ବୈଜ୍ଞାନିକଙ୍କୁ ପ୍ରୋତ୍ସାହନ ଏମିତି !

ମୋଦୀଙ୍କ ପିଠି ଥାପୁଡ଼ା ପଛର ବାସ୍ତବତା

‘ଚନ୍ଦ୍ରଯାନ-୨’ର ଲ୍ୟାଣ୍ଡର ବିକ୍ରମ ଠିକ୍‌ଠାକ୍‌ ଚନ୍ଦ୍ରରେ ଅବତରଣ କରି ନ ପାରିଲେ ବି ଇସ୍ରୋର ଚନ୍ଦ୍ର  ଅଭିଯାନକୁ ନେଇ ଆଜି ସାରା ଦେଶ ଗର୍ବ ଅନୁଭବ କରୁଛି। ଏହି ମିସନ୍‌ ୯୫ ପ୍ରତିଶତ ସଫଳ ହୋଇଛି ବୋଲି କୁହାଯାଉଛି। ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ଠୁ ଆରମ୍ଭ କରି ବିଶ୍ବର ବିଭିନ୍ନ ଦେଶ ଏହି ଅଭିଯାନ ପାଇଁ ଇସ୍ରୋକୁ ପ୍ରଶଂସା କରୁଛନ୍ତି। ଚନ୍ଦ୍ରାବତରଣର ସିଧା ପ୍ରସାରଣ ଦେଖିବାକୁ  ବାଙ୍ଗାଲୋରସ୍ଥିତ ଇସ୍ରୋ ମୁଖ୍ୟାଳୟକୁ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀଜୀ ଏଥିରେ ସଫଳତା ନ ମିଳିଲେ ବି ବୈଜ୍ଞାନିକମାନଙ୍କ ପିଠି ଥାପୁଡ଼ାଇ ଏବଂ ଆଲିଙ୍ଗନ କରି ସାନ୍ତ୍ବନା ଦେବା ସହ ସେଠାରେ ଉଦବୋଧନ ଦେଇ ଆଗାମୀ ମିସନ୍ ପାଇଁ ଉତ୍ସାହିତ କରିଛନ୍ତି।

ହେଲେ ପରଦା ପଛର କାହାଣୀ କିନ୍ତୁ ଅଲଗା। ବାସ୍ତବତା ହେଲା, ‘ଚନ୍ଦ୍ରଯାନ-୨’ର ସଫଳ ଉତ୍‌କ୍ଷେପଣର ମାସକ ପୂର୍ବରୁ କେନ୍ଦ୍ର ସରକାର ଇସ୍ରୋ ବୈଜ୍ଞାନିକମାନେ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ପାଇ ଆସୁଥିବା ମାସିକ ପ୍ରୋତ୍ସାହନ ରାଶିକୁ କାଟି ଦେଇଛନ୍ତି। ଫଳରେ ଗତ ଜୁଲାଇ ମାସରୁ ଇସ୍ରୋର ୯୦ ପ୍ରତିଶତ ବୈଜ୍ଞାନିକଙ୍କ ଦରମା ହରାହାରି ୧୦ ହଜାର ଟଙ୍କା କମିଯାଇଛି। କୌତୂହଳର ବିଷୟ ହେଲା, ୧୯୯୬ ମସିହାରେ ସୁପ୍ରିମ କୋର୍ଟର ନିର୍ଦ୍ଦେଶକ୍ରମେ ଇସ୍ରୋ ବୈଜ୍ଞାନିକଙ୍କୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ଆସୁଥିଲା। ପରବର୍ତ୍ତୀ ସମୟରେ ଏହି ରାଶିକୁ ‌ସେମାନଙ୍କ ମୂଳ ଦରମାରେ ମିଶାଇ ଦେବାକୁ ବି ନିର୍ଦ୍ଦେଶ ଥିଲା। ମାତ୍ର ‘ଜୟ ବିଜ୍ଞାନ’ର ସ୍ଳୋଗାନ ଦେଇଥିବା ବାଜପେୟୀଜୀଙ୍କ ସୁଯୋଗ୍ୟ ଦାୟାଦ  ମୋଦୀ ସରକାର ବୈଜ୍ଞାନିକମାନଙ୍କ ଦରମା ବଢ଼ାଇବା ପରିବର୍ତ୍ତେ ପ୍ରୋତ୍ସାହନ ରାଶିକୁ କାଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ମୋଦୀଜୀ ବା ତାଙ୍କ ସରକାର ବଡ଼ ବଡ଼ ନେତାମାନେ ଯେ ଏ ନେଇ ଅବଗତ ନାହାନ୍ତି, ତାହା ନୁହେଁ। ‘ଦି ଓୟାର’ ୱେବ୍‌ସା‌ଇଟ୍‌ର ଖବର ଅନୁସାରେ ଇସ୍ରୋର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କ ଏକ ସଂଘ ଏ ନେଇ ଇସ୍ରୋର ମୁଖ୍ୟ କେ.ଶିବନଙ୍କ ଜରି୍ଆରେ ସରକାରଙ୍କୁ ଚିଠି ଲେଖି ଏହାର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲା। କେବଳ ସେତିକି ନୁହେଁ, ଗତ ଜୁଲାଇ ୩୦ ତାରିଖରେ କଂଗ୍ରେସ ସାଂସଦ ମୋତିଲାଲ ଭୋରା ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ସରକାର ଏଯାଏ ଏ ବିଷୟକୁ ଗୁରୁତ୍ବ ଦେବାକୁ ଉଚିତ ମନେ କରି ନାହାନ୍ତି। ନିଜର ବ୍ୟସ୍ତବହୁଳ ବିଦେଶ ଗସ୍ତ କାର୍ଯ୍ୟକ୍ରମରୁ ଫୁରୁସତ୍ ମିଳିଲେ ତ ଯାଇ ମୋଦୀଜୀ କିଛି କରିବେ ନା?

ତା’ଛଡ଼ା  ଇସ୍ରୋର ବୈଜ୍ଞାନିକମାନେ କ’ଣ ନିଜ ଦରମା ପାଇଁ  କାମ ବନ୍ଦ କରି ରାସ୍ତାକୁ ଓହ୍ଲାଇ ପାରିବେ? ତେଣୁ ତାଙ୍କ ସମସ୍ୟା ପରେ ବୁଝିଲେ ବି  ଚଳିବ। ଇସ୍ରୋ ବୈଜ୍ଞାନିକଙ୍କ ସଂଘ କହିଛି, ସେମାନେ ପାଉଥିବା ଦରମା ଗଣ୍ଡାକ ହିଁ ସେମାନଙ୍କ ଏକମାତ୍ର ରୋଜଗାର। ଏହି ଦରମାରେ  ସେମାନଙ୍କ ପରିବାର ପିଲାଛୁଆ ଚଳନ୍ତି। ଦିନରାତି କଠିନ ପରିଶ୍ରମ କରି ଗବେଷଣାରେ ନିମଗ୍ନ ଥିବା ଏହି ବୈଜ୍ଞାନିକମାନେ ବହୁ ବେସରକାରୀ ସଂସ୍ଥାର ଉଚ୍ଚଦରମା ଓ ବିଦେଶରେ ସୁଖ ସ୍ବାଚ୍ଛନ୍ଦରେ ରହିବାର  ପ୍ରଲୋଭନ ଛାଡ଼ି ଇସ୍ରୋରେ କାମ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, କାରଣ ସେମାନେ ଦେଶକୁ ଭଲ ପାଆନ୍ତି। ଆଉ ମହାକାଶ ଗବେଷଣା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରି ଭାରତକୁ ବିଶ୍ବର ଶ୍ରେଷ୍ଠ ଦେଶ ସୂଚିରେ ଦେଖିବାକୁ ଚାହାନ୍ତି। କିନ୍ତୁ ବିଡ଼ମ୍ବନା ହେଲା ଏ ଦେଶରେ ଡାକ୍ତର, ଇଞ୍ଜିନିୟର ବା ବୈଜ୍ଞାନିକ ନୁହନ୍ତି, ନେତା, ବାବୁ, ଠିକାଦାର ଏପରିକି ଗୋରକ୍ଷକମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଏ।

ଲ୍ୟାଣ୍ଡର ବିକ୍ରମ ଅଳ୍ପକେ ଲକ୍ଷ୍ୟପଥରୁ ବିଚ୍ୟୁତ  ହୋଇଯିବା ପରେ ଭୋ ଭୋ କାନ୍ଦୁଥିବା ଇସ୍ରୋ ମୁଖ୍ୟ ଶବନ୍‌ଙ୍କ ପିଠି ଥାପୁଡ଼ାଇ ଓ ଆଲିଙ୍ଗନ କରି  ପ୍ରଧାନମନ୍ତ୍ରୀ ମୋଦୀଜୀ ଯେଉଁଭଳି ଭାବେ  ସାନ୍ତ୍ବନା ଦେଲେ, ତାହା ଦେଖି ମୋତେ ବି ଲାଗୁ୍‌ଥିଲା ଆମ ପ୍ରଧାନମନ୍ତ୍ରୀ ଜଣେ ‘ଅଭିଜ୍ଞ ଅଭିନେତା’ ହେଲେ ବି ଏଭଳି ଏକ ସମୟରେ ସେ ଅଭିନୟ କରୁନାହାନ୍ତି, ସତରେ ଆମ ବୈଜ୍ଞାନିକମାନଙ୍କ ପଛରେ ରହି ସେମାନଙ୍କ ମନୋବଳକୁ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି।  ମାତ୍ର ଆମ ଦେଶର ଗର୍ବ ଓ ଗୌରବ ସେହି ବୈଜ୍ଞାନିକମାନେ ଦୁଇ ଦଶନ୍ଧି ହେଲା ପାଇ ଆସୁଥିବା ପ୍ରୋତ୍ସାହନ ରାଶିକୁ ସରକାର ଅବିଚାରିତ ଭାବେ କାଟି ଦେଇଥିବା ଜାଣିବା ପରେ ଏ ସରକାରକୁ କ’ଣ କହିବା? ମୋ ମନରେ ବି ଆଜି ପ୍ରଶ୍ନ ଉଠୁଛି, ଏ ଦେଶରେ ଆମେ ଆମ ମେଧାବୀ ପିଲାଙ୍କୁ କ’ଣ ହେବାକୁ ପ୍ରୋତ୍ସାହିତ କରିବା- ବୈଜ୍ଞାନିକ  ନା ଗୋରକ୍ଷକ?

ସମ୍ବନ୍ଧିତ ଖବର