ରାୟଗଡ଼ା(ଶିବ ପ୍ରସାଦ ଦୋରା): ଦକ୍ଷିଣ ଭାରତର ଅଭିନେତ୍ରୀ ଡିମ୍ପଲ ହୟାଥୀ ଏବଂ ତାଙ୍କ ସ୍ବାମୀ ଡେଭିଡଙ୍କ ବିରୋଧରେ ତାଙ୍କ ଗୃହରେ କାର୍ଯ୍ୟ କରୁଥିବା ଘରୋଇ ସହାୟକ ପ୍ରିୟଙ୍କା ବିଭାର ହାଇଦ୍ରାବାଦ ସ୍ଥିତ ଫିଲ୍ମ ନଗର ପୁଲିସ ଷ୍ଟେସନରେ ତାଙ୍କୁ ଗାଳି ଗୁଲଜ କରିବା, ହଇରାଣ କରିବା ଏବଂ ହିଂସାତ୍ମକ ଆଚରଣ କରୁଥିବା ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ରାୟଗଡା ଜିଲ୍ଲାର ପ୍ରିୟଙ୍କା ଅଭିନେତ୍ରୀ ଡିମ୍ପଲଙ୍କ ହାଇଦ୍ରାବାଦ ବଞାର ହିଲ ସ୍ଥିତ ୱେଷ୍ଟ ଉଡ ଆପାର୍ଟମେଣ୍ଟରେ ଘରୋଇ ସହାୟକ ରୂପେ କାର୍ଯ୍ୟ କରୁଥିଲେ। ୨୨ ବର୍ଷୀୟ ପ୍ରିୟଙ୍କା ନିଜ ଅଭିଯୋଗରେ ଉଲ୍ଲେଖ କରି କହିଛନ୍ତି ଯେ ସେ ଅଭିନେତ୍ରୀଙ୍କ ଘରେ କାର୍ଯ୍ୟ କରିବା ଦିନ ଠାରୁ ତାଙ୍କୁ ଅବିରତ ଭାବେ ଅପମାନ ଦେବା,ଠିକ ରୂପେ ଖାଇବାକୁ ନ ଦେବା,ମାତ୍ରାଧିକ କାର୍ଯ୍ୟ ବୋଝଦେବା ସହ ହିଂସାତ୍ମକ ଆଚରଣ କରୁଥିଲେ। ଏପରି କି ପ୍ରିୟଙ୍କା ନିଜ ଅଭିଯୋଗରେ କହିଛନ୍ତି ଯେ ଅଭିନେତ୍ରୀ ଜଣଙ୍କ ତାଙ୍କୁ ତମ ଜୀବନ ମୋର ଚପଲ ଠାରୁ ମଧ୍ୟ ହୀନ ବୋଲି କହିଥିବା ଉଲ୍ଲେଖ କରିଛନ୍ତି।
ଗତ ୨୯ ତାରିଖ ଦିନ କୌଣସି କାରଣ ଯୋଗୁଁ ଡିମ୍ପଲ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ କଳିର ସୂତ୍ରପାତ ହୋଇ ଉଭୟ ଦମ୍ପତ୍ତି ତାଙ୍କୁ ଧମକାଇବା ସହ ଶାରୀରିକ ଆକ୍ରମଣ ମଧ୍ୟ କରିଥିଲେ। ଏହି ସମୟରେ ଘଟଣାକୁ ପ୍ରିୟଙ୍କା ମୋବାଇଲରେ ରେକର୍ଡିଂ କରୁଥବା ବେଳେ ତାଙ୍କ ଫୋନକୁ ନଷ୍ଟ କରିଦେଇଥିଲେ। ଏପରିକି ଏହି ସମୟରେ ପ୍ରିୟଙ୍କା ପିନ୍ଧିଥିବା ବସ୍ତ୍ର ମଧ୍ୟ ଚିରିଯାଇଥବା ସେ ଅଭିଯୋଗ କରି କହିଛନ୍ତି।
କୌଶଳକ୍ରମେ ସେଠାର ଖସିଯାଇ ସେ ନିଜର ଏଜେଣ୍ଟଙ୍କ ସହାୟତାରେ ପୁଲିସ ନିକଟରେ ଅଭିଯୋଗ କରିଥିବା କହିଛନ୍ତି। ଅଭିଯୋଗ ପରେ ଫିଲ୍ମ ନଗର ପୁଲିସ ଅଭିନେତା ଦମ୍ପତ୍ତିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୭୪,୭୯,୩୫୧(୨)ଓ ୩୨୪(୨) କେସ ରୁଜୁ କରି ଘଟଣାର ତଦନ୍ତ କରୁଛି। ଏଠାରେ ସୂଚନାଯୋଗ୍ୟ ଯେ ଦକ୍ଷିଣ ଭାରତୀୟ ତେଲୁଗୁ ଅଭିନେତ୍ରୀ ରାମବନମ,ଖିଲାଡୀ,ଭୀରମାୟେ ଭାଗାଇ ସୂଦମ,ଅତରଙ୍ଗି ରେ ଓ ୟୁରେକା ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
Rayagada