ନୂଆଦିଲ୍ଲୀ: ଆଜି ୫ମ ପର୍ଯ୍ୟାୟ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ମତଦାନ ଅଧିକାର ପ୍ରୟୋଗ କରିବା ସହ ନିଜ ନିଜର ମୂଲ୍ୟବାନ ଭୋଟ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜି ହେଉଛି ଉତ୍ତର ପ୍ରଦେଶରେ ଗଣତନ୍ତ୍ର ଉତ୍ସବର ପଞ୍ଚମ ପର୍ଯ୍ୟାୟ। ସମସ୍ତ ଭୋଟ୍ଦାତାଙ୍କୁ ଅନୁରୋଧ କରେ କି, ସେମାନେ ମତଦାନ ଅଧିକାର ପ୍ରୟୋଗ କରନ୍ତୁ ଓ ନିଶ୍ଚୟ ନିଜ ନିଜର ମୂଲ୍ୟବାନ ଭୋଟ୍ ଦିଅନ୍ତୁ।
ସେହିପରି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୋଟର୍ମାନଙ୍କୁ କହିଛନ୍ତି: ପ୍ରଥମେ ମତଦାନ, ତା’ପରେ ଜଳପାନ। ଟୁଇଟ୍ କରି ସେ ଲେଖିଛନ୍ତି, ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ -୨୦୨୨ର ୫ମ ପର୍ଯ୍ୟାୟ। ଆପଣଙ୍କ ପ୍ରଦେଶର ଉତ୍ଥାନ ପାଇଁ, ସୁଶାସନ, ସୁରକ୍ଷା ଓ ସମ୍ମାନ ପ୍ରାପ୍ତି ନିମନ୍ତେ, ଭୟଶୂନ୍ୟ, ଦଙ୍ଗାଶୂନ୍ୟ, ଅପରାଧ ମୁକ୍ତ ପରିବେଶ ପାଇଁ ସମସ୍ତ ସମ୍ମାନିତ ମତଦାତାମାନେ ନିଜ ନିଜର ଭୋଟ୍ ଅବଶ୍ୟ ଦିଅନ୍ତୁ।
/sambad/media/post_attachments/wp-content/uploads/2022/02/upe1.jpg)
ସୂଚନାଯୋଗ୍ୟ, ଆଜି ଚାଲିଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୬୧ଟି ଆସନରେ ୬୯୨ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ସକାଳ ୭ରୁ ଆରମ୍ଭ ହୋଇଥିବା ମତ ଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଆମେଥି, ରାଏବରେଲି, ଅଯୋଧ୍ୟା, ସୁଲ୍ତାନ୍ପୁର, ଚିତ୍ରକୂଟ, ପ୍ରତାପଗଡ଼, କୌଶାମ୍ବୀ, ପ୍ରୟାଗରାଜ, ବାରବାଙ୍କୀ, ବହରାଇଚ, ଶ୍ରାବସ୍ତି ଏବଂ ଗୋଣ୍ଡା ଜିଲ୍ଲାର ପ୍ରାୟ ୨.୨୪ କୋଟି ଭୋଟର୍ ମତଦାନ କରିବେ।
ଆଜିର ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ସିଦ୍ଧାର୍ଥ ନାଥ ସିଂହ, ରାଜେନ୍ଦ୍ର ସିଂହ, ନନ୍ଦଗୋପାଳ ନନ୍ଦୀ, ରାମପତି ଶାସ୍ତ୍ରୀ।