ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ତମ ସିଜିନ୍ ୨୨ ମାର୍ଚ୍ଚରୁ ଆରମ୍ଭ ହୋଇପାରେ, ଯେଉଁଥି ପାଇଁ ସମସ୍ତ ୧୦ ଫ୍ରାଞ୍ଚାଇଜ୍ ପାଖରେ ସେମାନଙ୍କର ପ୍ରସ୍ତୁତିକୁ ମଜବୁତ କରିବା ପାଇଁ ପ୍ରାୟ ଗୋଟିଏ ମାସ ବାକି ଅଛି। ଏହି ପରିପ୍ରେକ୍ଷୀରେ, ଫେବୃଆରୀ ୧୩ ତାରିଖରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଆଗାମୀ ସିଜିନ ପାଇଁ ଏହାର ନୂତନ ଅଧିନାୟକ ଘୋଷଣା କରିଥିଲା | ଯେଉଁଥିରେ ଆରସିବି ରଜତ ପଟିଦାରଙ୍କୁ ଅଧିନାୟକ ଭାବେ ଘୋଷଣା କରିଛି | ସେହି ସମୟରେ, କିଛି ଦଳ ଗତ ସିଜିନରେ ଅଧିନାୟକତ୍ୱ କରୁଥିବା ଖେଳାଳିଙ୍କ ଉପରେ ହିଁ ଦାୟିତ୍ୱ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି ପରିସ୍ଥିତିରେ, ଆଇପିଏଲ ୨୦୨୫ ସିଜିନ୍ ପାଇଁ ୮ଟି ଦଳର ଅଧିନାୟକଙ୍କ ନାମ ଚୂଡ଼ାନ୍ତ ହୋଇଥିବାବେଳେ, ୨ଟି ଦଳ ଏପର୍ଯ୍ୟନ୍ତ ସେମାନଙ୍କର ନୂତନ ଅଧିନାୟକଙ୍କ ନାମ ଘୋଷଣା କରିନାହାଁନ୍ତି।
ଆଇପିଏଲ ୨୦୨୫ ପାଇଁ ଏପର୍ଯ୍ୟନ୍ତ ଯେଉଁ ୮ଟି ଦଳର ଅଧିନାୟକଙ୍କ ନାମ ସ୍ଥିର ହୋଇଛି ସେମାନଙ୍କ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗସ, ରାଜସ୍ଥାନ ରୟାଲ୍ସ, ଗୁଜରାଟ ଟାଇଟାନ୍ସ, ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅନ୍ତର୍ଭୁକ୍ତ। ଏବେ ସମସ୍ତ ପ୍ରଶଂସକ ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକଙ୍କ ନାମ ଘୋଷଣାକୁ ଅପେକ୍ଷା କରିଛନ୍ତି। ଆଇପିଏଲ ୨୦୨୫ ପାଇଁ ମେଗା ନିଲାମରେ, କେକେଆର ଦଳ ଶ୍ରେୟସ ଆୟରଙ୍କୁ ରିଟେନ୍ ନକରିବାକୁ ନିଷ୍ପତ୍ତି ନେଇଥିଲା, ଯାହାଙ୍କ ଅଧିନାୟକତ୍ୱରେ ସେମାନେ ଗତ ସିଜନରେ ଟାଇଟଲ ଜିତିଥିଲେ।
ସେହି ସମୟରେ, ଆୟର ମେଗା ନିଲାମରେ ପଞ୍ଜାବ କିଙ୍ଗସ୍ ଦଳରେ ଯୋଗ ଦେଇଛନ୍ତି, ତେଣୁ ଏବେ କେକେଆରକୁ ଆଇପିଏଲ ୨୦୨୫ ପାଇଁ ଏହାର ନୂତନ ଅଧିନାୟକ ଘୋଷଣା କରିବାକୁ ପଡିବ। ବର୍ତ୍ତମାନ, କେକେଆର ଦଳର ଅଧିନାୟକତ୍ୱ ପାଇଁ ଦୌଡ଼ରେ ୨ ଜଣ ଖେଳାଳି ଆଗରେ ଅଛନ୍ତି, ଯେଉଁଥିରେ ଭେଙ୍କଟେସ ଆୟର ଏବଂ ଅଜିଙ୍କ୍ୟ ରାହାଣେଙ୍କ ନାମ ସାମିଲ ଅଛି। ଆଇପିଏଲ ୨୦୨୫ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ କେଉଁ ଅଧିନାୟକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ସେ ନେଇ ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ଆଗାମୀ ସିଜିନ୍ ପାଇଁ ଫ୍ରାଞ୍ଚାଇଜ୍ ପକ୍ଷରୁ ଅଧିନାୟକଙ୍କ ନାମ ଘୋଷଣା କରାଯାଇ ନାହିଁ। ଦିଲ୍ଲୀ କ୍ୟାପିଟାଲ୍ସରୁ ଅଧିନାୟକତ୍ୱ ଦୌଡ଼ରେ କେଏଲ ରାହୁଲ ଏବଂ ଅକ୍ଷର ପଟେଲଙ୍କ ନାମ ସାମିଲ ଅଛି, ଯେଉଁଥିରେ ରାହୁଲ ଏହି ସିଜିନ୍ ପାଇଁ ଅନୁଷ୍ଠିତ ମେଗା ନିଲାମରେ ଦିଲ୍ଲୀ ଦଳରେ ଯୋଗ ଦେଇଥିଲେ |
ଆଇପିଏଲ ୨୦୨୫ ପାଇଁ ଏପର୍ଯ୍ୟନ୍ତ ପ୍ରକାଶିତ ଦଳର ଅଧିନାୟକଙ୍କ ନାମ
ମୁମ୍ବାଇ ଇଣ୍ଡିଆନ୍ସ - ହାର୍ଦ୍ଦିକ ପାଣ୍ଡ୍ୟା
ଚେନ୍ନାଇ ସୁପର କିଙ୍ଗ୍ସ - ଋତୁରାଜ ଗାୟକୱାଡ
ରାଜସ୍ଥାନ ରୟାଲ୍ସ - ସଞ୍ଜୁ ସାମସନ
ଗୁଜରାଟ ଟାଇଟାନ୍ସ - ଶୁଭମନ ଗିଲ
ସନରାଇଜର୍ସ ହାଇଦ୍ରାବାଦ - ପ୍ୟାଟ୍ କମିନ୍ସ
ପଞ୍ଜାବ କିଙ୍ଗ୍ସ - ଶ୍ରେୟସ ଆୟର
ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ - ରିଷଭ ପନ୍ତ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ରଜତ ପଟିଦାର