ନୂଆଦିଲ୍ଲୀ: ୨୦୧୯ ଲୋକସଭା ର୍ନିବାଚନର ତୃତୀୟ ପର୍ଯ୍ୟାୟରେ ଆଜି ୧୪ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଂଚଳର ୧୧୬ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି। ଏହି ପର୍ଯ୍ୟାୟରେ ୬୫.୬୧ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଆସାମରେ ରେକର୍ଡ ୮୦.୭୩ ପ୍ରତିଶତ ମତଦାନ ହୋଇଛି। ଗୁଜରାଟର ସମସ୍ତ ୨୬ ଏବଂ କେରଳର ସମସ୍ତ ୨୦ଟି ଆସନରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଆସାମର ୩, ବିହାରର ୫, ଛତିଶଗଡ଼ର ୭, ମହାରାଷ୍ଟ୍ରର ୧୪, କର୍ଣ୍ଣାଟକର ୧୪, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୦, ପଶ୍ଚିମବଂଗର ୫, ଗୋଆର ୨, ଦାଦ୍ରା ଏବଂ ନଗର ହାଭେଳି, ଡାମନ ଆଣ୍ଡ୍ ଡିଉ ଏବଂ ତ୍ରିପୁରାର ଗୋଟିଏ ଆସନ ପାଇଁ ଭୋଟ୍ ଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା। ପଶ୍ଚିମବଂଗରେ ନିର୍ବାଚନୀ ହିଂସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୬ଟି ସ୍ଥାନରେ ସଂଘର୍ଷ ଘଟିଛି। ମୁର୍ସିଦାବାଦ ଲୋକସଭା ଆସନର ଏକ ଭୋଟ୍ ଗ୍ରହଣ କେନ୍ଦ୍ର ବାହାରେ ଜଣେ ୫୨ ବର୍ଷୀୟ କଂଗ୍ରେସ କର୍ମୀଙ୍କୁ ହତ୍ୟା କରାଯିବା ପରେ ସେଠାରେ ଉତ୍ତେଜନା ଲାଗି ରହିଛି। କେରଳରେ ୨୦ଟି ଲୋକସଭା ଆସନରେ ୭୧.୬୭ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି। କେରଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର, କେନ୍ଦ୍ରମନ୍ତ୍ରୀ ଆଲଫାନ୍ସୋ କନ୍ନମଥନମ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଇଭିଏମ୍ ଖରାପ ଥିବା ଅଭିଯୋଗ ମିଳିଥିବା ବେଳେ ଏହି ସମସ୍ୟା ଦୂର କରାଯିବା ପରେ ଭୋଟ୍ ଗ୍ରହଣ ସ୍ବାଭାବିକ ହୋଇଥିଲା। କର୍ଣ୍ଣାଟକରେ ୬୪. ୦୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଗୁଜରାଟର ୨୬ ଆସନରେ ୫୯.୭୭ ପ୍ରତିଶତ ମତଦାନ ହୋଇଛି । ପ୍ରବଳ ଗରମ ସତ୍ତ୍ବେ ଗୁଜରାଟରେ ମତଦାନ ପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା। କେତେକ ଇଭିଏମ୍ରେ ତ୍ରୁଟି ଥିବା ରିପୋର୍ଟ ମିଳିବା ମାତ୍ରେ ସେଗୁଡ଼ିକୁ ବଦଳାଇ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଅଶୋକ ମାନେକ କହିଛନ୍ତି। ଛତିଶଗଡ଼ର ୭ଟି ଆସନରେ ୬୫.୦୮ ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୪ଟି ଆସନରେ ୫୫.୦୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ବିହାରରେ ୫୯.୯୭ ପ୍ରତିଶତ ଭୋଟର୍ ୫ଟି ଆସନରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଇଭିଏମ୍ ଖରାପ ହେବା ଯୋଗୁଁ ଖଗାଡ଼ିଆ ଅଂଚଳରେ ୫ଟି ବୁଥ୍ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ପଶ୍ଚିମବଂଗରେ ୭୯.୩୬ ପ୍ରତିଶତ ମତଦାନ ହୋଇଥିବା ବେଳେ ବହୁ ସଂଖ୍ୟାରେ ଯୁବ ଭୋଟ୍ର ମତଦାନ କରିଥିବା ଦେଖିବାକୁ ମିଳିଥିଲା। ଉତ୍ତରପ୍ରଦେଶରେ ୫୭.୬୪, ଗୋଆରେ ୭୧.୦୯, ମହାରାଷ୍ଟ୍ରରେ ୫୬.୨୫ ଏବଂ ବିହାରରେ ୫୯.୯୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ଏପ୍ରିଲ୍ ୨୯ରେ ହେବ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୬୫.୬୧% ଭୋଟ୍
ବିଭିନ୍ନ ରାଜ୍ୟରେ ଇଭିଏମ୍ ଅଚଳ ଯୋଗୁଁ ସମସ୍ୟା, ପଶ୍ଚିମବଂଗରେ ହିଂସା, ଜଣେ ମୃତ
/sambad/media/post_attachments/wp-content/uploads/2019/04/Untitled-18-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)