ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଅନ୍ତର୍ଜାତୀୟ ମାଷ୍ଟର୍ ଅନ୍ବେଷ ଉପାଧ୍ୟାୟ ଚେକ୍ ରିପବ୍ଲିକ୍ରେ ଦ୍ବିମୁକୁଟ ଅର୍ଜନ କରି ନିଜ ଚେସ୍ ଜୀବନରେ ଆଉ ଏକ ସଫଳ ଫର୍ଦ ଯୋଡ଼ିଛନ୍ତି। ପ୍ରାଗ୍ରେ ଅନୁଷ୍ଠିତ ସମର୍ ଓପନ୍ରେ ଅନ୍ବେଷ ଉଭୟ କ୍ଲାସିକାଲ୍ ଓ ରୢାପିଡ୍ ପ୍ରତିଯୋଗିତାରେ ବିଜେତା ହୋଇଥିବାରୁ ରାଜ୍ୟ ଚେସ୍ରେ ଖୁସିର ଲହରି ଖେଳିଯାଇଛି।
ମର୍ଯ୍ୟାଦାଜନକ ସମର୍ ଓପନ୍ରେ ଉଭୟ ଫର୍ମାଟରେ ଖେଳି ଅନ୍ବେଷ ଲୟରେ ଥିବା ପୁଣି ପ୍ରମାଣିତ କରିଛନ୍ତି। ୨୩୩୦ ରେଟିଂରୁ ବର୍ଷ ଆରମ୍ଭ କରିଥିବା ଅନ୍ବେଷ ଏବେ ୨୩୯୫ ଏଲୋ ରେଟିଂରେ ପହଞ୍ଚି ବଡ଼ ଲମ୍ଫ ମାରିଛନ୍ତି। କଠିନ ପରିଶ୍ରମ ଓ ସଙ୍କଳ୍ପ କାରଣରୁ ଅନ୍ବେଷ ନିଜ ପାଇଁ ଭବିଷ୍ୟତରେ ଅଧିକ ସଫଳତା ପାଇଁ ମଧ୍ୟ ବାଟ କାଢ଼ିଛନ୍ତି। ୨୦୧୦ରେ ଆଇଏମ୍ ହୋଇଥିବା ଅନ୍ବେଷ ଭବିଷ୍ୟତରେ ଗ୍ରାଣ୍ଡମାଷ୍ଟର୍ ହେବା ପାଇଁ ମଧ୍ୟ ଆତ୍ମବିଶ୍ବାସରେ ଅଛନ୍ତି। ୨୦୧୮ରେ ୟୁକ୍ରେନ୍ରେ ଏମ୍ବିବିଏସ୍ ଶେଷ କରିଥିବା ୩୨ ବର୍ଷୀୟ ଅନ୍ବେଷ ବୃତ୍ତିରେ ମଧ୍ୟ ଡାକ୍ତର ଅଛନ୍ତି।