ଚନ୍ଦ୍ରପୁରରେ ଏକଲବ୍ୟ ମଡେଲ୍ ସ୍କୁଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଉଚ୍ଚଶିକ୍ଷିତ ଆଦିବାସୀ ରାଷ୍ଟ୍ର ଗଠନରେ ସହାୟକ ହେବେ

ଚନ୍ଦ୍ରପୁର/ରାୟଗଡ଼ା : ଆଦିବାସୀଙ୍କୁ ଉଚ୍ଚଶିକ୍ଷିତ କରିବାକୁ କେନ୍ଦ୍ର ସରକାର ଚିନ୍ତିତ। ଏଥି ପାଇଁ ସରକାର ବହୁ ପଦକ୍ଷେପ ନେଉଛନ୍ତି। ଆଦିବାସୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏବଂ ଡ୍ରପଆଉଟ୍ ରୋକିବାରେ ଏକଲବ୍ୟ ମଡେଲ୍ ସ୍କୁଲ୍ ସହାୟକ ହେଉଥିବାରୁ ଖୁବ୍ ଶୀଘ୍ର ରାୟଗଡ଼ା ଜିଲ୍ଲାରେ ଆଉ ୭ଟି ଏକଲବ୍ୟ ମଡେଲ୍ ସ୍କୁଲ୍ ପ୍ରତିଷ୍ଠା କରାଯିବ।

ଚନ୍ଦ୍ରପୁର ବ୍ଲକର ସାରକିମାରେ ଏକଲବ୍ୟ ମଡେଲ୍ ସ୍କୁଲର ଶିଳାନ୍ୟାସ କରି ଏହି ମତବ୍ୟକ୍ତ କରିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପର ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଶ୍ରୀ ଟୁଡୁ କହିଛନ୍ତି, ଉଚ୍ଚଶିକ୍ଷିତ ଆଦିବାସୀ ଆଗାମୀ ଦିନରେ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଉପଯୁକ୍ତ ଶିକ୍ଷା ଭିତ୍ତିଭୂମି ଓ ଆର୍ଥିକ ଦୂରାବସ୍ଥା କାରଣରୁ ଅଧିକାଂଶ ମେଧାବୀ ଆଦିବାସୀ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ି ଅନ୍ୟ କାମରେ ନିୟୋଜିତ ହେଉଛନ୍ତି। ନିଜ ଭିତରେ ଥିବା ଦକ୍ଷତା ପ୍ରମାଣ ପାଇଁ ସେମାନଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ମିଳୁପାରୁନି। ଏକଲବ୍ୟ ସ୍କୁଲ୍ ଆଦିବାସୀଙ୍କ ଆଶା ପୂରଣ ସହ ଉଚ୍ଚ ଶିକ୍ଷିତ ଓ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ସହାୟକ ହେବ। ଯେଉଁଥି ପାଇଁ ଓଡ଼ିଶାରେ ଆଉ ୧୮୭ଟି ସ୍କୁଲ୍ ପ୍ରତିଷ୍ଠା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି ।

କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରି ଓଡ଼ିଶା ସରକାର ବାହାବ ନେଉଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। କେନ୍ଦ୍ର ସରକାର ଦେଇଥିବା ଆବାସ ଯୋଜନା ନିଜ କର୍ମୀଙ୍କୁ ଓଡ଼ିଶା ବାଣ୍ଟି ଦେଉଛନ୍ତି। ସେହିପରି ଟଙ୍କାକିଆ ଚାଉଳ ପ୍ରଦାନରେ କେନ୍ଦ୍ର ସରକାର ଅଧିକ ଅନୁଦାନ ପ୍ରଦାନ କରୁଛନ୍ତି। ଓଡ଼ିଶାର ଦାବି ମୁତାବକ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେଉଥିଲେ ମଧ୍ୟ ଓଡ଼ିଶା ସରକାର ସବୁବେଳେ ନିନ୍ଦା କରି ଆସୁଛନ୍ତି। ପଛୁଆ ଅଞ୍ଚଳର ବିକାଶ ପାଇଁ ମୋବାଇଲ ଟାୱାର୍ ପ୍ରତିଷ୍ଠାଠୁ ଆରମ୍ଭ କରି ବହୁ ଯୋଜନାରେ ବାର୍ଷିକ କୋଟି କୋଟି ଟଙ୍କା ଆସୁଥିବା ମନ୍ତ୍ରୀ ଶ୍ରୀ ଟୁଡୁ ପ୍ରକାଶ କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପ୍ରବୀଣଭଞ୍ଜଦେଓ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ଉପସଭାପତି କାଳିରାମ ମାଝି, ରାଜ୍ୟ ପ୍ରବକ୍ତା ବିରଞ୍ଚି ତ୍ରିପାଠି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ୍ ମହାନ୍ତ, ବିଜେପି ନେତା ବୃନ୍ଦାବନ ସେନାପତି, ଶିବ ଶଙ୍କର ଉଲାକା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ, ଚନ୍ଦ୍ରପୁର ବିଡ଼ିଓ ଜଜ୍ ଡୁଙ୍ଗଡୁଙ୍ଗ, ତହସିଲଦାର ସମେତ ଅନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ଚନ୍ଦ୍ରପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

ସମ୍ବନ୍ଧିତ ଖବର