ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେଉଥିବା ମହାକୁମ୍ଭକୁ ଦେଶର ପ୍ରତ୍ୟେକ କୋଣରୁ ସାଧୁ, ନାଗା ବାବା ଆସିଛନ୍ତି । ସବୁଠାରୁ କୌତୁହଳପୂର୍ଣ୍ଣ କ୍ଷେତ୍ର ହେଉଛି ଆଖଡ଼ା । ଲକ୍ଷ ଲକ୍ଷ ନାଗା ବାବା ଏବଂ ସାଧୁଙ୍କ ଚମତ୍କାର କାର୍ଯ୍ୟ ୧୩ ଆଖଡ଼ାରେ ଆକର୍ଷଣ ହାସଲ କରୁଛି । ସେମାନଙ୍କ ମଧ୍ୟରୁ ଜଣେ ବାବା କିନ୍ତୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛନ୍ତି । ଶାନ୍ତ ସ୍ୱଭାବ ହସ ହସ ମୁହଁ, ପାଟିରେ ଅନର୍ଗଳ ଇଂରାଜୀ ଆଉ ଆଧ୍ୟାତ୍ମିକତାର କଥା । ଯୁବ ବୟସରେ ଏମିତି ଆଧ୍ୟାତ୍ମିକ କଥା କହୁଛନ୍ତି, ଯାହା ଏବେ ମହାକୁମ୍ଭ ମେଳାରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏହି ବାବା ଜଣକ ହେଉଛନ୍ତି ଜଣେ ଆଇଆଇଟିଆନ୍ । ବମ୍ବେ ଆଇଆଇଟିରୁ ଇଂଜିନିୟରିଂ ପାଠ ପଢ଼ିଛନ୍ତି । ଚାକିରି କରି ବିଳାଶପୂର୍ଣ୍ଣ ଜୀବନ ବିତାଇବା ପରିବର୍ତ୍ତେ ସେ କିନ୍ତୁ ସଂସାରର ସବୁ ସୁଖକୁ ପଛରେ ପକାଇ ପାଲଟି ଯାଇଛନ୍ତି ବାବା । ନାଁ ତାଙ୍କର ଅଭୟ ସିଂ କିନ୍ତୁ ବାବା ହେବାପରେ ତାଙ୍କ ନାଁକୁ ବଦଳାଇ ସେ ରଖିଛନ୍ତି ମଶାଣି ଗୋରଖ ବାବା ।
ମହାକୁମ୍ଭରେ ଶିବିର ପକାଇଥିବା ବହୁସଂଖ୍ୟକ ସନ୍ଥଙ୍କ ମଧ୍ୟରେ ଆତ୍ମପ୍ରେମ ଗିରି ମହାରାଜ ତାଙ୍କ ଶରୀର ଗଠନ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସନ୍ଥ ‘ମସ୍କୁଲାର ବାବା’ ବା ବାହୁବଳି ବାବା ଭାବେ ବେଶ୍ ଜଣାଶୁଣା । ୭ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ବାବା ଗୈରିକ ବସ୍ତ୍ର ପରିଧାନ ସହ ରୁଦ୍ରାକ୍ଷ ମାଳା ପିନ୍ଧିଛନ୍ତି । ରୁଷିଆର ଏହି ବାବା ୩୦ ବର୍ଷ ପୂର୍ବରୁ ସନାତନ ଧର୍ମ ଗ୍ରହଣ କରିବା ସହ ହିନ୍ଦୁତ୍ୱବାଦ୍ର ପ୍ରଚାର ପ୍ରସାରରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।
ସେହିପରି, ୧୪ ବର୍ଷ ଧରି ଜଣେ ବାବା ଗୋଟିଏ ହାତ ଉପରକୁ ଉଠାଇ ବସିଛନ୍ତି । ଫଳସ୍ୱରୂପ, ନଖଗୁଡ଼ିକ ଏକ ଫୁଟ ଲମ୍ବା ହୋଇଯାଇଛି । ଏହା ହେଉଛି ମଧ୍ୟପ୍ରଦେଶର ଜୁନା ଆଖଡ଼ାର ବାବା ରାଧେ ପୁରୀ । ଦୁନିଆର କଲ୍ୟାଣ ପାଇଁ ସେ ଏହିପରି ଜିଦ୍ ଧରି ଚାଲିଛନ୍ତି ।
ପୟହାରୀ ବାବା ୪୦ ବର୍ଷ ଧରି ଚା’ରେ ବଞ୍ଚିଛନ୍ତି । ସେ ୪୧ ବର୍ଷ ହେବ ନୀରବ ଅଛନ୍ତି ଏବଂ ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ତାଙ୍କର ପ୍ରକୃତ ନାମ ହେଉଛି ଦୀନେଶ ସ୍ଵରୂପ ବ୍ରହ୍ମଚାରି । ବିଏସସି ଶେଷ କରିବା ପରେ ସେ ଜୀବନର ସତ୍ୟ ଖୋଜିବାକୁ ବାହାରି ବାବା ହେବା ପାଇଁ ସ୍ଥିର କଲେ । ସେ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଚା’ ଦିଅନ୍ତି । ସେହିଭଳି ଅନେକ ନାଗା ବାବାଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳୁଛି ।