କୋଲ୍କାତା: ଆସାନ୍ସୋଲ୍ ଲୋକସଭା ଆସନ ଉପ-ନିର୍ବାଚନରେ ଅଭିନେତାରୁ ରାଜନେତା ହୋଇଥିବା ଶତ୍ରୁଘ୍ନ ସିହ୍ନା ଏବଂ ବାଲିଗଞ୍ଜ୍ ବିଧାନସଭା ଆସନ ଉପ-ନିର୍ବାଚନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋଙ୍କୁ ପ୍ରାର୍ଥୀ କରିବା ପାଇଁ ‘ତୃଣମୂଳ କଂଗ୍ରେସ’ ସ୍ଥିର କରିଛି।
‘ତୃଣମୂଳ କଂଗ୍ରେସ’ ସୁପ୍ରିମୋ ମମତା ବାନାର୍ଜୀ ଆଜି ଟୁଇଟ୍ କରି ଉଭୟ ନେତାଙ୍କ ପ୍ରାର୍ଥୀତ୍ବ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି: ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ୍’ ତରଫରୁ ଘୋଷଣା କରି ଆନନ୍ଦିତ ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଖ୍ୟାତନାମା ଅଭିନେତା ଶତ୍ରୁଘ୍ନ ସିହ୍ନା ଆସାନସୋଲ୍ ଲୋକସଭା ଉପ-ନିର୍ବାଚନରେ ଆମର ପ୍ରାର୍ଥୀ ହେବେ।
/sambad/media/post_attachments/wp-content/uploads/2022/03/sb1.jpg)
ଆଉ ଏକ ଟୁଇଟ୍ରେ ସେ ଲେଖିଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁପରିଚି ଗାୟକ ବାବୁଲ୍ ସୁପ୍ରିୟୋ ବାଲିଗଞ୍ଜ ବିଧାନସଭା ଉପନିର୍ବାଚନରେ ଆମର ପ୍ରାର୍ଥୀ ହେବେ। ଜୟ ହିନ୍ଦ୍, ଜୟ ବାଙ୍ଗ୍ଲା, ଜୟ ମା-ମାଟି-ମାନୁଷ୍।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ପାର୍ଟି ଛାଡ଼ି ଶତୃଘ୍ନ ସିହ୍ନା ଗତବର୍ଷ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଥିବା ବେଳେ ‘ବିଜେପି’ ସରକାରରେ ମନ୍ତ୍ରୀ ଥିବା ସୁପ୍ରିୟୋ ବିଧାନସଭା ନିର୍ବାଚନ ପରେ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଥିଲେ। ଗତବର୍ଷ ଅକ୍ଟୋବର ମାସରେ ସୁପ୍ରିୟୋ ଆସାନ୍ସୋଲ୍ ସାଂସଦ ପଦରୁ ଇସ୍ତଫା ଦେଇଥିଲେ।
ନିର୍ବାଚନ କମିସନ୍ କହିବା ଅନୁସାରେ, ୧ଟି ଲୋକସଭା ଆସନ ଏବଂ ୪ଟି ରାଜ୍ୟରେ ୪ଟି ବିଧାନସଭା ଆସନ ନିମନ୍ତେ ଏପ୍ରିଲ୍ ୧୨ ତାରିଖ ଦିନ ଉପ-ନିର୍ବାଚନ କରାଯିବ। ଏଥିପାଇଁ ମାର୍ଚ ୧୭ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବ। ଭୋଟ୍ ଗଣନା ହେବ ଏପ୍ରିଲ୍ ୧୬ ତାରିଖ ଦିନ।