ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଚାଲିଥିବା ଏସ୍‌ଆଇଆର୍ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟା ଭୁଲ୍‌ ଏବଂ ଏହାଦ୍ବାରା ଦେଶର ସମସ୍ତ ନାଗରିକଙ୍କ ଭୋଟ୍‌ ଦେବାର ଅଧିକାର ପ୍ରଭାବିତ ହେବ ବୋଲି ଟିଏମ୍‌ସି ଅଭିଯୋଗ କରିଛି। ଟିଏମ୍‌ସି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ନେଇ ବିଚାର କରୁଛି। ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ମଙ୍ଗଳବାର କହିଛନ୍ତି, ଆମେ ସିଇସିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବୁ। ଯେଉଁଭଳି ଭାବେ ଏସ୍‌ଆଇଆର୍ ପରିଚାଳନା କରାଯାଉଛି ତାହା ଭୁଲ୍‌। ଏହାଦ୍ବାରା ଦେଶର ସମସ୍ତ ନାଗରିକଙ୍କ ଭୋଟ୍‌ ଦେବାର ଅଧିକାର ପ୍ରଭାବିତ ‌ହେବ। କାହାର ବି ଭୋଟ୍‌ ଦେବାର ଅଧିକାର ନାହିଁ ବୋଲି ସେମାନେ ନିଶ୍ଚିତ କରିବାକୁ ଚାହୁଛନ୍ତି। ତେଣୁ ଏହି ଖରାପ ଉଦ୍ଦେଶ୍ୟ ପାଇଁ ଆମେ ସିଇସିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ନେଇ ବିଚାର କରୁଛୁ। ଆମେ ମଧ୍ୟ ଅନ୍ୟ ଦଳ ସହ ଏନେଇ କଥାବାର୍ତ୍ତା ଆରମ୍ଭ କରିଛୁ ବୋଲି କଲ୍ୟାଣ ବାନାର୍ଜୀ କହିଛନ୍ତି।

Advertisment

ଆହୁରି ପଢନ୍ତୁ: ଟଙ୍କାରେ ସର୍ବବୃହତ୍‌ ଦୈନିକ ସୁଧାର: ଦିନକରେ ୧ ଟଙ୍କା ୨୫ ପଇସା ସବଳ

ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ସିଇସି ଜ୍ଞାନେଶ କୁମାର ଓ ଅନ୍ୟ ନିର୍ବାଚନ କମିସନ ଅଧିକାରୀଙ୍କ ବିରୋଧରେ ଆଣିଥିବା ଅଭିଯୋଗରେ ଅଟଳ ରହିଛନ୍ତି। ମମତା ଅଭିଯୋଗ କରିଛନ୍ତି ଯେ, ସିଇସି ଓ ଅନ୍ୟ ନିର୍ବାଚନ କମିସନ ଅଧିକାରୀମାନେ ତାଙ୍କୁ ଓ ଟିଏମ୍‌ସି ପ୍ରତିନିଧି ଦଳକୁ ଅପମାନିତ କରିଛନ୍ତି ଏବଂ ଧମକ ଦେଇ ଚିତ୍କାର କରିଛନ୍ତି।

ତେବେ ୯୦ ମିନିଟ୍‌ର ବୈଠକରେ କୌଣସି ପ୍ରକାର ଦୁର୍ବ୍ୟବହାର କରାଯାଇନି ବୋଲି ଇସି ପକ୍ଷରୁ କୁହାଯିବା ପରେ ମମତା କହିଛନ୍ତି, ଆପଣମାନେ ନିର୍ବାଚନ କମିସନଙ୍କ କଥାକୁ ବିଶ୍ବାସକୁ ନିଅନ୍ତୁ ନାହିଁ। କାରଣ ଆପଣ ସେଠାରେ ନ ଥିଲେ। ଏହା କେବଳ ସମ୍ମାନ ରକ୍ଷା କରିବା ପାଇଁ ଟିପ୍ପଣୀ। ମୁଁ ସିଇସି ଜ୍ଞାନେଶ କୁମାରଙ୍କୁ ଅନେକ ପ୍ରଶ୍ନ କରିଛି କିନ୍ତୁ ସେ ଆମକୁ ଅପମାନିତ କରିଛନ୍ତି, ଧମକ ଦେଇଛନ୍ତି ଓ ଆମ ଉପରକୁ ଚିତ୍କାର କରିଛନ୍ତି ବୋଲି ମମତା କହିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ମମତା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏସ୍‌ଆଇଆର୍ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।