ଭୁବନେଶ୍ୱର (ସୁବ୍ରତ ଦାସ) : କୋରାପୁଟ ଓ ମାଲକାନଗିରି ଭଳି ମାଓବାଦୀ ଅଧ୍ୟୁଷିତ ଅଂଚଳରେ ଆସନ୍ତାକାଲି ସକାଳେ ଭୋଟଗ୍ରହଣ ହେଉଛି। ଏଣେ ମାଓବାଦୀମାନେ ଭୋଟଦାନକୁ ବର୍ଜନ କରିବା ପାଇଁ ଭୋଟର୍ମାନଙ୍କୁ ଆହ୍ଵାନ ଦେଇଥିବା ବେଳେ ଏହି ସବୁ ଅଂଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ରାଜ୍ୟର ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ସମ୍ବାଦ-ଡ଼ଟ୍ -ଇନ୍ କୁ କହିଛନ୍ତି ଯେ, ଆସନ୍ତାକାଲି ନିର୍ବାଚନ ହେଉଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ଅଧିକାଂଶ ଭାଗ ନକ୍ସଲ ପ୍ରବଣ ହୋଇଥିବାରୁ ଏଥିପାଇଁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁର୍ଗମ ମାଓପ୍ରବଣ ଅଂଚଳରେ ଥିବା ମତଦାନ କେନ୍ଦ୍ରକୁ ପୋଲିଂ କର୍ମଚାରୀ ଓ ଭୋଟ ବାକ୍ସ ପରିବହନ ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି। ଏହି ସବୁ ଅଂଚଳରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ(ସିଆର୍ପିଏଫ୍) ଏବଂ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଭଳି କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀକୁ ମୁତୟନ କରାଯାଇଛି। ଏହି ସବୁ କେନ୍ଦ୍ରୀୟ ବାହିନୀ ଗୁଡ଼ିକ ଆଦିବାସୀ-ଅଧ୍ୟୁଷିତ ଅଂଚଳର ଭୌଗୋଳିକ ଅବସ୍ଥିତି ସହିତ ସୁପରିଚିତ।
/sambad/media/post_attachments/wp-content/uploads/2019/03/raydgda-1.jpg)
କେତେ ସଂଖ୍ୟକ ପୋଲିସ ଅଫିସର୍ ଓ କର୍ମଚାରୀଙ୍କୁ ଏହି ସବୁ ଅଂଚଳରେ ମୁତୟନ କରାଯାଇଛି?ଏହାର ନିର୍ଦ୍ଦିଷ୍ଟ ସଂଖ୍ୟା ନ ଦେଇ ଶ୍ରୀ ଶର୍ମା କହିଛନ୍ତି, ‘ଆବଶ୍ୟକତା ତୁଳନାରେ ଯଥେଷ୍ଟ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯଥେଷ୍ଟ ସଂଖ୍ୟକ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ,ରାଜ୍ୟର ସ୍ୱତନ୍ତ୍ର ତାଲିମିପ୍ରାପ୍ତ ସ୍ପେସାଲ ଅପରେସନ ଗ୍ରୁପ୍(ଏସ.ଓ.ଜି) ମାଓ ପ୍ରବଣ ଅଂଚଳରେ ମୁତୟନ ଅଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ମାଓବାଦୀ ଅଚଂଳରେ ସ୍ପେସାଲ୍ ଅପରେଟିଂ ପ୍ରସିଡ୍ୟୁଅର୍ (ଏସ.ଓ.ପି) ପାଳନ କରାଯାଇଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।
ଦୁର୍ଗମ ଅଂଚଳରେ ଗୁରୁପ୍ରିୟା ସେତୁ ଓ ଅନ୍ୟାନ୍ୟ ରାସ୍ତାଘାଟ ନିର୍ମାଣ ହୋଇଥିବାରୁ ଭିତ୍ତିଭୂମିର ଯଥେଷ୍ଟ ଉନ୍ନତି ହୋଇଛି ଏବଂ ଏହା ନକ୍ସଲ ମୁକାବିଲାରେ ବେଶ୍ ସହାୟକ ହୋଇଛି ବୋଲି ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।
ଏହାଛଡ଼ା ଆସନ୍ତାକାଲି ଭୋଟଗ୍ରହଣ ହେଉଥିବା ଅଂଚଳରେ ପୋଲିସ ପେଟ୍ରୋଲିଂ ଅଧିକ କଡ଼ାକଡ଼ି କରାଯାଇଛି ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି। ନିର୍ବାଚନ ୪ ପର୍ଯ୍ୟାୟରେ ହେଉଥିବାରୁ ଏବଂ ମାଓପ୍ରବଣ ଅଂଚଳରେ ପ୍ରଥମେ ଭୋଟଗ୍ରହଣ ହେଉଥିବାରୁ ଏହି ସବୁ ଅଂଚଳରେ ସୁସଂହତ ନକ୍ସଲ-ନିିରୋଧୀ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବା ସହଜସାଧ୍ୟ ହେଉଛି ବୋଲି ସେ କହିଛନ୍ତି।
ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ ଯେ, ଆସନ୍ତାକାଲି ପାଇଁ ସ୍ଥାପିତ ମୋଟ ୭୨୩୩ ଭୋଟଗ୍ରହଣ କେନ୍ଦ୍ର ମଧ୍ୟରୁ ୨୩୭୫ଟିକୁ ‘ସମ୍ବେଦନଶୀଳ’ ରୂପେ ଚିହ୍ନଟ କରାଯାଇଛି। ସେଥିରୁ ୭୭୭ରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/NUTANA-DG-BIJAYA-SHARMA-2091547.jpg)