ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ କାରବାର କରୁଥିବା ଦେଶଗୁଡ଼ିକ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏ ସମ୍ପର୍କରେ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଇରାନ ସହ ଭାରତର ଯଥେଷ୍ଟ ଅଧିକ ଥିବାରୁ ଏହା ଗୁରୁତର ସମସ୍ୟା ସାମ୍ନା କରିବା ଆଶଙ୍କା କରାଯାଉଛି। ପୂର୍ବରୁ ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଇଛି। ପାଲଟା ଶୁଳ୍କ ଭାବେ ୨୫ ପ୍ରତିଶତ ଓ ରୁଷରୁ ତେଲ କିଣୁଥିବାରୁ ଜରିମାନା ଭାବେ ଆଉ ୨୫ ପ୍ରତିଶତ ଶୁଳ୍କ ଲଗାଯାଇଛି। ଏହାବାଦ ଯଦି ଇରାନ ସହ ସମ୍ପର୍କ ପାଇଁ ଆଉ ୨୫ ପ୍ରତିଶତ ଶୁଳ୍କ ଲାଗିବ ତେବେ ଭାରତ ଉପରେ ଆମେରିକା ଲଗାଇଥିବା ଶୁଳ୍କ ପରିମାଣ ୭୫ ପ୍ରତିଶତ ହୋଇଯିବ। ଏହାହେଲେ ଭାରତୀୟ ସାମଗ୍ରୀ ଆମେରିକା ବଜାରରେ ପ୍ରତିଦ୍ବନ୍ଦ୍ବିତା କରିପାରିବ ନାହିଁ, ଯାହା ରପ୍ତାନୀକୁ ଗୁରୁତର ପ୍ରଭାବିତ କରିବ।
ଇରାନ ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ ଇରାନ ସହ କାରବାର କରୁଥିବା ଦେଶମାନଙ୍କୁ ଆମେରିକା ସହ କାରବାର କରିବାକୁ ହେଲେ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ। ଏହି ନିର୍ଦ୍ଦେଶ ଚୂଡାନ୍ତ ବୋଲି ସେ କହିଛନ୍ତି। ଇରାନରେ ଦରଦାମ ବୃଦ୍ଧିକୁ ନେଇ ବ୍ୟାପକ ପ୍ରତିବାଦ ଦେଖିବାକୁ ମିଳିଛି। ସେହି ଅନ୍ଦୋଳନକୁ ସରକାର ଦମନ କରୁଥିବା ଅଭିଯୋଗ ରହିଛି। ଇରାନ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ଟ୍ରମ୍ପ ‘ଶୁଳ୍କ’କୁ ଅସ୍ତ୍ର ଭାବେ ବ୍ୟବହାର କରିଛନ୍ତି। ଟ୍ରମ୍ପଙ୍କ ନିଷ୍ପତ୍ତି ଦ୍ବାରା ଭାରତ ଗୁରୁତର ପ୍ରଭାବିତ ହେବ। କାରଣ ଇରାନ ହେଉଛି ଭାରତର ପଞ୍ଚମ ବୃହତ୍ ବ୍ୟବସାୟ ସହଯୋଗୀ।
ଆହୁରି ପଢନ୍ତୁ: Railway Denied: ଟିକଟ ହିସାବ ପଦ୍ଧତି ଜଣାଇବାକୁ ମନାକଲା ରେଳବାଇ
୨୦୨୫ର ୧୦ ମାସରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୧୩୪ କୋଟି ଡଲାର ଥିଲା। ଇରାନକୁ ଭାରତ ମୁଖ୍ୟତଃ ଚାଉଳ, ଚା, ଚିନି, ଔଷଧ, ହାତ ତିଆରି ସୁତା, ଇଲେକ୍ଟ୍ରିକ୍ ମେସିନ, କୃତ୍ରିମ ଗହଣା ପଠାଉଛି। ସେହିପରି, ଇରାନରୁ ଡ୍ରାଏ ଫ୍ରୁଟ୍ସ, ଅର୍ଗାନିକ୍ କେମିକାଲ୍ ଓ ଗ୍ଲାସ୍ୱେର୍ ଆମଦାନୀ କରୁଛି। ଇରାନ ଉପରେ ଲଗାଯାଇଥିବା କଟକଣା ବାସୁମତୀ ଚାଉଳ ରପ୍ତାନିକାରୀମାନଙ୍କୁ ପ୍ରଭାବିତ କରୁଛି। ରପ୍ତାନୀରେ ବିଳମ୍ବ, ପେମେଣ୍ଟ ଅନିଶ୍ଚିତତା ଆଦି କାରଣ ପାଇଁ ଇରାନକୁ ବାସୁମତି ପଠାଇ ହେଉନାହିଁ। ଫଳରେ ଦେଶ ଭିତରେ ତାହାର ଉପଲବ୍ଧତା ବଢ଼ିବା ସହ ଦାମ୍ କମ୍ ହେବାରେ ଲାଗିଛି।
ଆହୁରି ପଢନ୍ତୁ: Gill Gave Gift: ସର୍ଫରାଜଙ୍କୁ ଗିଲ୍ଙ୍କ ସରପ୍ରାଇଜ୍ ଗିପ୍ଟ
ଯଦି ଇରାନ ସହ ସମ୍ପର୍କ ପାଇଁ ଭାରତ ଉପରେ ଆଉ ୨୫ ପ୍ରତିଶତ ଶୁଳ୍କ ଲାଗିବ ତେବେ ଆମେରିକାକୁ ଭାରତର ବୟନ ସାମଗ୍ରୀ, ପୋଷାକ, ରତ୍ନପଥର ଓ ଗହଣା, ଚମଡ଼ା ସାମଗ୍ରୀ ଓ ଜୋତା, ଅଟୋମୋବାଇଲ୍ ଉପକରଣ, ରାସାୟନିକ ପଦାର୍ଥ ଓ ସାମୁଦ୍ରିକ ସାମଗ୍ରୀ ରପ୍ତାନୀ ଆହୁରି ପ୍ରଭାବିତ ହେବ। ଇରାନରୁ ଆସୁଥିବା ଅଶୋଧିତ ତୈଳ ମଧ୍ୟ ମହଙ୍ଗା ହୋଇଯିବ। ଇରାନ ସଙ୍କଟ ପ୍ରଭାବରେ ଅଶୋଧିତ ତୈଳ ଦର ବଢ଼ିଲେ ତାହା ମଧ୍ୟ ଦେଶକୁ ପ୍ରଭାବିତ କରିବ।
ଭାରତ ପାଇଁ ଆଉ ଏକ ବଡ଼ ସଙ୍କଟ ହେଉଛି ଚାବହାର ବନ୍ଦର।
ଏହି ପ୍ରକଳ୍ପ ଉପରେ ଆମେରିକା ଲଗାଇଥିବା କଟକଣା ଅବଧି ଆସନ୍ତା ଏପ୍ରିଲ୍ରେ ଶେଷ ହେବ। ଏ ସମ୍ପର୍କରେ ଆଲୋଚନା କରିବା ଲାଗି ଚଳିତ ମାସ ୧୫-୧୬ରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଛି ଭାରତ ଆସିବାର ଥିଲା। ସେହି ଗସ୍ତ ବାତିଲ ହୋଇଯାଇଛି। ଭାରତ ପାଇଁ ଚାବହାର ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ। କାରଣ ପାକିସ୍ତାନର ଗ୍ବାଦର ବନ୍ଦର ଜରିଆରେ ଚୀନ ଏହି ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର ଜାରି ରଖିଛି। ୧୦ ବର୍ଷ ପାଇଁ ଚାବହାର ବନ୍ଦର ପରିଚାଳନା କରିବାକୁ ଭାରତ ସରକାର ଚୁକ୍ତି କରିଛନ୍ତି। କେନ୍ଦ୍ରୀୟ ଏସିଆ ପାଇଁ ଏହା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ସେତୁ। ଏହା ଭାରତକୁ କେନ୍ଦ୍ରୀୟ ଏସିଆ, ରୁଷ ଓ ୟୁରୋପ ସହ ଯୋଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/13/untitled-34-2026-01-13-20-07-56.jpg)