ତୃତୀୟ ପର୍ଯ୍ୟାୟ ମତଦାନ ପରେ ତିନି ପ୍ରମୁଖ ଦଳର ଦାବି: ଆମେ ସରକାର ଗଢ଼ିବୁ 

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ଭୋଟ୍‌  ଗ୍ରହଣ ଶେଷ ହେବା ପରେ ଆଜି ରାଜ୍ୟର ପ୍ରମୁଖ ତିନୋଟି ଦଳ, ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ସରକାର ଗଢ଼ିବେ ବୋଲି ଦାବି କରିଛନ୍ତି ।

ବିଜୁ ଜନତା ଦଳର ନେତା ସୁବାସ ସିଂହ କହିଛନ୍ତି, ଆମେ ୨୦୧୪ରେ ଆମେ ୧୧୭ ବିଧାନସଭା ଆସନ ପାଇ ସରକାର ଗଢ଼ିଥଲୁ । ଏଥର ଆମେ ଗତଥର ଅପେକ୍ଷା ଭଲ କରିଛୁ । ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପରେ ସ୍ଥିତି ଆହୁରି ସ୍ପଷ୍ଟ ହୋଇ ଯାଇଛି । ଆମେ ଭୋଟ୍‌  ଗ୍ରହଣ ଶେଷ ହୋଇଥିବା ୪୨ ବିଧାନସଭା ଆସନରୁ ୩୫ଟି ଜିତିବୁ।

ଅନ୍ୟ ପକ୍ଷରେ, ତାଳଚେର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିିତା କରୁଥିବା ଭାରତୀୟ ଜନତା ପାର୍ଟି ନେତା କାଳନ୍ଦୀ ସାମଲ କହିଛନ୍ତି ଯେ ଆମ ଦଳ ସପକ୍ଷରେ ପରିବର୍ତ୍ତନର ଲହର ବୋହୁଛି । ବିଧାନସଭାର ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୦ରୁ ଅଧିକ ଆସନ ଆମେ ଏଥର ଅକ୍ତଆର କରିବୁ ।

ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆମେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିବୁ । ଘଷିିପୁରା ଆସନରୁ ସେ ନିଶ୍ଚିତ ବିଜୟୀ ହେବେ ବୋଲି ନିରଞ୍ଜନ କହଛନ୍ତି । ତେବେ ଭୋଟ୍‌ ବ୍ୟବଧାନ କେତେ ହେବ, ତାହା କହି ପାରିବି ନାହିଁ ବୋଲି ସେ ମତ ରଖିଥିଲେ।

ସମ୍ବଲପୁର ଜିଲ୍ଲାର ପ୍ରମୁଖ ଭାରତୀୟ ଜନତା ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ତାଙ୍କ ଦଳ ସେହି ଜିଲ୍ଲାରେ ୪ଟି ଆସନ ଜିତିବ ବୋଲି ଦୃଢ଼ୋକ୍ତି କରିଥିଲେ । ଏଥର ମୋଦୀଙ୍କ ସପକ୍ଷରେ ହାଓ୍ଵା ବୋହୁଛି ବୋଲି ଶ୍ରୀ ମିଶ୍ର କହିଥିଲେ ।

ମୋଦୀ ହାଓ୍ଵା ନୁହେଁ, ନବୀନ ହାଓ୍ଵା ବୋହୁଛି ବୋଲି ବିଜୁ ଜନତା ଦଳର ନେତା ଶ୍ରୀ ସିଂହ ଜୋର୍‌ ଦେଇ ଏହାକୁ ଖଣ୍ଡନ କରିଥିଲେ । ପୁରୀର ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ପିନକୀ ମିଶ୍ର କହିଥିଲେ ଯେ, ଏଥର ଫଳାଫଳ ନିଶ୍ଚିତ ହୋଇ ସାରିଛି । ପୁରୀ ଲୋକସଭା ଆସନ ଅନ୍ତର୍ଗତ ୭ଟି ଯାକ ବିଧାନସଭା ଆସନ ବିଜୁ ଜନତା ଦଳ ଜିତିବ।

ସମ୍ବନ୍ଧିତ ଖବର