ଆଜି ବିଶ୍ବ ଖୁସି ଦିବସ: ଖୁସିର ମନ୍ତ୍ର

ଡ଼. ଦେବୀଲାଲ ମିଶ୍ର

ଆଜିର ସମୟରେ ସମସ୍ତେ ଖୁସି ପାଇବାକୁ ବ୍ୟାକୁଳ। କିନ୍ତୁ ଦେଖିବାକୁ ଗଲେ ଖୁସିର ସଂଜ୍ଞା ସମସ୍ତଙ୍କ ପାଇଁ ଭିନ୍ନ। ଜୀବନରେ ଖୁସି ପାଇଁ ଅନେକ ଲୋକ ଅନେକ ଚେଷ୍ଟା କରିଥାନ୍ତି। କିନ୍ତୁ ପ୍ରକୃତ ଖୁସି ଆମ ନିଜ ଭିତରେ ହିଁ ଥାଏ। ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ଆମେ ଆମ ଖୁସି ପାଇଁ ଯେ ପର୍ଯ୍ୟନ୍ତ ଅନ୍ୟ ଉପରେ ନିର୍ଭରଶୀଳ ହେବା, ସେ ପର୍ଯ୍ୟନ୍ତ ଆମେ ଦାସତ୍ବ ବା ବନ୍ଧନରୁ ମୁକ୍ତ ହୋଇପାରିବା ନାହିଁ। ଯେ ପର୍ଯ୍ୟନ୍ତ ଆମେ କୌଣସି ନା କୌଣସି ବନ୍ଧନରେ ଅଛୁ, ସେ ପର୍ଯ୍ୟନ୍ତ ପ୍ରକୃତ ଖୁସି ମିଳିବା କଷ୍ଟକର। ଆମେ ସାଧାରଣ ଜୀବନରେ ଖୁସି ପାଇଁ ବାହ୍ୟ ସାଧନ ଉପରେ ପ୍ରାୟତଃ ନିର୍ଭର କରୁ। କିନ୍ତୁ କୌଣସି ବାହ୍ୟ ସାଧନା ପ୍ରକୃତ ଖୁସିର ଉତ୍ସ ହୋଇ ନ ପାରେ। ଆମର ଖୁସି ଆମ ଉପରେ ହିଁ ନିର୍ଭର କରେ। ଆମ ଭାବନା, ଚେତନା ଓ ଚିନ୍ତାଧାରା ହିଁ ପରିଶେଷରେ ଆମ ଖୁସିର ଉତ୍ସ ପା‌ଲଟେ। ଭଗବାନ ଶ୍ରୀକୃଷ୍ଣ ଭଗବଦ୍‌ଗୀତାରେ ଅଜୁର୍ନଙ୍କୁ ତିନି ପ୍ରକାର ଖୁସି ବା ସୁଖର କଥା କହିଛନ୍ତି: ସାତ୍ତ୍ବିକ, ରାଜସିକ ଓ ତାମସିକ। ରାଜସିକ ସୁଖ ଇନ୍ଦ୍ରିୟ-ପ୍ରଧାନ ହୋଇଥିବା ବେଳେ ତାମସିକ ସୁଖ ଅଜ୍ଞତା-ଆଧାରିତ ହୋଇଥାଏ। ଏ ସବୁ ସୁଖ ସାମୟିକ ଓ କ୍ଷଣସ୍ଥାୟୀ। ଏଥିରେ ଜଗତର କଲ୍ୟାଣ ନ ଥାଏ। ଶ୍ରୀକୃଷ୍ଣଙ୍କ ଭାଷାରେ ସାତ୍ତ୍ବିକ ସୁଖ ହିଁ ଶ୍ରେଷ୍ଠ ଓ ଶ୍ରେୟସ୍କର। କାରଣ ଏହା ଆତ୍ମଜ୍ଞାନ-ଆଧାରିତ ଓ ଆତ୍ମାର ଉତ୍ଥାନରେ ପ୍ରାପ୍ତ ହୋଇଥାଏ। ଏଥିପାଇଁ ଭୀଷଣ ଅଭ୍ୟାସ ଓ ଅନୁଶାସନ ଆବଶ୍ୟକ।

ଗୀତାର ଅନ୍ୟ ଏକ ଶ୍ଲୋକରେ କୁହାଯାଇଛି ଯେ ଦୃଢ଼ ଆସ୍ଥା, ଶ୍ରଦ୍ଧା, ସଂଯମ ଓ ଜ୍ଞାନ ମାଧ୍ୟମରେ ପ୍ରକୃତ ଶାନ୍ତି ପ୍ରାପ୍ତ ହୋଇଥାଏ, ଯାହା ବିନା ଜୀବନରେ ଖୁସି ସମ୍ଭବ ନୁହେଁ। ପ୍ରକୃତ ଖୁସି ପାଇଁ ଆମେ ଅନ୍ତର୍ମୁଖୀ ହେବା ଜରୁରୀ। ନିଜ ଭିତରେ ଥିବା ସକାରାତ୍ମକ ଊର୍ଜ୍ଜାକୁ ସନ୍ଧାନ କରିବା ସହ ନିଜ ସାମର୍ଥ୍ୟକୁ କ୍ଷୁଦ୍ର ସ୍ବାର୍ଥର ଊର୍ଦ୍ଧ୍ବରେ ଉପଯୋଗ କଲେ ଆମ ଜୀବନ ସଫଳ ହୋଇପାରିବ। ଆମ ଜୀବନରେ ଖୁସି ଅନେକାଂଶରେ ଆମ ନିର୍ଣ୍ଣୟ ଉପରେ ପର୍ଯ୍ୟବସିତ। ସେଥିପାଇଁ ଆମ ଖୁସି ଆମର ଦାୟିତ୍ବ। ଭୟ ସ୍ଥାନରେ ଆସ୍ଥା, ନୈରାଶ୍ୟ ସ୍ଥାନରେ ସ୍ବପ୍ନ, ଯନ୍ତ୍ରଣା ସ୍ଥାନରେ ଧୈର୍ଯ୍ୟ, ଅହଂକାର ସ୍ଥାନରେ ଜ୍ଞାନ, ବିପଦ ସ୍ଥାନରେ ବିଶ୍ବାସ ଓ ଘୃଣା ସ୍ଥାନରେ ପ୍ରେମକୁ ରଖିପାରିଲେ ଆମ ଖୁସିକୁ ଆମଠାରୁ କେହି ଛଡ଼ାଇ ନେଇ ପାରିବେ ନାହିଁ।  ପ୍ରକୃତ ଖୁସି ଏକ ସକାରାତ୍ମକ ଅନୁଭୂତି- ନିଜ ପାଇଁ ଏବଂ ଅନ୍ୟ ପାଇଁ ମଧ୍ୟ। ଏହି ଅନୁଭୂତି ଆମ ଭିତରେ ଥିବା ସହୃଦୟତା, ସମ୍ବେଦନଶୀଳତା ଓ ସତ୍ୟନିଷ୍ଠର ପରିଚାୟକ।

୨୦୧୩ ମସିହାଠାରୁ ସଂଯୁକ୍ତରାଷ୍ଟ୍ର ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଆନ୍ତର୍ଜାତିକ ଖୁସି ଦିବସ ପାଳନ କରିଆସୁଛି। ଆମ ଜୀବନରେ ଖୁସିର ଗୁରୁତ୍ବକୁ ବୁଝିବା ପାଇଁ ତଥା ଆମ ଚାରିପଟେ ଥିବା ଲୋକମାନଙ୍କର ଖୁସି ପାଇଁ ଯତ୍ନଶୀଳ ହେବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। କାରଣ ଖୁସି ବିନା ଜୀବନ ଅର୍ଥହୀନ। ତେଣୁ ଖାଲି ଆମ ଜୀବନରେ ନୁହେଁ, ଅପିତୁ ଅନ୍ୟର ଜୀବନରେ ଖୁସି ଫୁଟାଇବାର ଛୋଟ-ବଡ଼ ପ୍ରୟାସ ଆମ ସମସ୍ତଙ୍କର ଧ୍ୟେୟ ହେବା ଜରୁରୀ। ଆମ ଜୀବନରେ ଆମେ ସଚେତନ, କୃତଜ୍ଞ ଓ ଦୟାଳୁ ହେବା ଉଚିତ।

ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର