ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଖୋଜା ଚାଲିଛି, ଖୋଜୁଛି ଜନସ୍ୱାସ୍ଥ୍ୟ ବିଭାଗର ସର୍ଭେଲାନ୍ସ ଟିମ

ଭୁବନେଶ୍ବର: ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଖୋଜା ଚାଲିଛି ତାଙ୍କ ଯାତ୍ରା ଇତିହାସ । ଜନସ୍ୱାସ୍ଥ୍ୟ ବିଭାଗର ସର୍ଭେଲାନ୍ସ ଟିମ ଖୋଜୁଛି ସେ କେଉଁଠି ଯାଇଥିଲେ ଏବଂ କେମିତି କରୋନାରେ ସଂକ୍ରମିତ ହେଲେ । ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଡିଏମଇଟି ଡା.ସିବିକେ ମହାନ୍ତି। ଆକ୍ରାନ୍ତ  କେମିତି ସଂକ୍ରମିତ ହେଲେ ତାହା ଜାଣିବା ରାଜ୍ୟ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ସେ ବିଦେଶରୁ ଆସିଥିଲେ ନା ଏହି ସ୍ଥାନରେ କାହାଠାରୁ ସଂକ୍ରମିତ ହୋଇଛନ୍ତି । ଏମ୍ସରେ ଭର୍ତ୍ତି ହୋଇଥିବା ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନମୁନାରେ ଗତକାଲି କରୋନା ଭୂତାଣୁ ଠାବ ହୋଇଛି । ସେ ବିଭିନ୍ନ ରୋଗରେ ପୀଡିତ ଥିବା ଜଣାପଡିଛି । ଏହା ଓଡିଶାରେ ପଞ୍ଚମ କରୋନା ପଜିଟିଭ୍ ।

ଗତକାଲି ଏମ୍ସରେ ହୋଇଥିବା ରକ୍ତ ନମୁନା ପରୀକ୍ଷାରେ ଏହି ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପଜିଟିଭ ରିପୋର୍ଟ ଆସିଛି । ବର୍ତ୍ତମାନ ସୁଦ୍ଧା ଓଡିଶାରେ ୯୦୦ ନମୁନା ପରୀକ୍ଷାରୁ ୫ ପଜିଟିଭ ଚିହ୍ନଟ ହୋଇଛି । ବୁଧବାର ଓଡିଶାରେ ୨୯୦ଟି ନମୁନାର ପରୀକ୍ଷା ହୋଇଥିଲା । ଆରଏମଆରସିରେ ୨୨୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି । ଏମ୍ସରେ ୫୩ ନମୁନା ପରୀକ୍ଷା ହୋଇଥିଲା ଯେଉଁଥିରେ ଗୋଟିଏ ପଜିଟିଭ ଓ ବାକିସବୁ ଆସିଛି ନେଗେଟିଭ ରିପୋର୍ଟ । ସେହିପରି ଏସସିବିରେ ପରୀକ୍ଷା ହୋଇଥିବା ୧୧ ନମୁନାର ରିପୋର୍ଟ ନେଗେଟିଭ ଆସିଛି । ଓଡିଶାରେ ୯୦୦ ଜଣ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର