ହକିରେ ଭାରତର ଦମଦାର ପ୍ରଦର୍ଶନ; ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଲା ଭାରତ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି। ଆଜି ପ୍ରଥମ ମୁକାବିଲାରେ ଦେଖିବାକୁ ମିଳିଛି ଭାରତର ଦମଦାର ବିଜୟ। ଅଲିମ୍ପିକ୍ସରେ ଭାରତର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା ଭାରତ। ଭାରତ ବିଜୟର ହିରୋ ରହିଥିଲେ ହରମନପ୍ରୀତ। ସେ ଦୁଇଟି ଗୋଲ ଦେଇଥିଲେ। ରୁପେନ୍ଦ୍ର ପାଲ ସିଂହ ଗୋଟିଏ ଗୋଲ ଦେଇଥିଲେ। ପ୍ରଥମ କ୍ୱାର୍ଟରରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା ଭାରତ।

ପ୍ରଥମ କ୍ୱାର୍ଟର ଶେଷ ବେଳକୁ ୧-୧ରେ ସମାନ ଥିଲା। ଦ୍ୱିତୀୟ କ୍ୱାର୍ଟରରେ ଆଉ ଏକ ଗୋଲ ଦେଇଥିଲା ଭାରତ। ତୃତୀୟ କ୍ୱାର୍ଟରର ଆରମ୍ଭରୁ ହରମନପ୍ରୀତ ପେନାଲ୍ଟିର ଫାଇଦା ଉଠାଇ ଆଉ ଏକ ଗୋଲ ଦେଇ ୩-୧ରେ ଦଳକୁ ଆଗୁଆ କରିଥିଲେ। ହେଲେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ପ୍ରଥମ ଫିଲ୍ଡ ଗୋଲ କରି ଆଉ ଏକ ଗୋଲ ଦେଇଥିଲା ନ୍ୟୁଜିଲାଣ୍ଡ , ଫଳରେ ମ୍ୟାଚ ୨-୩ ସ୍ତରକୁ ଆସିଥିଲା । ଶେଷ କ୍ୱାର୍ଟର ସୁଦ୍ଧା ଭାରତ ୩-୨ରେ ଆଗୁଆ ରହି ରୋମାଂଚକର ବିଜୟ ହାସଲ କରିଥିଲା। ଭାରତୀୟ ପୁରୁଷ ଦଳରେ ଅମିତ ରୋହିଦାଶ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିଲେ। ଏହା ସହିତ ଅମିତ ରୋହିଦାଶ ଅଲିମ୍ପିକ୍ସ ପଦାର୍ପଣ କରିଛନ୍ତି।

ଆସନ୍ତାକାଲି ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ। ସେପଟେ ମହିଳା ଦଳର ଆଜି ଟୋକିଓରେ ଅଭିଯାନ ଆରମ୍ଭ କରିବ । ଭାରତୀୟ ମହିଳା ଦଳର ମୁକାବିଲା ନେଦରଲାଣ୍ଡ ସହିତ ରହିଛି । ଅପରାହ୍ନ ୫ଟା ୧୫ ମିନିଟରେ ଏହି ମ୍ୟାଚ୍ ଖେଳାଯିବ।
ସମ୍ବନ୍ଧିତ ଖବର