ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲାଣ୍ଡକୁ ଏକ ବଡ଼ ଝଟକା ଲାଗିଛି। ଦଳର ବୋଲର ବେନ୍ ସିୟର୍ସ ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ସିୟର୍ସଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ଜାକବ ଡଫିଙ୍କୁ ଦଳରେ ସାମିଲ କରିଛି। ସେ ପାକିସ୍ତାନରେ ଚାଲିଥିବା ତ୍ରିକୋଣୀୟ ସିରିଜରୁ  ଆଘାତ ଯୋଗୁଁ ବାଦ ପଡ଼ିଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଅଛି । ଏହି ମ୍ୟାଚ୍ ୧୯ ଫେବୃଆରୀରେ ଖେଳାଯିବ।

Advertisment

ଶୁକ୍ରବାର ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ବୋର୍ଡ କହିଛି ଯେ ବେନ୍ ସିୟର୍ସ ଆହତ ହୋଇଛନ୍ତି। ଏହି କାରଣରୁ, ସିଅର୍ସ ୨୦୨୫ରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଖେଳିପାରିବେ ନାହିଁ। ସିୟର୍ସଙ୍କ ବାମ ଗୋଡରେ ସମସ୍ୟା ଅଛି। ତାଙ୍କ ସୁସ୍ଥତା ପାଇଁ ଅତି କମରେ ୨ ସପ୍ତାହ ଲାଗିବ।

ସିୟର୍ସ ବାଦ ପଡ଼ିବା ପରେ ନ୍ୟୁଜିଲାଣ୍ଡ ଜାକବ ଡଫିଙ୍କୁ ଦଳରେ ସାମିଲ କରିଛି। ସେ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ପାଇଁ ୧୦ଟି ଦିନିକିଆ ମ୍ୟାଚ୍ ଖେଳି ସାରିଛନ୍ତି। ଏହି ସମୟ ମଧ୍ୟରେ ଡଫି ୧୮ଟି ୱିକେଟ୍ ନେଇଛନ୍ତି। ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ଗୋଟିଏ ମ୍ୟାଚ୍‌ରେ ୪୧ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ଡଫି ୧୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ସେ ଏହି ଫର୍ମାଟରେ ୧୯ଟି ୱିକେଟ ନେଇଛନ୍ତି।

ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ବର୍ତ୍ତମାନ ପାକିସ୍ତାନରେ ଅଛି। ଏଠାରେ ଏକ ତ୍ରିକୋଣୀୟ ସିରିଜ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ୭୮ ରନ୍‌ରେ ପରାସ୍ତ କରିଥିଲା। ସେ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲେ। ଏବେ ସେମାନେ ଫାଇନାଲରେ ପାକିସ୍ତାନକୁ ଭେଟିବେ। ଶୁକ୍ରବାର କରାଚୀରେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ।