ମା’ଙ୍କ ସହ ଗାଧୋଉଥିଲେ ୨ ନାବାଳକ, ପାଣିରେ ବୁଡ଼ି ମୃତ୍ୟୁ

ଦୁଃଖବନ୍ଧୁଙ୍କ ଘରେ ଦୁଃଖ, ନିଃସନ୍ତାନ ହୋଇଗଲା ପରିବାର

ରେଢ଼ାଖୋଲ: ମା’ଙ୍କ ସହିତ ଗାଁ ନିକଟସ୍ଥ ଦେଇ ଯାଇଥିବା ସୁରୁବାଲି ଯୋର (ଶାଖା ନଦୀ)ରେ ଗାଧୋଉଥିବା ସମୟରେ ୨ ନାବାଳକ ଭାଇଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅନ୍ତଗର୍ତ ଚାରମାଳା ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ଅମିତ ଖାଡ଼ିଆ (୬) ଓ ଅଜିତ ଖାଡ଼ିଆ (୪) ।

ସୂଚନା ଅନୁସାରେ ଚାରମାଳ ଥାନା ଅନ୍ତର୍ଗତ ଚୂଡ଼ାପୁର ଗାଁରେ ଦୁଃଖବନ୍ଧୁ ଖାଡ଼ିଆଙ୍କ ସ୍ତ୍ରୀ ସୁନୀତା ଖାଡ଼ିଆ ଆଜି ଅପରାହ୍ନ ୧ଟାରେ ନିଜ ୨ ନାବାଳକ ପୁତ୍ର ଅମିତ ଓ ଅଜିତଙ୍କୁ ନେଇ ଯୋରକୁ ଗାଧୋଇବାକୁ ଯାଇଥିଲେ । ମା’ ଲୁଗା ସଫା କରୁଥିବା ବେଳେ ଶିଶୁ ଦ୍ୱୟ ଦୂରକୁ ଚାଲି ଯାଇଥିଲେ । ଯୋରର ପାଣି ପ୍ରଖର ଥିବାରୁ ଅଳ୍ପ ସମୟ ମଧ୍ୟରେ ଅମିତ ଓ ଅଜିତକୁ ତଳକୁ ଠେଲି ନେଇଥିଲା । ୨ ପୁଅ ପାଣିରେ ଭାସିଯାଉଥିବା ବେଳେ ମା’ ଚିତ୍କାର କରିଥିଲେ । ଏହା ଶୁଣି ଆଖପାଖରେ ଥିବା ଲୋକ ଦୌଡ଼ି ଆସି ଉଦ୍ଧାର କରିଥିଲେ । ଉଭୟ ବାଳକଙ୍କୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲ ପହଂଚିବା ପୂର୍ବରୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ଚାରମାଳ ଥାନା ପୁଲିସ ଅମିତ ଓ ଅଜିତଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ଦୁଃଖବନ୍ଧୁ ଖାଡ଼ିଆ ଜଣେ ଗରିବ ଶ୍ରେଣୀର ଲୋକ । ଘରେ ନିଜର ଜମିବାଡ଼ି କିଛି ନାହିଁ । ସ୍ଥାନୀୟ ଅଂଚଳରେ ରୋଜଗାର ନ ମିଳିବାରୁ ସେ ଚେନ୍ନାଇରେ ଦାଦନ ଖଟୁଛନ୍ତି । ପୁଅ ଦ୍ୱୟଙ୍କର ମୃତ୍ୟୁ ଖବର ପାଇଥିଲେ ମଧ୍ୟ ଶବ ସଂସ୍କାର କ୍ରିୟାରେ ସାମିଲ ହୋଇପାରିବେ ନାହିଁ । ଅପରପକ୍ଷେ ଗାଁରେ ୨ ଜଣ ନାବାଳକଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି । ପରିବାରଟି ନିସନ୍ତାନ ହୋଇଛି । ଦୁଃଖବନ୍ଧୁଙ୍କ ପରିବାର ପିଛା ଦୁଃଖ ଛାଡୁନି ବୋଲି ଗାଁରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର