ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ବାଳକାଟିସ୍ଥିତ ଶ୍ରୀ କନ୍‌ଭେନ୍‌ସନ୍‌ରେ ଆଜି ଆୟୋଜିତ ଜୟଦେବ ନିର୍ବାଚନମଣ୍ଡଳୀର ବିଜେପି ସଦସ୍ୟତା କର୍ମଶାଳା ସଭାରେ ଦଳୀୟ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ଏହି କର୍ମଶାଳାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସାମିଲ କରା ନଯିବା ପ୍ରସଙ୍ଗକୁ ନେଇ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। କର୍ମଶାଳା ଆୟୋଜନ ଦାୟିତ୍ବରେ ଥିବା ଗୋଷ୍ଠୀ ଓ ଅପରାଜିତାଙ୍କ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଓ ହାତାତହାତି ହୋଇଥିଲା। ସାଂସଦଙ୍କ ସମର୍ଥିତ ଗୋଷ୍ଠୀ ସଭା ବନ୍ଦ କରିବାକୁ କହି ଗଣ୍ଡଗୋଳ କରିଥିଲେ। ସେମାନେ ମଞ୍ଚ ସମ୍ମୁଖରେ ଠିଆ ହୋଇ ଦୀର୍ଘ ସମୟ ଧରି ହୋହଲ୍ଲା କରିଥିଲେ। ସଭା ପରିଚାଳନା ଦାୟିତ୍ବରେ ଥିବା ଜୟଦେବ ନିର୍ବାଚନମଣ୍ଡଳୀର ନେତୃବୃନ୍ଦ ଓ ଅସନ୍ତୁଷ୍ଠ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।

ସଦସ୍ୟତା ଅଭିଯାନ କର୍ମଶାଳାରେ ଅଘଟଣ
ସାଂସଦଙ୍କୁ ଡକା ନଯିବାକୁ ନେଇ ବିବାଦ

Advertisment

ଏନେଇ ସଭାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ବହୁ ସମୟ ଧରି ଲାଗି ରହିଥିଲା। ଉଭୟ ପକ୍ଷ ନେତୃବୃନ୍ଦ ବୁଝାସୁଝା କରିବା ପରେ କିଛି ସମୟ ପାଇଁ ପରିସ୍ଥିତି ଶାନ୍ତ ପଡ଼ିଯାଇଥିଲା। କିନ୍ତୁ ସଭାରେ ବିଜେପି ନେତୃବୃନ୍ଦ ବକ୍ତବ୍ୟ ଦେବା ଆରମ୍ଭ କରିବା କ୍ଷଣି ପୁଣି ଉତ୍ତେଜନା ସୃଷ୍ଟି ହୋଇଥିଲା। ସାଂସଦଙ୍କ ସମର୍ଥିତ ଗୋଷ୍ଠୀଙ୍କୁ ସଭା ପରିଚାଳନା ଦାୟିତ୍ବରେ ଥିବା ନେତୃବୃନ୍ଦ ବିଦା କରିବା ପରେ ସଭାକାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହିତ ଚାଲିଥିଲା। କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ହେଲେ ବିଶୃଙ୍ଖଳା ସୃଷ୍ଟି ହେବା ଦେଖି ସେ ଚାଲିଯାଇଥିଲେ। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ପ୍ରଭାରୀ ବିଜୟ ସିଂହ ତୋମାର, ଶାରଦା ପ୍ରସାଦ ଶତପଥୀ, ସମୀର ରଞ୍ଜନ ଦାଶ, ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଓ ପୂର୍ବତନ ବିଧାୟକ ଅରବିନ୍ଦ ଢାଲି ପ୍ରମୁଖ ଉପସ୍ଥିତ ଥିଲେ।