ଭୁବନେଶ୍ବର: ଜାତୀୟ ହାର ତୁଳନାରେ ଓଡ଼ିଶାରେ ବେକାରୀ ହାର ଅଧିକ ରହିଛି। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ)ର ପିଏଲ୍‌ଏଫ୍‌ଏସ୍‌ (ପିରିୟଡିକ୍‌ ଲେବର ଫୋର୍ସ ସର୍ଭେ) ୨୦୨୨-୨୩ ତଥ୍ୟ ଅନୁଯାୟୀ ଓଡ଼ିଶାରେ ବେକାରୀ ହାର ୩.୯ ପ୍ରତିଶତ ରହିଛି। କିନ୍ତୁ ସର୍ବଭାରତୀୟ ସ୍ତରରେ ବେକାରୀ ହାର ୩.୨ ପ୍ରତିଶତ ଅଛି। ବେକାରୀ ହାର ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଓଡ଼ିଶା ଏକବିଂଶ ସ୍ଥାନରେ ରହିଛି। ବିଧାନସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଆଜି ଏହି ଉତ୍ତର ଦେଇଛନ୍ତି। 

Advertisment

ଓଡ଼ିଶାର ଗ୍ରାମାଞ୍ଚଳରୁ ଲୋକମାନେ କାମଧନ୍ଦା ପାଇବା ଉଦ୍ଦେଶ୍ୟରେ ସହରାଞ୍ଚଳକୁ ଆସିଥାନ୍ତି। କାରଣ ସହରାଞ୍ଚଳରେ ନିଯୁକ୍ତି ସୁଯୋଗ ଅଧିକ ରହିଥାଏ। କିନ୍ତୁ ଓଡ଼ିଶାର ଗ୍ରାମାଞ୍ଚଳରେ ବେକାରୀ ହାର ୩.୬ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୬.୨ ପ୍ରତିଶତ ରହିଛି। ଅନ୍ୟ ଯେଉଁ ଉଦ୍‌ବେଗଜନକ ବିଷୟ ମନ୍ତ୍ରୀଙ୍କ ଉତ୍ତରରୁ ସାମ୍ନାକୁ ଆସିଛି ତାହା ହେଲା ଗତ ମେ ୩୧ ସୁଦ୍ଧା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ  କାର୍ଯ୍ୟାଳୟଗୁଡ଼ିକର ତତ୍ତ୍ବାବଧାନରେ ଜୀବନ୍ତ ପଞ୍ଜିକାରେ ମୋଟ ୧୧ ଲକ୍ଷ ୪ ହଜାର ୨୨୯ ଜଣ ଯୁବକଯୁବତୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୧୦ ବର୍ଷ ମଧ୍ୟରେ ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ୮୪୦୧ ଜଣ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି।