କଲେଜ ପାଚେରି ପାଇଁ ଗଛ କଟା ପ୍ରସଙ୍ଗ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଓ ଠିକା ସଂସ୍ଥା ପରିଚାଳକଙ୍କୁ ପଚରାଉଚରା

ସୁନ୍ଦରଗଡ଼ : ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସାଢ଼େ ୪ କୋଟି ବ୍ୟୟ ଅଟକଳରେ ସୁନ୍ଦରଗଡ଼ କଲେଜ ପାଚେରୀ ନିର୍ମାଣ ପାଇଁ ୧୫ ତାରିଖରେ ନିଅଁ ଖୋଳିବାକୁ ଯାଇ ଟେଣ୍ଡର ପ୍ରାପ୍ତ ସଂସ୍ଥା କଟକର ଡିପିଏସ କନଷ୍ଟ୍ରକ୍ସନ ପ୍ରାୟ ୫ ଶହ ଗଛ ଉପାଡ଼ି ଦେଇଥିଲେ। ଏଥିପାଇଁ ସେ ବନବିଭାଗର ଅନୁମତି ନେଇ ନଥିବା ପ୍ରକାଶ ପାଇଥିଲା। ଖୋଦ୍ ସୁନ୍ଦରଗଡ଼ ବନପାଳ ବିନୋଦ ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ନଷ୍ଟ ଗଛର ତାଲିକା ତିଆରି କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏ ସମ୍ପର୍କିତ ଖବରଟି ‘ସମ୍ବାଦ’ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ସୁନ୍ଦରଗଡ଼ ବନାଞ୍ଚଳ ଅଧିକାରୀ କାର୍ଯ୍ୟ ନିର୍ବାହୀ ସଂସ୍ଥା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ମିହିର ପାତ୍ର ଓ ଠିକା ସଂସ୍ଥା ପରିଚାଳକ ପ୍ରଦୀପ କୁମାର ଜେନାଙ୍କୁ ଡାକି ବେଆଇନ ଗଛକଟା ସମ୍ପର୍କରେ ପଚରାଉଚରା କରିଥିଲେ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀ ପାତ୍ର ଗଛକଟା ସମ୍ପର୍କରେ କିଛି ଜାଣି ନଥିବା ପ୍ରକାଶ କରିଥିବା ସୂଚନା ମିଳିଛି। ତେବେ ୩ ଦିନ ପରେ ବି ତଦନ୍ତରେ ଦିନ ଗଡ଼ାଉଥିବା ବନବିଭାଗ ଏଯାଏ କମ୍ପାନି ବିରୋଧରେ ମାମଲା ରୁଜୁ କରି ନାହିଁ।

ସୂଚନାଯୋଗ୍ୟ, ୨୦୧୪ରେ ସୁନ୍ଦରଗଡ଼ କଲେଜର ୧୫୪ ଏକର ଜମିରୁ ଖାଲି ପଡ଼ିଥିବା ଜମିରେ ବନବିଭାଗ ଚାରାରୋପଣ କରିଥିଲା। ଗଛର ସୁରକ୍ଷା ପାଇଁ ତାରବାଡ଼ ମଧ୍ୟ ଦିଆଯାଇଥିଲା। ୫ ବର୍ଷ ମଧ୍ୟରେ ଚାରାଗୁଡ଼ିକ ବଢ଼ି କଲେଜ ପଛପଟେ ଏକ ପ୍ରକାର ଜଙ୍ଗଲ ହୋଇଯାଇଥିଲା। ପଛପଟେ କୋଇଲା ପରିବହନ ପାଇଁ ଥିବା ବାଏପାସ ରାସ୍ତାର ଧୂଳିଧୂଆଁରୁ ଗଛଗୁଡ଼ିକ ସୁରକ୍ଷା ଦେଇ ଆସୁଥିଲା। ତେବେ କିଛି ଜମି ଜବରଦଖଲରେ ଥିବାରୁ ତାକୁ ଉଚ୍ଛେଦ କରି ସବୁ ଜମି କଲେଜ ଅଧୀନକୁ ଆଣିବାକୁ ବିଧାୟିକା କୁସୁମ ଟେଟେ ଦାବି କରିଥିଲେ। ଏହା ପରେ ପ୍ରଶାସନ ଜମି ଚିହ୍ନଟ କରି ଜବରଦଖଲ ଉଚ୍ଛେଦ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ କଲେଜ ଜମିକୁ ପାଚେରି ଘେରାଇବାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୪.୫ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଗଲା। ପୂର୍ତ୍ତ ବିଭାଗ ଜରିଆରେ କାମ ହେବାକୁ ଥିବା ବେଳେ ଟେଣ୍ଡର ପାଇଥିବା କଟକର ଡିପିଏସ କନଷ୍ଟ୍ରକ୍ସନ କମ୍ପାନିର ମ୍ୟାନେଜର ପ୍ରଦୀପ କୁମାର ଜେନା ପାଚେରିର ନିଅଁ ଖୋଳିବାକୁ ଯାଇ ଜେସିବିରେ ଗଛଗୁଡ଼ିକୁ ଉପାଡ଼ି ନଷ୍ଟ କରିଦେଇଥିଲେ। ସେହିପରି ଲେଫ୍ରିପଡ଼ା ଡୁମାବାହାଲରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ୧୪୫ଟି ଗଛ କାଟି ୧୫ ଏକର ଗୋଚର ଜମିକୁ ପଦା କରିଦେବା ଘଟଣାରେ ମଧ୍ୟ ବନବିଭାଗ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ରହିଛି। ଉଭୟ ଘଟଣାରେ ବିଭାଗର କାର୍ଯ୍ୟଶୈଳୀ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବନଖଣ୍ଡ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର