ବାଲିପାଟଣା: ବାଲିପାଟଣା ଥାନା ବଦଳାପଡ଼ା ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଆଗରୁ ଦୁର୍ବୃତ୍ତମାନେ ଦେଢ଼ ମାସ ତଳେ କିଣା ହୋଇଥିବା ଟ୍ରାକ୍ଟର ଚୋରି କରି ନେଇଛନ୍ତି। ଲୋକେ ଚଳପ୍ରଚଳ କରୁଥିବା ଅବସ୍ଥାରେ ଟ୍ରାକ୍ଟର ଚୋରି ହୋଇଥିବା କୁହାଯାଉଛି। ଦୁର୍ବୃତ୍ତମାନେ ଗୋଟିଏ ବାଇକରେ ଆସି ଟ୍ରାକ୍ଟର ନେଇ ଛୁ ମାରୁଥିଵା ଦୃଶ୍ୟ ସିସି ଟିଭି ଭିଡିଓରେ କଏଦ ହୋଇଯାଇଛି। ଏନେଇ ଥାନାରେ ଅଭିଯୋଗ ହେବ ବୋଲି ଜଣା ପଡ଼ିଛି।
ସୂଚନା ଅନୁସାରେ, ଆଲିସି ପଞ୍ଚାୟତ ବଦଳାପଡ଼ା ଗ୍ରାମର ଜଗନ୍ନାଥ ବେହେରାଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ନାମରେ ଦେଢ଼ ମାସ ତଳେ ଟ୍ରାକ୍ଟର କିଣିଥିଲେ। ଏକ ଫାଇନାନସ ସଂସ୍ଥାରେ  ୧. ୨୦ ଲକ୍ଷ ଟଙ୍କା ପଇଠ କରି ଗାଡ଼ି ଆଣିଥିଲେ। ପ୍ରଥମ କିସ୍ତି ଦେବା ଅବଧି ହୋଇ ନାହିଁ। କିନ୍ତୁ କେହି ଦୁର୍ବୃତ୍ତ ଗତକାଲି ରାତିରେ ଘର ସାମ୍ନାରୁ ଟ୍ରାକ୍ଟର ଚୋରି କରି ନେଇଛନ୍ତି।

Advertisment

 ଏନେଇ ଗୀତାଞ୍ଜଳି ଥାନାରେ କରିଥିବା ଅଭିଯୋଗ ଅନୁସାରେ,ସବୁଦିନ ଭଳି ତାଙ୍କ ଘର ସାମ୍ନା ଦାଣ୍ଡ ଦୁଆରେ ଟ୍ରାକ୍ଟର ରଖାଯାଇଥିଲା। ଟ୍ରାକ୍ଟର ଗାଡ଼ି ନଂ ଓ ଡ଼ି ୨୯ ଏଲ୍ ୬୦୭୧ କୁ କେହି ଦୁର୍ବୃତ୍ତ ଗତକାଲି ରାତିରେ ଚୋରି କରି ନେଇଛି। ପରିବାର ଲୋକେ ରାତି ୧୦ଟାରେ ଖାଇ ସାରି କବାଟ କିଳି ଶୋଇ ପଡ଼ିଥିଲେ। ଆଜି ସକାଳୁ ଉଠି ଦାଣ୍ଡରେ ଟ୍ରାକ୍ଟର ନ ଥିବା ଦେଖିଥିଲେ। ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି ଟିଭି ଫୁଟେଜ ତଦାରଖ କରିଥିଲେ। ରାତି ପ୍ରାୟ ସାଢେ ୧୦ଟା ରେ ୩ ଜଣ ଯୁବକ ଟ୍ରାକ୍ଟର ଚୋରି କରିଥିବା କୁହାଯାଉଛି। ଏକ ନାଲି ରଙ୍ଗ ବାଇକ ଆଗରେ ଯାଉଥିବା ବେଳେ ତା ପଛରେ ଟ୍ରାକ୍ଟର ଯାଉଥିବା ଜଣାପଡ଼ିଛି। ଟ୍ରାକ୍ଟର ଚାରି ପାଖରେ ଅନ୍ୟାନ୍ୟ ଚାରି ଚକିଆ ଯାନ ଥୁଆ ହୋଇଥିଲା। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ଟ୍ରାକ୍ଟରକୁ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଏନେଇ ପରିବାରରେ ଭାଲେଣି ପଡ଼ିଛି।