ବାଲେଶ୍ୱର : ଏଥର ବାଲେଶ୍ୱର ଲୋକସଭା ଆସନରେ ହେବ ବିଗ୍ ଫାଇଟ୍ । କାରଣ ଆଜି ବାଲେଶ୍ୱର ପାଇଁ କାର୍ଡ ଖୋଲିଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱର ନିର୍ବାଚନୀ ମୈଦାନ ପାଇଁ ବାଛିଛନ୍ତି କଂଗ୍ରେସ ହାଇକମାଣ୍ଡ । କଂଗ୍ରେସ ଦଳରୁ ଶ୍ରୀକାନ୍ତ ବିଦା ହେବା ପରେ କିଏ ଲଢିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଆଜି ଏହା ଉପରୁ ପରଦା ଉଠିଛି ଆଉ ନିରଞ୍ଜନଙ୍କ ପୁତ୍ର ନବଜ୍ୟୋତି ବାଲେଶ୍ୱର ଲୋକସଭା ଆସନରୁ ଲଢିବେ ବୋଲି ଘୋଷଣା ହୋଇଛି । ବର୍ତ୍ତମାନ ନବଜ୍ୟୋତି ମଧ୍ୟ ବାଲେଶ୍ୱରରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବଳ କଷିବା ଆରମ୍ଭ କରିଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସେପଟେ ବିଜେଡି ମଧ୍ୟ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପୁଣି ଥରେ ବାଲେଶ୍ୱର ମଙ୍ଗ ଧରାଇଛି । ଅନେକ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରବୀନ୍ଦ୍ରଙ୍କୁ ପୁଣି ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତି ନିର୍ବାଚନରେ ବଦଳୁଥିବା ବାଲେଶ୍ୱର ଲୋକସଭା କ୍ଷେତ୍ରର ଚିତ୍ର ଏଥର ଭିନ୍ନ ମୋଡ଼ ନେବାକୁ ଯାଉଛି । କାରଣ ପୂର୍ବ ନିର୍ବାଚନଗୁଡ଼ିକୁ ଅନୁଧ୍ୟାନ କରାଗଲେ, ୨୦୦୯ ପୂର୍ବରୁ ଖାରବେଳ ସ୍ୱାଇଁ ବିଜେପି ପ୍ରାର୍ଥୀ ଭାବେ ବାଲେଶ୍ୱର ଆସନରେ ଜିତି ଆସୁଥିଲେ। ସେହିଭଳି ୨୦୦୯ରେ ଏହି ଆସନରେ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ ଶ୍ରୀକାନ୍ତ ଜେନା। ପରେ ୨୦୧୪ରେ ବିଜୟୀ ହୋଇଥିଲେ ବିଜେଡିର ରବୀନ୍ଦ୍ର ଜେନା। ତେବେ ବାଲେଶ୍ୱରରେ ରବୀନ୍ଦ୍ରଙ୍କ ଦବଦବା ରହିଥିବା ବେଳେ ବଳ କଷୁଛନ୍ତି ବିରୋଧୀ ।
ଏଥର ଏହି ଆସନରେ ବାଜିମାତ୍ କରିବା ପାଇଁ ତିନି ପ୍ରମୁଖ ଦଳ ନିଜର ନିଜର କାର୍ଡ଼ ଖୋଲିଥିବା ବେଳେ ବିଜେପିର ପୁରୁଖା ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ୍ ଦେଇଛି ଦଳ । ତେବେ ଏଥର ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କୁ ଟକ୍କର ଦେବା ପାଇଁ ବରିଷ୍ଠ ନେତାଙ୍କ ସାହାରା ନେଇଛି ବିଜେପି । ତେଣୁ ଗତଥର ଭଳି ଏଥର ମଧ୍ୟ ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କୁ ଦଳ ବାଲେଶ୍ୱର ଲୋକସଭା ଆସନ ପାଇଁ ବାଛିଛି । ତେଣୁ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବାଲେଶ୍ୱର ଆସନରେ ଏଥର ମହାଲଢ଼େଇ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।