ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟ ପ୍ରାଣୀ, ମାଲକାନଗିରିରେ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ଉଦ୍ଧାର ହେଲେଣି ୨୦ରୁ ଉର୍ଦ୍ଧ୍ୱ ଅଜଗର

ମାଲକାନଗିରି: ମାଲକାନଗିରି ସହରରେ ପୁଣି ୧୦ ଫୁଟର ଅଜଗର ଉଦ୍ଧାର କରାଯାଇଛି। ଖାଦ୍ୟ ଅନ୍ୱେଷଣରେ ବାହାରି ଜଂଗଲରୁ ଅଜଗର ସହର ମୁହାଁ ହେଉଛନ୍ତି। ଗତକାଲି ରାତିରେ ସ୍ଥାନୀୟ ପରଜାଗୁଡାରେ ଏକ ବିରାଟ ଅଜଗର ପଶିଥିବା ସାହି ବାସିନ୍ଦା ଦେଖିଥିଲେ। ତୁରନ୍ତ ବନ ବିଭାଗକୁ ଏନେଇ ଖବର ଦେଇଥିଲେ। ବନାଞ୍ଚଳ ଅଧିକାରୀ ବାସୁଦେବନ ନାୟକ ନିଜର କର୍ମଚାରୀଙ୍କୁ ନେଇ ପରଜାଗୁଡାରେ ପହଞ୍ଚି ସାପକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ବିରାଟ ଅଜଗରକୁ ଦେଶି ସମସ୍ତେ ଭୟଭିତ ହୋଇପଡିଥିଲେ।

ତେବେ ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ ସ୍ନେକ ହେଲପ ଲାଇନର ସଦସ୍ୟମାନଙ୍କୁ ଡାକି ସାପଟିକୁ କାବୁ କରିଥିଲେ। ଏହାର ଓଜନ କୋଡିଏ କିଲୋରୁ ଉର୍ଦ୍ଧ୍ବ ହେବ । ବର୍ଷା ଦିନ ହେଲେ ପ୍ରତିବର୍ଷ ମାଲକାନଗିରି ସହରକୁ ଅଜଗର ପଶି ଆସନ୍ତି। ଚଳିତ ବର୍ଷ କୋଡିଏରୁ ଉର୍ଦ୍ଧ୍ବ ଅଜଗର ସହର ଭିତରକୁ ପଶିସାରିଲେଣି। କିନ୍ତୁ ଏହି ଅଜଗର କାହାକୁ କିଛି କ୍ଷତି କରିନହାନ୍ତି।

କୁକୁଡା ଖାଇବା ପାଇଁ ଅଜଗର ସାହିରେ ଥିବା କୁକୁଡା ଘର ଭିତରକୁ ପଶୁଥିବା ଦେଖିବାକୁ ମିଳିଛି। ବର୍ଷା ଦିନ ହେଲେ ଜଂଗଲରେ ଖାଦ୍ୟର ଅଭାବ ପରିଲକ୍ଷିତ ହେଉଥିବାରୁ ବନ୍ୟପ୍ରାଣୀ ଗାଁ ଓ ସହର ମୁହାଁ ହେଉଛନ୍ତି।

କେବଳ ଅଜଗର ନୁହେଁ ଭାଲୁ ଏବଂ ବିଲୁଆ ମଧ୍ୟ ଗାଁ ମୁହାଁ ହେଉଥିବା ନଜିର ରହିଛି। ବନ ବିଭାଗ ତରଫରୁ ଅଜଗରର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଜଂଗଲରେ ପୁଣି ଛଡାଯାଇଥିଲା। ପୂର୍ବରୁ ସହରରେ ପଶିଥିବା ଅଜଗର ତୁଳନାରେ ଏହି ଅଜଗର ସବୁଠାରୁ ବଡ ଥିଲା। ସ୍ନେହ ହେଲପ ଲାଇନର ସଦସ୍ୟମାନେ କିନ୍ତୁ ଅଜଗର ଧରି ଏକ ପ୍ରକାର ସିଦ୍ଧହସ୍ତ ହୋଇସାରିଲେଣି। ଅତି ଚତୁରତାର ସହ ଅଜଗରକୁ କାବୁ କରିଦେଇଥିଲେ।ଲୋକମାନଙ୍କୁ ଭୟଭିତ ନହେବାକୁ ଏମାନେ ପରାମର୍ଶ ଦେଇଥିଲେ। ପ୍ରାୟତଃ ମଣିଷଙ୍କୁ ଏମାନେ କୌଣସି ପ୍ରକାର କ୍ଷତି ପହଞ୍ଚାଇନଥାନ୍ତି ବୋଲି ସ୍ନେହ ବନ ବିବାଗ ତରଫରୁ କୁହାଯାଇଛି। କୌଣସି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ କିପରି ଅଜଗର ଜଂଗଲରୁ ସହର ମୁହାଁ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର