ମୃତ୍ୟୁଦଣ୍ଡ ପାଇଁ ଫାଶୀଦଣ୍ଡଠାରୁ ଭଲ ବିକଳ୍ପ ନାହିଁ

ଅପରାଧୀକୁ ମୃତ୍ୟୁଦଣ୍ଡ ଦେବାଲାଗି ତାକୁ ଫାଶୀ ଦେବାର ପ୍ରଥା ପ୍ରାଚୀନକାଳରୁ ରହି ଆସିଛି। ଅନେକ ଦେଶରେ ଏହାକୁ ବନ୍ଦକରି ଅନ୍ୟବାଟରେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରାଯାଉଥିବା ବେଳେ ଭାରତରେ କିନ୍ତୁ ତାହା ଏଯାଏ ଜାରି ରହିଛି। ତେବେ ଫାଶୀ ଭଳି ଏକ ତୀବ୍ର କଷ୍ଟଦାୟକ ଓ ଅମାନବୀୟ ବ୍ୟବସ୍ଥା ବଦଳରେ ଅନ୍ୟ ବାଟରେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ବର୍ତ୍ତମାନ ଚିନ୍ତା କରା ଯାଉଛି। ଏହି ସ୍ଥିତିରେ ଫାଶୀଦଣ୍ଡର ବିକଳ୍ପ ନାହିଁ ବୋଲି ଭାବୁଥିବା ଅନେକ ବ୍ୟକ୍ତି ଏବେବି ଅଛନ୍ତି, କିନ୍ତୁ ଏହାକୁ ବିରୋଧ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ।

ସପକ୍ଷ

ଜଘନ୍ୟ ଅପରାଧ ପାଇଁ ଦୋଷୀକୁ ମୃତ୍ୟୁଦଣ୍ଡ ଦେବା ସ୍ୱାଭାବିକ । ଭାରତ ସମେତ ୫୩ଟି ଦେଶରେ ଏବେ ମଧ୍ୟ ଏହା ପ୍ରଚଳିତ । ଭାରତରେ ଗଳାରେ ରଶି ଲଗାଇ ଜଣେ ବ୍ୟକ୍ତିର ପ୍ରାଣବାୟୁ ଉଡ଼ିଯିବା ପର୍ଯ୍ୟନ୍ତ ଫାଶୀ ଲଗାଇ ଦିଆଯାଇଥାଏ। ପ୍ରଶ୍ନ ଉଠେ, ଫାଶୀ ମାଧ୍ୟମରେ ମୃତ୍ୟୁଦଣ୍ଡ ଦେବା ସବୁଠାରୁ ଶ୍ରେୟସ୍କର ନା ଏହାର ଅନ୍ୟ କୌଣସି ଉତ୍ତମ ବିକଳ୍ପ ଅଛି। ଦୋଷୀକୁ ଗୁଳିକରି ହତ୍ୟାକରିବା ତଥା ବୈଦ୍ୟୁତିକ ଚୌକି, ବିଷାକ୍ତ ଇଞ୍ଜେକ୍‍ସନ୍‍ ଓ ବାଷ୍ପୀୟ ଚ୍ୟାମ୍ୱର ମାଧ୍ୟମରେ ମୃତ୍ୟୁଦଣ୍ଡ ଦେବା ମଧ୍ୟ ବିକଳ୍ପ ପନ୍ଥା ଆପଣାଯାଇପାରେ। ବିଗତ ଦିନର ଅଭିଜ୍ଞତାରୁ ଜଣାଯାଏ ଯେ ଏହିସବୁ ମୃତ୍ୟୁଦଣ୍ଡ ପ୍ରକ୍ରିୟା ଦୋଷୀକୁ ବେଶୀମାତ୍ରାରେ କଷ୍ଟ ଦେଇଥାଏ ଓ ସ୍ଥଳ ବିଶେଷରେ ଏହା ପୂର୍ଣ୍ଣମାତ୍ରାରେ ଫଳପ୍ରଦ ମଧ୍ୟ ହୋଇନଥାଏ । ଫାଶୀ ମାଧ୍ୟମରେ ମୃତ୍ୟୁଦଣ୍ଡକୁ ଅନେକ ବିରୋଧ କରୁଥିବା ଗୋଷ୍ଠୀଙ୍କର ମତ ଯେ ଏଥିରେ ବ୍ୟକ୍ତିର ଆତ୍ମସମ୍ମାନର ହାନୀ ଘଟେ। ଆତ୍ମସମ୍ମାନଠାରୁ ବଳି ଆଉ କିଛି ବେଶୀ ମହତ୍ତ୍ୱପୂର୍ଣ୍ଣ ବିଷୟ କିଛି ହୋଇ ନପାରେ। ତେବେ ମୃତ୍ୟୁଦଣ୍ଡ ବିକଳ୍ପକୁ ବିଚାର କଲେ ବୁଝାଯାଏ ଯେ, କୌଣସି ବ୍ୟକ୍ତିକୁ ଗୁଳିକରି ହତ୍ୟାକରିବା ଏକ ବର୍ବୋରଚିତ କାମ ଓ ବିଷାକ୍ତ ଇଞ୍ଜେକ୍‍ସନ୍‍ ଦେବା ମଧ୍ୟ ଆହୁରି ଅମାନୁଷିକ କାର୍ଯ୍ୟ । ବିଷାକ୍ତ ଇଞ୍ଜେକ୍‍ସନ୍‍ ମାଧ୍ୟମରେ ମୃତ୍ୟୁଦଣ୍ଡ ପୂର୍ଣ୍ଣମାତ୍ରାରେ ଫଳପ୍ରଦ ନ ହେବା ଅଭିଜ୍ଞତା ମଧ୍ୟ ଆମେରିକାରେ ଅଛି। ତେଣୁ ଉପରୋକ୍ତ ସମସ୍ତ ବିଷୟକୁ ବିଚାରକୁ ନେଲେ ଯଦିଓ କୌଣସି ପନ୍ଥା ମୂଲ୍ୟବୋଧ ଓ ମାନବିକତା ଦୃଷ୍ଟିକୋଣରୁ ପୂର୍ଣ୍ଣମାତ୍ରାରେ ଗ୍ରହଣୀୟ ନୁହେଁ, ତେବେ ଫାଶୀମାଧ୍ୟମରେ ମୃତ୍ୟୁଦଣ୍ଡ ଅପେକ୍ଷାକୃତ ଉତ୍ତମପନ୍ଥା ଓ ଏହା ବଳବତ୍ତର ରହିବା ଉଚିତ।
ଇଂ ନଳିନୀକାନ୍ତ ଧର, ସ୍ତମ୍ଭକାର, ରାଉରକେଲା

ଫାଶୀରେ ନଝୁଲାଇ ଅନ୍ୟ ବ୍ୟବସ୍ଥାରେ ମୃତ୍ୟୁଦଣ୍ଡର କଥା ବିଚାର କରାଯାଉଛି। ଫାଶୀ ଅତ୍ୟଧିକ କଷ୍ଟପ୍ରଦ ତଥା ସେଥିପାଇଁ ଘାତକ କେବେ କେବେ ନମିଳିବା ଆଦି କଥା କୁହାଯାଉଛି। ନୃଶଂସ ହତ୍ୟା, ଗଣହତ୍ୟା, ଉଗ୍ରବାଦୀ କାର୍ଯ୍ୟକଳାପ, ଦୁଷ୍କର୍ମ, ଡ୍ରଗ୍ସ କାରବାର ଆଦି ବହୁ ସଙ୍ଗୀନ ଅପରାଧର ବହୁସ୍ତରୀୟ ବିଚାର ଉପରେ ଆମ ଦେଶରେ ଫାଶୀଦଣ୍ଡ ଦିଆଯାଉଛି। ତା’ ପୁଣି କୋଟିଏରେ ଗୋଟିଏ। ଅତୀତରେ ଶୁଳି ଚଢ଼ାଇବା, ଚମଡ଼ା ଉତାରିଦେବା, ହାତୀ କିମ୍ବା ହିଂସ୍ରପ୍ରାଣୀଙ୍କ ଦ୍ବାରା ମୃତ୍ୟୁ ଦଣ୍ଡାଦେଶ କାର୍ଯ୍ୟକାରୀ ହେଉଥିଲା। କେଉଁଠି କେଉଁଠି ମୁଣ୍ଡ ବା ଅନ୍ୟ ଅଙ୍ଗ କାଟି ଦିଆଯାଉଥିଲା। ଆଜି ସମଗ୍ର ଜଗତରେ ଫାଶୀରେ ଝୁଲାଇବା ସହିତ ଗୁଳିକରି, ବିଷାକ୍ତ ଇଞ୍ଜେକ୍ସନ ଦେଇ ବା ଇଲେକ୍ଟ୍ରିକ୍‌ ଚେୟାରରେ ବସାଇବା ଆଦି ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଅନେକ ଦେଶ ତ ମୂଳରୁ ମୃତ୍ୟୁଦଣ୍ଡ କୋହଳ କରିଛନ୍ତି। ତଥାପି ପ୍ରାୟ ୫୩ଟି ଦେଶର ଆଇନରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ଭାରତ ଗୋଟିଏ ବହୁ ସଂସ୍କୃତି ଓ ବହୁ ଭାଷାର ଦେଶ। ଏ ଭଳି ଏକ ବିଶାଳ ଜନସଂଖ୍ୟାର ଦେଶରେ ଫାଶୀ ଭିନ୍ନ ଅନ୍ୟ ମୃତ୍ୟୁଦଣ୍ଡ ବ୍ୟବସ୍ଥା ଅପରାଧୀମାନଙ୍କର ଭୟକୁ ହ୍ରାସ କରିପାରେ। ସେପରି ହେଲେ ଅପରାଧ ବଢ଼ିବାର ଆଶଙ୍କା ରହିଛି। ଚରମ ଅପରାଧରେ କଠୋର ଦଣ୍ଡ ଅନିବାର୍ଯ୍ୟ ଅଟେ। କମ୍‌ ଜନସଂଖ୍ୟା ବିଶିଷ୍ଟ ସଭ୍ୟ, ଶିକ୍ଷିତ ଉନ୍ନତ ଦେଶର ଉଦାହରଣଗୁଡ଼ିକ ବିଭିନ୍ନତାର ଏ ବିଶାଳ ଦେଶରେ କାର୍ଯ୍ୟକାରୀ ହୋଇପାରିବ ନାହିଁ।
ଭବେଶ ଚନ୍ଦ୍ର ସାହୁ, ଅଧ୍ୟକ୍ଷ, ହୃଷିକେଶରାୟ ମହାବିଦ୍ୟାଳୟ, ରାଉରକେଲା

ବିପକ୍ଷ

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ମୃତ୍ୟୁଦଣ୍ଡ ପ୍ରଚଳିତ ଅଛି। ଭାରତବର୍ଷରେ ଆବାହମାନ କାଳରୁ ଫାଶୀଦଣ୍ଡର ପ୍ରଥା ଚାଲିଆସିଛି। ଶାନ୍ତ ଓ ସୁସ୍ଥ ମସ୍ତିଷ୍କରେ କରାଯାଇଥିବା ଜଘନ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ହିଁ ଏକମାତ୍ର ବିକଳ୍ପ ବୋଲି ମନେହୁଏ। ତାହା କଠୋର ଦଣ୍ଡର ଅପରାଧୀମାନଙ୍କୁ ଅପରାଧରୁ ନିବୃତ୍ତ ରହିବା ପାଇଁ ବାଧ୍ୟ କରିବ। କିନ୍ତୁ ସେଥିପାଇଁ ଫାଶୀ ଭଳି ଏକ ମଧ୍ୟଯୁଗୀୟ ବ୍ୟବସ୍ଥାକୁ ବର୍ତ୍ତମାନ ଯାଏ ଅନୁସରଣ କରିବାର କୌଣସି ଯୁକ୍ତି ନାହିଁ। କାରଣ ଅପରାଧ ଓ ଅପରାଧୀ ସିନା ଜଘଣ୍ୟ ଓ ଘୃଣ୍ୟ; କିନ୍ତୁ ଦଣ୍ଡ ପ୍ରଦାନ କରୁଥିବା ସମାଜ ବା ବ୍ୟବସ୍ଥାଟି ହେଉଛି ଏକ ଦାୟିତ୍ବସଂପନ୍ନ ଅନୁଷ୍ଠାନ। ଅପରାଧୀ ସିନା ଅମଣିଷ ବା ଅମାନବୀୟ, କିନ୍ତୁ ସମାଜ ଓ ବ୍ୟବସ୍ଥା ମାନବୀୟ ସମ୍ବେଦନା ଉପରେ ପ୍ରତିଷ୍ଠିତ। ସ୍ବାର୍ଥ ହାସଲ ପାଇଁ, ଅନ୍ୟ ଶବ୍ଦରେ କହିଲେ ନିଜର ମତ ସାବ୍ୟସ୍ତ କରିବାଲାଗି ଅପରାଧୀ ଅନ୍ୟକୁ ତିଳତିଳ କରି ଯନ୍ତ୍ରଣା ଦିଏ, କିନ୍ତୁ ଅପରାଧର ଦଣ୍ଡ ଦେବାବେଳେ ସ୍ବୟଂ ସମାଜ ଓ ବ୍ୟବସ୍ଥା ସେହି ଅପରାଧୀ ଭଳି ଯନ୍ତ୍ରଣାପ୍ରଦାୟକ ମାନସିକତା ରଖିବା ସୁନ୍ଦର ଓ ଯୁକ୍ତିଯୁକ୍ତ ମନେ ହେଉନାହିଁ। ଯେସାକୁ ତେସା ନୀତିକୁ ନେଇ ସମାଜ ଚାଲେନାହିଁ। ତେଣୁ ଫାଶୀ ବଦଳରେ ମୃତ୍ୟୁଦଣ୍ଡର ଅନ୍ୟ ଏବଂ ଅଳ୍ପ କଷ୍ଟକର ବିକଳ୍ପ ଯଥା ବିଷାକ୍ତ ଟିକା ଓ ବିଦ୍ୟୁତ ଚୌକି ଇତ୍ୟାଦିର ପ୍ରଚଳନ କଥା ଚିନ୍ତା କରାଯାଇ ପାରେ।
ଡ. ଚିରବ୍ରତ ଦତ୍ତ, ଅବସରପ୍ରାପ୍ତ ପ୍ରାଧ୍ୟାପକ, ସୁନ୍ଦରଗଡ଼

ସମ୍ବନ୍ଧିତ ଖବର