ନୂଆଦିଲ୍ଲୀ: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଅସିଦ୍ଧ ଘୋଷଣା କରିବା ପରେ ଭାରତର ଶିଳ୍ପ ଓ ବାଣିଜ୍ୟ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ସେ ନେଇ ବାଣିଜ୍ୟ ମନ୍ତ୍ରଣାଳୟ ଅନୁଧ୍ୟାନ କରୁଛି। ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ସେଠାକାର ସରକାରଙ୍କ ପକ୍ଷରୁ ଶୁଳ୍କ ସଂକ୍ରାନ୍ତ କିଛି ନୂତନ ପଦକ୍ଷେପ ଘୋଷଣା କରାଯାଇଛି। ଭାରତ ଉପରେ ଲାଗୁ କରାଯାଇଥିବା ପାଲଟା ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଦେବା ପରେ ଭାରତୀୟ ସାମଗ୍ରୀଗୁଡ଼ିକର ଆମଦାନି ଉପରୁ ଆମେରିକାର ବାସ୍ତବ ଶୁଳ୍କ ଆହୁରି ଖସି ଆସିବା କଥା। କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଟ୍ରମ୍ପ ସବୁ ଦେଶର ସାମଗ୍ରୀ ଉପରେ ଆମେରିକା ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ ଘୋଷଣା କରିଛନ୍ତି। ତେଣୁ ଏହା ଭାରତର ବାଣିଜ୍ୟିକ ନିଅଣ୍ଟକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି।

Advertisment

ଆହୁରି ପଢନ୍ତୁ: Rescued: ଥାଇଲାଣ୍ଡରେ ୬ମାସ ଫସିଲେ ଓଡ଼ିଆ ଶ୍ରମିକ; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର

ଆମେରିକା ଗତ ବର୍ଷ ଅଗଷ୍ଟରେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା। ରୁଷରୁ ଭାରତ ତୈଳ ଆମଦାନି କରୁଥିବା କାରଣରୁ ଭାରତ ଉପରେ ୨୫ ପ୍ରତିଶତକୁ ଜରିମାନା ଭାବେ ଲାଗୁ କରାଯାଇଥିଲା। ତେବେ ଭାରତ ୟୁରୋପୀୟ ରାଷ୍ଟ୍ରମାନଙ୍କ ସହ ଏକ ଚୁକ୍ତି ସ୍ବାକ୍ଷର କରିବା ପରେ ଗତ ମାସରେ ଆମେରିକା ଭାରତ ସହ ବାଣିଜ୍ୟ ଚୁକ୍ତି ପାଇଁ ଘୋଷଣାନାମ ପ୍ରକାଶ କରିଥିଲା। ସେଥିରେ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ଶୁଳ୍କ ୧୮ ପ୍ରତିଶତକୁ ହ୍ରାସ କରାଯାଇଥିଲା। ତେବେ ପୂର୍ବରୁ ଭାରତ ଉପରେ ଆମେରିକା ଲଗାଇଥିବା ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବାଣିଜ୍ୟିକ ଚୁକ୍ତି ସଂକ୍ରାନ୍ତ ଘୋଷଣାନାମାର ପ୍ରାସଙ୍ଗିକତାକୁ ନେଇ ନେଇ ନାନା ପ୍ରଶ୍ନ ଉଠିଛି।