ଖୋର୍ଦ୍ଧା/ବେଗୁନିଆ: ଚାରି ବର୍ଷ ତଳେ ଖୋର୍ଦ୍ଧା ବନାଞ୍ଚଳ ବେଗୁନିଆ ବ୍ଲକ୍‌ରେ ପଥପାର୍ଶ୍ବ ବନୀକରଣ କରାଯାଇଥିଲା। ବେଗୁନିଆ ପଞ୍ଚାୟତ ଭୀମପୁର ଛକଠାରୁ ୧୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଲାଗିଥିବା ଗଛର ଆଉ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି। ମନରେଗା ପାଣ୍ଠିରୁ ଏଠାରେ ବୃକ୍ଷରୋପଣ କରିଥିଲା ବନ ବିଭାଗ। ପ୍ରାୟ ୬ ହଜାର ଚାରା ରୋପଣ ହୋଇଥିବା ବେଳେ ସେଥିରୁ ଗୋଟିଏ ବି ଗଛ ନ ବଞ୍ଚିବା ଜିଲ୍ଲାରେ ବୃକ୍ଷରୋପଣର ନଗ୍ନ ଚିତ୍ରକୁ ପଦାରେ ପକାଇଛି।  ତଥ୍ୟ ମୁତାବକ, ଏ ଗଛ ସବୁ ଥିଲା ଅର୍ଜୁନ, ଜାମୁ, ଫାଶି, ଫଣଫଣା, ଛତିଆନା, କୃଷ୍ଣଚୂଡ଼ା, ରାଧାଚୂଡ଼ା, କରଞ୍ଜ ଆଦି ପ୍ରଜାତିର। ବନ ବିଭାଗର କହିବା ମୁତାବକ, ପ୍ରତି ଚାରି ମିଟରରେ ଗୋଟିଏ ଗଛ ଲଗାଯାଇଥିଲା। ସେହି  ହିସାବ ଧରିଲେ, ଗୋଟିଏ କିଲୋମିଟରରେ ପ୍ରାୟ ୨୫୦ ଗଛ ଲାଗିଥିଲା।

Advertisment

ବେଗୁନିଆ ପଞ୍ଚାୟତର ଭୀମପୁର ଛକଠାରୁ ଅଠାରଙ୍ଗ ରାସ୍ତାର ଦୂରତା ପ୍ରାୟ ୧୨କିଲୋମିଟର। ଦୁଇ ପାର୍ଶ୍ବର ବନୀକରଣ ହିସାବ କଲେ, ମୋଟ ୨୪ କିଲୋମିଟର ପଥପାର୍ଶ୍ବ ବନୀକରଣ ହୋଇଛି ବୋଲି ବିଭାଗ ସ୍ପଷ୍ଟ କରିଛି। ଗୋଟିଏ କିଲୋମିଟର ପିଛା ୨୫୦ଗଛ ହିସାବ କଲେ, ୨୪କିଲୋମିଟର ପଥପାର୍ଶ୍ବ ବନୀକରଣ ପାଇଁ ପ୍ରାୟ ୬ହଜାର ବୃକ୍ଷରୋପଣ କରାଯାଇଥିଲା ବୋଲି ରେକର୍ଡ କହୁଛି। ମନରେଗା ପାଣ୍ଠିରୁ ଏ ବାବଦରେ ୧୨ଲକ୍ଷ ୯୦ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୧୦ଲକ୍ଷ ୭୦ହଜାର ଟଙ୍କାରେ ବୃକ୍ଷରୋପଣ ସାମଗ୍ରୀ କିଣାଯାଇଥିବା ବେଳେ ୨ ଲକ୍ଷ ୨୦ହଜାର ଟଙ୍କା ମଜୁରି ଦିଆଯାଇଛି। ୧୨ଲକ୍ଷ ଟଙ୍କାର ବୃକ୍ଷରୋପଣରୁ ୧୨ଟି ଗଛ ବଞ୍ଚିନାହିଁ। ଭୀମପୁରଠାରୁ ଅଠାରଙ୍ଗ ରାସ୍ତାର ଦୁଇ ପାର୍ଶ୍ବକୁ ଦେଖିଲେ ତାହା ସ୍ପଷ୍ଟ ହୁଏ। ବୃକ୍ଷରୋପଣର ଏ ପ୍ରକାର ସ୍ଥିତି ପାଇଁ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଣ୍ଡା ପୂର୍ତ୍ତ ବିଭାଗକୁ ଦାୟୀ କରିଛନ୍ତି।

ସେ ଦର୍ଶାଇଛନ୍ତି, ଆମେ ରାସ୍ତାର ଦୁଇ ପାର୍ଶ୍ବରେ ଗଛ ଲଗାଇଥିଲୁ। ସୁରକ୍ଷା ପାଇଁ ଚାରିପାଖରେ ବାଡ଼ ବି ଦେଇଥିଲୁ।  ରାସ୍ତା ପ୍ରଶସ୍ତୀକରଣ ଯୋଗୁ ଗଛ ସବୁ ଉଜୁଡ଼ିଯାଇଛି। ବେଗୁନିଆ ବ୍ଲକ୍‌ରେ କେବଳ ଏହି ଗୋଟିଏ ପଥପାର୍ଶ୍ବ ବନୀକରଣ ନୁହେଁ, ଗଲା ୨୦୨୧-୨୨ ଆର୍ଥିକ ବର୍ଷରେ ୧୧ଟି ଜାଗାରେ ଅନୁରୂପ ବନୀକରଣ ହୋଇଥିଲା। ଯଦି ଏ ଗୋଟିଏ ବନୀକରଣର ଅବସ୍ଥା ଏୟା, ତେବେ ଅନ୍ୟ ୧୧ଟିର ଅବସ୍ଥା କ’ଣ ହୋଇଥିବ ତାହା ସହଜରେ ଅନୁମେୟ।