ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା ଆଜି ଶେଷ ହୋଇଛି। ବାହାର ରତ୍ନଭଣ୍ଡାରରେ ଥିବା ଗୋଟିଏ ଲୁହା ସିନ୍ଦୁକ, ଭିତର ରତ୍ନଭଣ୍ଡାରରେ ଥିବା ୨ଟି କାଠ ଆଲମିରା, ଗୋଟିଏ ଲୁହା ଆଲମିରା, ୨ଟି କାଠ ସିନ୍ଦୁକକୁ ମିଶାଇ ମୋଟ ୭ଟି ଆଲମିରା ଓ ସିନ୍ଦୁକକୁ ଆଜି ଶ୍ରୀମନ୍ଦିର ପଶ୍ଚିମଦ୍ବାର ପାର୍ଶ୍ବ ନୀଳାଦ୍ରି ମ୍ୟୁଜିୟମ୍ ନିକଟ ଗୃହକୁ ସ୍ଥାନାନ୍ତର କରାଯାଇଛି। କାଠ ଆଲମିରା ଓ ସିନ୍ଦୁକ ପୋକ ଖାଇ ନଷ୍ଟ ହୋଇଯାଇଛି। ସିନ୍ଦୁକ ବାହାରିବାରେ ଅସୁବିଧା ହେବାରୁ ବାହାର ଭଣ୍ଡାରଘର କାଠ ଦ୍ବାର କଟାଯାଇଛି। ପରେ ଏହାକୁ ମରାମତି କରାଯାଇଛି। ମାର୍ଗଦର୍ଶିକା ଆଧାରରେ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଓ ଆବଶ୍ୟକ ମରାମତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କହିଛନ୍ତି। ସେପଟେ ରତ୍ନଭଣ୍ଡାର ଅଳଙ୍କାର ଗଣତି, ମଣତିରେ ବିଳମ୍ବ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ ଓ ସେବାୟତ। ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ନାଁରେ ଖାଲି ସମୟ ଗଡ଼ାଯାଉଛି। ଏହା ଭିତରେ କେବଳ ରତ୍ନଭଣ୍ଡାର ଅଳଙ୍କାର ସହ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରରେ ଦେଢ଼ମାସ ବିତିଗଲାଣି। ଏଣୁ କେବେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଓ ମରାମତି ଶେଷ ହେବ, କେବେଠୁ ଅଳଙ୍କାର ଗଣତି ଓ ମଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ଆଜି ଠାକୁରଙ୍କ ଦ୍ବାରଫିଟା ନୀତି ସଂପନ୍ନ ହୋଇଥିଲା। ଅପରାହ୍ଣ ୧ଟାରେ ସର୍ବସାଧାରଣ ଦର୍ଶନ ବନ୍ଦ ପରେ ଗଠିତ ୧୨ଜଣିଆ କମିଟି ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ତାଲାରୁ ଜଉମୁଦ ଖୋଲି ଭିତରେ ପ୍ରବେଶ କରିଥିଲେ। ପରେ ବେହରଣ ଦ୍ବାର ଦେଇ ନିୟୋଜିତ କୋଠ ସୁଆଁସିଆ ଓ ଅନ୍ୟମାନଙ୍କ ଜରିଆରେ ଖାଲି ସିନ୍ଦୁକ ଓ ଆଲମିରାକୁ ନୀଳାଦ୍ରି ମ୍ୟୁଜିୟମ ନିକଟ ଘରକୁ ସ୍ଥାନାନ୍ତର କରାଯାଇଥିଲା। ଅପରାହ୍ଣ ୪ଟା ୫୦ରେ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ପାଢ଼ୀ କହିଛନ୍ତି, ଆଜି ମାର୍ଗଦର୍ଶିକା ଆଧାରରେ ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି। ସଫା ପରେ ଯେଉଁ ଧୂଳିବାଲି ବାହାରିଥିଲା, ତାକୁ ବି ଜରିରେ ଭର୍ତ୍ତି କରି ନୀଳାଦ୍ରି ମ୍ୟୁଜିୟମ ନିକଟ କୋଠରିରେ ରଖାଯାଇଛି। ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ନୀଳାଦ୍ରି ମ୍ୟୁଜିୟମରେ ଭିତର ଓ ବାହାର ଭଣ୍ଡାରର ଆଲମିରା, ସିନ୍ଦୁକ ଅଲଗା ଅଲଗା ରଖିବା ପାଇଁ ଭିନ୍ନ ଭିନ୍ନ କୋଠରି ପ୍ରସ୍ତୁତ ହୋଇଥିଲା, ସେହି ଅନୁଯାୟୀ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି। ଏହା ପରେ ପୁନର୍ବାର ବାହାର ଓ ଭିତର ରତ୍ନଭଣ୍ଡାରକୁ ଜଉମୁଦ ଦେଇ ସିଲ୍ କରାଯାଇଛି। ଏହା ପରେ ଆମ କାମ ହେଉଛି, ରତ୍ନଭଣ୍ଡାରର ଲେଜର ସ୍କାନିଂ, ଜିପିଆର୍ଏସ୍ ସର୍ଭେ ଆଦି କାମ; ପରେ ମରାମତି। ଏ ସଂପର୍କରେ ଆଜି ଆମେ ଏଏସ୍ଆଇ ଡିଜିଙ୍କୁ ଚିଠି କରିବୁ। ସ୍ଥିତି ଅନୁଧ୍ୟାନ ଓ ମରାମତି ପରେ ଅଳଙ୍କାର ପୁଣି ଭିତର ଓ ବାହାର ଭଣ୍ଡାରକୁ ସ୍ଥାନାନ୍ତର ହେବ। ଏହା ପରେ ଗଣତି ଓ ମଣତି ଆରମ୍ଭ ହେବ ବୋଲି ଡ. ପାଢ଼ୀ କହିଛନ୍ତି।
ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ରାଜ୍ୟ ସରକାର କହିଥିଲେ ଆଇଆଇଟି ଅବା କୌଣସି ସରକାରୀ ସ୍ବୀକୃତିପ୍ରାପ୍ତ ସଂସ୍ଥା ଜରିଆରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବେ। କୌଣସି ସୁଡ଼ଙ୍ଗ ଅବା ରହସ୍ୟମୟ ଭଣ୍ଡାର ଅଛି ବୋଲି ଭକ୍ତଙ୍କର ସନ୍ଦେହ ରହିଛି। ଏହି ଅନୁଧ୍ୟାନ ପରେ ସେ ସନ୍ଦେହର ଅନ୍ତ ଘଟିବ। ଆଜି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ପରେ ଆମେ ସେଭଳି ସୁଡ଼ଙ୍ଗ କି ଗୁପ୍ତ କୋଠରି ସ୍ବଚକ୍ଷୁରେ ଦେଖିବାକୁ ପାଇନୁ ବୋଲି ଜଷ୍ଟିସ ରଥ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/r8CCkoumRwKEzarSo7rC.jpg)