୀୟ ଦ୍ବୀପ ଆଣ୍ଡାମାନ ଓ ନିକୋବର ଦ୍ବୀପର ୧୬,୬୧୦ ହେକ୍ଟର୍‌ ଅଞ୍ଚଳରେ ଗୋଟିଏ ବନ୍ଦର, ବିମାନ ବନ୍ଦର, ଟାଉନ୍‌ସିପ୍‌ ଏବଂ ପାୱାର୍‌ ପ୍ଲାଣ୍ଟ୍‌ ପାଇଁ ସରକାର ଯୋଜନା କରିଛନ୍ତି। ଏହାଦ୍ବାରା ଗ୍ରେଟ୍‌ ନିକୋବରର ୧୦୩,୮୭୦ ହେକ୍ଟର୍‌ ଅଞ୍ଚଳରେ ଥିବା ଗ୍ରୀଷ୍ମ ମଣ୍ଡଳୀୟ ଚିର ଶ୍ୟାମଳ ‘ଇକୋସିଷ୍ଟମ୍‌’ ପ୍ରଭାବିତ ହେବ।

ସେହିପରି, ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ବଡ଼ ଜଳଭଣ୍ଡାର ପ୍ରକଳ୍ପ ଓ ଛତିଶଗଡ଼ ଅରଣ୍ୟ ହାସ‌ଦେଓ ଆରନ୍ଦରେ ଖଣି ଖୋଦନ ଯୋଗୁଁ ମୂଲ୍ୟବାନ ଅରଣ୍ୟ ଧ୍ବଂସାଭିମୁଖୀ ହେବ। କିନ୍ତୁ, ଏପର୍ଯ୍ୟନ୍ତରେ ଉକ୍ତ ଅରଣ୍ୟାଞ୍ଚଳରେ ଥିବା ବୃକ୍ଷ ପ୍ରଜାତି ଏବଂ ଅନ୍ୟାନ୍ୟ ଜୈବ ବିବିଧତାର ‘ଡକ୍ୟୁମେଣ୍ଟେସନ୍‌’ ହୋଇନାହିଁ।

ରମଣଙ୍କ କହିବା ଅନୁସାରେ, ଭାରତରେ ପ୍ରାୟ ୨୦୦୦ରୁ ୨୬୦୦୦ ବୃକ୍ଷ ପ୍ରଜାତି ରହିଛି। ଅଧ୍ୟୟନ କରାଗଲେ ଭାରତରେ ମଧ୍ୟ ଏଯାବତ୍‌ ଆବିଷ୍କୃତ ହୋଇ ନ ଥିବା ବୃକ୍ଷ ପ୍ରଜାତି ବାହାରିବ। କିନ୍ତୁ, ତଥ୍ୟ ସେୟାର୍‌ ହୋଇ ପାରୁ ନ ଥିବାରୁ ଦେଶରେ ଥିବା ଅନାବିଷ୍କୃତ ବୃକ୍ଷ ପ୍ରଜାତି ସମ୍ପର୍କରେ ଜାଣିବା ସମ୍ଭବପର ହେଉନାହିଁ। କିନ୍ତୁ, ଏଥିରେ ‘ସିଟିଜେନ୍‌ ସାଇନ୍‌ସ୍‌’ (ସାଧାରଣ ବ୍ୟକ୍ତିଙ୍କ ଉଦ୍ଭିଦ ଜ୍ଞାନ) ସହାୟକ ହେବ।

ଆମେରିକାରେ ଥିବା ‘ଟ୍ରିସ୍ନାପିଜ୍‌’ ନାମକ ‘ସିଟିଜେନ୍‌ ସାଇନ୍‌ସ୍‌ ଆପ୍‌’ ବୃକ୍ଷପ୍ରେମୀମାନଙ୍କୁ ଅରଣ୍ୟବିତ୍‌ଙ୍କ ସହ ଯୋଗସୂତ୍ର ସ୍ଥାପନ କରିବାରେ ସହାୟକ ହେଉଛି। ସେହିପରି ଭାରତରେ ‘ଇଣ୍ଡିଆନ୍‌ ବାୟୋଡାଇଭର୍ସିଟି ପୋର୍ଟାଲ୍‌’ ଏବଂ ‘ଆଇନେଚୁରାଲିଷ୍ଟ୍‌’ ଭଳି ‘ସିଟିଜେନ୍‌ ସାଇନ୍‌ସ୍’ ବୃକ୍ଷ ପ୍ରଜାତି ମ୍ୟାପ୍‌ ପ୍ରସ୍ତୁତ କରିବାରେ ସହାୟକ ହେଉଛି।

ସମ୍ବନ୍ଧିତ ଖବର