ବଲାଙ୍ଗୀର: ଶୁକ୍ରବାର ସକାଳ ପ୍ରାୟ ୬ଟା। ବଲାଙ୍ଗୀର ଏସ୍‌ପି ରିଷିକେଶ ଖିଲାରୀଙ୍କ ସରକାରୀ ଗାଡ଼ି ପହଞ୍ଚିଥିଲା ବଲାଙ୍ଗୀର ଜେଲ୍‌ ପରିସରରେ। ପଛେ ପଛେ ଜେଲକୁ ଛୁଟିଥିଲା ଏକାଧିକ ପୁଲିସ୍‌ ଗାଡ଼ି। ପରେ ଦୁଇ ପ୍ଲାଟୁନ୍‌ ଫୋର୍ସ ଓ ୯ ଜଣ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ନେଇ ଆରମ୍ଭ ହୋଇଥିଲା ପୁଲିସ୍‌ର ଆକ୍ସନ୍‌। ଜେଲ୍‌ ଭିତରେ ପ୍ରତିଟି ସେଲ୍‌ରେ ଛାନ୍‌ଭିନ୍‌ ସାଙ୍ଗକୁ ଦେଢ଼ଘଣ୍ଟା ଧରି ପୁଲିସ୍‌ର ଅତର୍କିତ ଚଢ଼ଉ ଜାରି ରହିଥିଲା। ଭିତରୁ ଜବତ ହେଲା ପୁଳା ପୁଳା ଭାଙ୍ଗ, ବିଡ଼ି, ଗଞ୍ଜେଇ, ଚିଲମ୍‌ ଓ ଲାଇଟର୍‌। ଚଢ଼ଉ ସମୟରେ ଅତିରିକ୍ତ ତହସିଲଦାର ସମ୍ପୂର୍ଣ୍ଣାନନ୍ଦ ବେଜ୍‌ ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିଲେ। ତାଙ୍କ ସହିତ ଅତିରିକ୍ତ ମାଜିଷ୍ଟ୍ରେଟ୍‌, ବଲାଙ୍ଗୀର ଏସ୍‌ଡିପିଓ, ଟାଉନ୍‌ ଥାନାଧିକାରୀ ଓ ଅନ୍ୟ ପୁଲିସ୍‌ ଅଧିକାରୀ ଉପସ୍ଥିତ ଥିଲେ। କିଛି ଦିନ ତଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜେଲ୍‌ ଭିତରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା

Advertisment

। କୁଖ୍ୟାତ ଅପରାଧୀ ବବଲୁ ମହାନନ୍ଦ, ବିଶାଲ ସୁନା ଓ ଛୋଟୁ ଖାନ୍‌ଙ୍କ ମଧ୍ୟରେ ପୂର୍ବରୁ ବିବାଦ ଥିଲା। ଏହି ଘଟଣା ପରେ ବଲାଙ୍ଗୀର ପୁଲିସ୍‌ ଜେଲ୍‌ ଭିତରେ ତଲାସୀ ଚଳାଇଥିଲା। ତେବେ ଜେଲ୍‌ ଭିତରକୁ ନିଶା ସାମଗ୍ରୀ କେମିତି ଆସିଲା, ତାହାର ଜବାବ କାହାରି ପାଖରେ ନାହିଁ। ମାମଲାର ତଦନ୍ତ ହେବ ବୋଲି ଜେଲ୍ ଅଧୀକ୍ଷକ ସର୍ବେଶ୍ୱର ସାହୁ କହିଛନ୍ତି। ବଲାଙ୍ଗୀର ଜେଲ୍ ଭିତରେ ପାର୍ସଲ ବୋମା ବି‌ସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର, ଗ୍ୟାଙ୍ଗଷ୍ଟାର୍‌ ସୁଶାନ୍ତ ଧଳସାମନ୍ତ, କୁଖ୍ୟାତ ବବଲୁ ମହାନନ୍ଦ ଭଳି ଅଭିଯୁକ୍ତ ଅଛନ୍ତି। ଏଭଳି ସ୍ଥିତିରେ ଜେଲ୍‌ ଭିତରେ ଗୋଷ୍ଠୀ ସଂଘର୍ଷ ହେବା ଏବଂ ବିପୁଳ ନିଶାଦ୍ରବ୍ୟ ଜବତ ହେବା, ଜେଲ୍ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜେଲ୍‌ ପରିସରକୁ ନିଶା ଦ୍ରବ୍ୟ ଅନାୟସରେ ପଶିବା ସ୍ଥିତିକୁ ସାଂଘାତିକ କରି ଦେଇଛି।