ଆଜି ଶେଷ ପର୍ଯ୍ୟାୟ ଭୋଟ୍‌ : ୧୦.୧ କୋଟି ଭୋଟର୍‌, ୯୧୮ ପ୍ରାର୍ଥୀ

ବାରଣାସୀ ଉପରେ ସମସ୍ତଙ୍କ ନଜର, ବିହାରରେ ୪ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଆସନ୍ତାକାଲି (ରବିବାର) ଭୋଟ୍‌ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ମୋଟ ୫୯ ଆସନରେ ମତଦାନ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ମଧ୍ୟ ରହିଛି। ବାରଣାସୀ ଉପରେ ଏବେ ସମଗ୍ର ବିଶ୍ବର ନଜର ରହିଛି। ୬ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଭୋଟ୍‌ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

ଶେଷ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୩ଟି ଲୋକସଭା ଆସନ, ପଂଜାବର ସମସ୍ତ ୧୩ଟି ଆସନ, ପଶ୍ଚିମବଂଗର ୯ଟି ଆସନ, ବିହାର ଏବଂ ମଧ୍ୟ ପ୍ରଦେଶର ୮ଟି ଲେଖାଏଁ ଆସନ, ହିମାଚଳ ପ୍ରଦେଶର ସମସ୍ତ ୪ଟି ଲୋକସଭା ଆସନ, ଝାଡ଼ଖଣ୍ଡର ୩ଟି ଆସନ ଏବଂ ଚଣ୍ଡିଗଡ଼ ଆସନରେ ଭୋଟ୍‌ ଗ୍ରହଣ ହେବ। ମୋଟ ୯୧୮ ଜଣ ପ୍ରାର୍ଥୀ ଶେଷ ପର୍ଯ୍ୟାୟ ପାଇଁ ମଇଦାନରେ ଥିବା ବେଳେ ୧୦.୧ କୋଟି ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ନିର୍ବାଚନ କମିସନ ୧.୧୨ ଲକ୍ଷ ଭୋଟ୍‌ ଗ୍ରହଣ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି। ଶେଷ ପର୍ଯ୍ୟାୟ ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ଆସନ ହେଉଛି ବାରଣାସୀ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ୨୫ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। କଂଗ୍ରେସରୁ ଅଜୟ ରାୟ ପ୍ରାର୍ଥୀ ହୋଇଥିବା ବେଳେ ଏସ୍‌ପି-ବିଏସ୍‌ପି ମହାମେଣ୍ଟରୁ ଶାଳିନୀ ଯାଦବ ପ୍ରାର୍ଥୀ ହୋଇଛନ୍ତି। ଶେଷ ପର୍ଯ୍ୟାୟରେ ବିହାରରେ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ସେମାନେ ହେଲେ ରବିଶଙ୍କର ପ୍ରସାଦ, ରାମ କୃପାଳ ଯାଦବ, ଆର୍‌କେ ସିଂହ ଏବଂ ଅଶ୍ବିନୀ କୁମାର ଚୌବେ। ବିହାରର ୧୫୭ ପ୍ରାର୍ଥୀଙ୍କ ମଧ୍ୟରେ ଏହି ୪ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଉତ୍ତରପ୍ରଦେଶର ଗାଜିପୁର ଆସନରେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ପ୍ରାର୍ଥୀ ଅଛନ୍ତି।

ଶେଷ ପର୍ଯ୍ୟାୟରେ ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ସନ୍ନି ଦେଓଲ, ପୂର୍ବତନ ପଂଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ବାଦଲ ଏବଂ ତାଙ୍କ ପତ୍ନୀ ତଥା କେନ୍ଦ୍ରମନ୍ତ୍ରୀ ହରସିମରନ କୌର, କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରନିତ କୌର, ସାଂସଦ ଅନୁରାଗ ଠାକୁର, ଝାଡ଼ଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ପି.କେ. ବଂଶଲ। ହିଂସାଗ୍ରସ୍ତ ପଶ୍ଚିମବଂଗରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଠାରେ ମୋଟ ୯ଟି ଆସନରେ ୧୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। । ଦୀର୍ଘ ୫୦ ଦିନ ଧରି ଚାଲିଥିବା ମାରାଥନ୍‌ ପ୍ରଚାରରେ ଗତକାଲି ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ବିଗତ ୬ଟି ପର୍ଯ୍ୟାୟରେ ହିଂସା ପାଇଁ ପଶ୍ଚିମବଂଗ ଚର୍ଚ୍ଚାରେ ରହିଥିଲା।

ସମ୍ବନ୍ଧିତ ଖବର