ବନ୍ୟପ୍ରାଣୀଙ୍କ ବିପଦ ବଢ଼ୁଛି : ଅଢ଼େଇ ମାସରେ କାବୁ ହେଲେଣି ଶତାଧିକ ଶିକାରୀ

ଭୁବନେଶ୍ବର : ୨୦୧୧-୧୨ ଆର୍ଥିକ ବର୍ଷରେ ରାଜ୍ୟରେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୬୨ଟି ମାମଲା ହେବା ସହ ୧୯୧ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ୨୦୧୮-୧୯ରେ ବନ୍ୟଜନ୍ତୁ ଶିକାର ମାମଲା ସଂଖ୍ୟା ୩୩୧ ରହିଛି। ୧୨୭୪ଜଣ ଶିକାରୀ ଗିରଫ ହୋଇଛନ୍ତି। ଏହି ତଥ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଗତ ୮ବର୍ଷ ମଧ୍ୟରେ ଓଡ଼ିଶାରେ ଶିକାର ଓ ଶିକାରୀଙ୍କ ସଂଖ୍ୟା କେତେ ପରିମାଣରେ ବୃଦ୍ଧି ଘଟିଛି। କେନ୍ଦୁଝରରୁ କୋରାପୁଟ ହେଉ କି ମୟୂରଭଞ୍ଜରୁ ମାଲକାନଗିରି, ସବୁ ଜିଲ୍ଲାରେ ଫା‌ଶ ବିଛାଇଛନ୍ତି ଶିକାରୀ। ହାତୀ, ବାଘ, ଭାଲୁ, ବଜ୍ରକାପ୍ତା, ବାର୍‌ହା, କୁଟୁରା, ହରିଣ, ଗୋଧି ପରି ବନ୍ୟଜନ୍ତୁ ଶିକାରୀଙ୍କ ପଞ୍ଝାରୁ ରକ୍ଷା ପାଇପାରି ନାହାନ୍ତି। ଏମିତିକି ଗତ ଅଢ଼େଇ ମାସ ମଧ୍ୟରେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୫୦ରୁ ଅଧିକ ମାମଲା ହେବା ସହ ଶତାଧିକ ଶିକାରୀଙ୍କୁ ଗିରଫ କରାଯାଇଛି। ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍‌ ସମେତ କ୍ରାଇମ୍‌ବ୍ରାଞ୍ଚର ସ୍ପେସିଆଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶିକାରୀଙ୍କୁ ଧରିବାରେ ସକ୍ଷମ ହୋଇଛି।

ବଡ଼ କଥା ହେଉଛି ଯେ ଓଡ଼ିଶାରେ ହାତୀ, ବାଘ, ବଜ୍ରକାପ୍ତା ଚୋରା ଚାଲଣ ଓ ଶିକାର ଏବେ ଶୀର୍ଷରେ ପହଞ୍ଚିଛି। ପ୍ରତିବର୍ଷ ‌ଓଡ଼ିଶାରେ ଯେତିକି ହାତୀ ମରୁଛନ୍ତି, ସେଥିମଧ୍ୟରୁ ୪୦ ପ୍ରତିଶତ ହାତୀ ଶିକାରୀଙ୍କ ଦ୍ବାରା ଶିକାର ହେଉଛନ୍ତି। ବିଦ୍ୟୁତ୍‌ ଫାଶ ବିଛାଇ, ବିଷ ଦେଇ, ଗୁଳି କରି ହାତୀଙ୍କୁ ହତ୍ୟା କରାଯାଉଛି। ତେବେ ହାତୀ ଶିକାରୀଙ୍କୁ ଧରିବାରେ ସେଭଳି ସଫଳତା ମିଳିପାରି ନାହିଁ। କାରଣ ଗତ ୮ବର୍ଷ ମଧ୍ୟରେ ଦେଢ଼ ଶହରୁ ଅଧିକ ହାତୀ ଶିକାର ହୋଇଛନ୍ତି। ହେଲେ ହାତୀ ଶିକାର ଘଟଣାରେ ଏହି ସମୟ ମଧ୍ୟରେ ମାତ୍ର ୮୬ଟି ମାମଲା ହୋଇଛି। ୨୪୦ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଆହୁରି ଅନେକ ଶିକାରୀ ଏବେ ବି ଖୁଲମ୍‌ଖୁଲା ବାହାରେ ବୁଲୁଛନ୍ତି। ୮ ବର୍ଷର ମୋଟ ବନ୍ୟଜନ୍ତୁଙ୍କ ହତ୍ୟାକୁ ହିସାବକୁ ନେଲେ ଜଣାପଡ଼ୁଛି ଯେ ୧୬୩୨ ମାମଲା ହେବା ସହ ୪୧୨୩ଜଣ ଶିକାରୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

୮ ବର୍ଷରେ ୧୬୩୨ ମାମଲା, ୪୧୨୩ ଶିକାରୀ ଗିରଫ
ହାତୀ ଶିକାରୀଙ୍କୁ ଧରିବାରେ ମିଳୁନି ବିଶେଷ ସଫଳତା

୨୦୧୯-୨୦ରେ ବନ୍ୟଜନ୍ତୁଙ୍କ ଶିକାର ଓ ମାମଲା ସମ୍ପର୍କରେ ବନ ବିଭାଗ କିମ୍ବା ସରକାରୀ ଭାବେ କୌଣସି ତଥ୍ୟ ଦିଆଯାଇନି। ତେବେ ବିଶେଷ ସୂତ୍ରୁରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆର୍ଥିକ ବର୍ଷରେ ୩୦୦ରୁ ଅଧିକ ମାମଲା ହେବା ସହ ଏକ ହଜାରରୁ ଅଧିକ ଶିକାରୀ ଗିରଫ ହୋଇଛନ୍ତି। ବଜ୍ରକାପ୍ତା ଶିକାର ଅଭିଯୋଗରେ ଅଧିକ ମାମଲା ହେବା ସହ ୫୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି। ବଜ୍ରକାପ୍ତା ଚୋରା ଚାଲଣ କରୁଥିବା କିଛି ଶିକାରୀଙ୍କୁ କାବୁ କରିବାରେ ବି ବନ ବିଭାଗକୁ ସଫଳତା ମିଳିଛି। ତେବେ ସମ୍ପୂର୍ଣ୍ଣ ଭାବେ ଏହି ବେଆଇନ କାରବାରକୁ ମୂଳୋତ୍ପାଟନ କରାଯାଇପାରିନାହିଁ। ଏହା ପଛକୁ ରହିଛି ହାତୀ ଶିକାର। ରାଜ୍ୟର ବିଭିନ୍ନ ସ୍ଥାନରୁ ବାଘ/କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିଲେ ‌ମଧ୍ୟ କେଉଁ ଜଙ୍ଗଲରେ ଓ କେଉଁଠି ବାଘକୁ ହତ୍ୟା କରାଯାଇଛି, ସେନେଇ କୌଣସି ଘଟଣା ସାମ୍ନାକୁ ଆସି ନାହିଁ।

ବନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଗତ ଏପ୍ରିଲ ପହିଲାରୁ ମେ’ ୩୧ ମଧ୍ୟରେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ବନ୍ୟଜନ୍ତୁ ଶିକାରୀ କାୟା ମେଲାଇଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ବନ ବିଭାଗର ଅଧିକାରୀମାନେ ଭଲ ଭାବେ ପେଟ୍ରୋଲିଂ କରିପାରି‌ଲେ ନାହିଁ। ପରିଣାମସ୍ବରୂପ ଘଞ୍ଚ ଜଙ୍ଗଲରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଯାଇଥିଲା। ତା’ ଭିତରେ ବି ଆମକୁ ଭଲ ସଫଳତା ମିଳିଛି। ୬୦ ଦିନରେ ୪୦ରୁ ଅଧିକ ମାମଲା ହେବା ସହ ପ୍ରାୟ ୮୦ ଜଣଙ୍କୁ ଗିରଫ କରାଯାଇଥିଲା। ଜୁନ୍‌ ପହିଲାରୁ ୧୫ତାରିଖ ମଧ୍ୟରେ ବି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହାତୀ ଦାନ୍ତ, ବାଘ ଚମଡ଼ା, ହରିଣ ମାଂସ ଆଦି ଜବତ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ମୋଟ ୫୦ରୁ ଅଧିକ ମାମଲା ହେବା ସହ ଶତାଧିକ ଶିକାରୀ ଗିରଫ ହୋଇଛନ୍ତି। ଆଗକୁ ଚଢ଼‌ଉକୁ ଆହୁରି ବ୍ୟାପକ କରାଯିବ।

ସମ୍ବନ୍ଧିତ ଖବର