ବାଂଲାଦେଶ ଗଢ଼ିବ ବୃହତ୍ତମ ଶରଣାର୍ଥୀ ଶିବିର, ୮ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମିଳିବ ଆଶ୍ରୟ

ଯୋଜନା ବିପଜ୍ଜନକ ବୋଲି ଜାତିସଂଘର ଅସନ୍ତୋଷ

କୋକ୍ସ ବଜାର(ବାଂଲାଦେଶ),: ମିଆଁମାରରେ ହିଂସାର ଶିକାର ହୋଇ ଦେଶ ଛାଡ଼ିଥିବା ରୋହିଙ୍ଗ୍ୟା ସୁସ୍‌ଲିମ୍‌ଙ୍କ ଥଇଥାନ ପାଇଁ ବାଂଲାଦେଶ ସରକାର ବିଶ୍ୱର ବୃହତ୍ତମ ଶରଣାର୍ଥୀ ଶିବିର ଗଢ଼ିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ୮ ଲକ୍ଷରୁ ଅଧିକ ଶରଣାର୍ଥୀଙ୍କୁ ଆଶ୍ରୟ ମିଳିପାରିବ ବୋଲି ଆକଳନ କରାଯାଇଛି। ଅପରପକ୍ଷେ, ଏପରି ବିରାଟ ଶରଣାର୍ଥୀ ଶିବିର ଦୁଃସାଧ୍ୟ ରୋଗ ସଂକ୍ରମଣର କାରଣ ପାଲଟି ଭବିଷ୍ୟତରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ ବୋଲି ଜାତିସଂଘର ଜଣେ ପ୍ରମୁଖ କର୍ମକର୍ତ୍ତା ସତର୍କ କରାଇଦେଇଛନ୍ତି।
ବାଂଲାଦେଶର ଦୁର୍ବିପାକ ପରିଚାଳନା ଓ ପ୍ରଶମନ ମନ୍ତ୍ରୀ ମୋଫାଜଲ୍‌ ହୋସେନ୍‌ ଚୌଧୁରି ମାୟାଙ୍କ କହିବା ଅନୁସାରେ, ଗତ ଅଗଷ୍ଟ ୨୫ ପରଠାରୁ ବୌଦ୍ଧଧର୍ମୀ ବହୁଳ ମିଆଁମାରରେ ନିର୍ଯାତନା ଆଶଙ୍କାରେ ପ୍ରାୟ ୫ ଲକ୍ଷ ରୋହିଙ୍ଗ୍ୟା ମୁସ୍‌ଲିମ୍‌ ବାଂଲାଦେଶକୁ ପଶି ଆସିଛନ୍ତି। ଏପରିକି ସପ୍ତାହେ ହେଲା ପ୍ରତ୍ୟହ ୪,୦୦୦ରୁ ୫,୦୦୦ ଯାଏଁ ରୋହିଙ୍ଗ୍ୟା ଏଠାରେ ପହଞ୍ଚିଥିବା ବେଳେ ସେପଟେ ଆହୁରି ୧୦,୦୦୦ ଜଣ ମଧ୍ୟ ଆସିବା ଅପେକ୍ଷାରେ ରହିଛନ୍ତି। ତେଣୁ ଏତେ ସଂଖ୍ୟକ ଶରଣାର୍ଥୀଙ୍କୁ ଥଇଥାନ କରିବା ପାଇଁ ସୀମାନ୍ତ କୋକ୍ସ ସହର ସନ୍ନିକଟ କୁତୁପାଲଂ ଠାରେ ରହିଥିବା ଶିବିରର ସମ୍ପ୍ରସାରଣ ଯୋଜନା କରାଯାଇଛି। ସେଠାରେ ପ୍ରଥମେ ୭୯୦ ହେକ୍ଟର ପରିମିତ ଜାଗାରେ ସେମାନଙ୍କ ପାଇଁ ଆଶ୍ରୟ ଶିବିର କରାଯାଇଥିଲା। ତେବେ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ପୁଣି ୪୦୪ ହେକ୍ଟର ଜାଗାରେ ଶିବିର ଗଢ଼ାଯାଉଛି। ଏବେ ଦେଶର ବିଭିନ୍ନ ଜାଗାରେ ବିକ୍ଷିପ୍ତ ଭାବରେ ରହିଥିବା ରୋହିଙ୍ଗ୍ୟାମାନଙ୍କୁ ଏହି ବୃହତ୍‌ ଶିବିରକୁ ଅଣାଯିବ ବୋଲି ସୋଫାଜଲ୍‌ କହିଛନ୍ତି।
ଶରଣାର୍ଥୀଙ୍କ ପ୍ରତି ବାଂଲାଦେଶର ଏପରି ଉଦାର ମନୋଭାବକୁ ଜାତିସଂଘ ଖୁବ୍‌ ପ୍ରଶଂସା କରିଛି। ତେବେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଆଗନ୍ତୁକ ଠୁଣ ହେବା ଘଟଣାରେ ଢାକା ସ୍ଥିତ ଜାତିସଂଘ ସଂଯୋଜକ ରବର୍ଟ ଓ୍ଵାଟ୍‌କିନ୍‌ସ ଅସନ୍ତୋଷ ବ୍ୟକ୍ତ କରିବା ସହ ଆପତ୍ତି ଉଠାଇଛନ୍ତି। ଏହାଦ୍ୱାରା ଅଚିରେ ମାରାତ୍ମକ ରୋଗର ସଂକ୍ରମଣକୁ ସେଠାରେ ଆହ୍ଵାନ କରାଯାଉଛି ବୋଲି ସେ କହିଛନ୍ତି। ଏପରିକି ଅସ୍ଥାୟୀ ଶିବିରଗୁଡ଼ିକରେ ଅଗ୍ନିକାଣ୍ଡର ମଧ୍ୟ ଆଶଙ୍କା ରହିଛି। ଫଳରେ ସାମାନ୍ୟତମ ଅସାବଧାନତାରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଜୀବନହାନି ଘଟିପାରେ ବୋଲି ଓ୍ଵାଟ୍‌କିନ୍‌ସ ଆଶଙ୍କା ପ୍ରକଟ କରିଛନ୍ତି। ତେଣୁ ବିକଳ୍ପ ସ୍ୱରୂପ ବାଂଲାଦେଶ ସରକାର ଗୋଟିଏ ସ୍ଥାନରେ ଏପରି ଶରଣାର୍ଥୀଙ୍କୁ ଏକାଠି ନ ରଖି ବିକ୍ଷିପ୍ତ ଭାବେ ଭିନ୍ନ ଭିନ୍ନ ସ୍ଥାନରେ ଥଇଥାନ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଶରଣାର୍ଥୀମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ବ୍ୟବସ୍ଥା ସହଜରେ ପରିଚାଳିତ ହୋଇପାରିବ ବୋଲି ଓ୍ଵାଟ୍‌କିନ୍‌ସ ଆଶା ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ବିଶ୍ୱର ବୃହତମ ଶିବିରର ମାନ୍ୟତା ରଖିଥିବା ଉଗାଣ୍ଡାର ବିଦି ବିଦି ଏବଂ କେନିୟାର ଦାଡ଼ାବ ସ୍ଥିତ ଶିବିରରେ ୩ ଲକ୍ଷ ଲେଖାଏଁ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। ଏବେ ବାଂଲାଦେଶ ୧୨୦୦ ହେକ୍ଟର ଜାଗାରେ ତାହା ଠାରୁ ଦୁଇ ଗୁଣରୁ ଅଧିକ (୮ ଲକ୍ଷ) ଶରଣାର୍ଥୀଙ୍କ ପାଇଁ ଶିବିରର ବ୍ୟବସ୍ଥା କରୁଛି।

ସମ୍ବନ୍ଧିତ ଖବର