ଭୁବନେଶ୍ୱରରେ କୋଭାକ୍ସିନର ଅଭାବ ନାହିଁ, ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ୨ୟ ଡୋଜ୍ ଦେବାକୁ ପ୍ରାଥମିକତା: ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଆଜି ରାଜ୍ୟବାସୀଙ୍କୁ ପୁଣି ସଚେତନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ତାଙ୍କ ପ୍ରେସମିଟରେ ସେ କୋଭିଡ୍ ଟିକାକରଣକୁ ନେଇ ମତ ରଖିଥିବାବେଳେ ମୁଖ୍ୟତଃ ଲୋକଙ୍କୁ କିପରି ଦ୍ୱିତୀୟ ଡୋଜ ସୁରୁଖୁରରେ ମିଳିପାରିବ ସେନେଇ ଗୁରୁତ୍ୱାରୋପ କରିଛନ୍ତି । ତା ବାଦ୍ ଟିକା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି, ଟିକା କମ୍ପାନି ସହ ମଧ୍ୟ ରାଜ୍ୟ ସରକାର ଲଗାତାର ସମ୍ପର୍କରେ ଅଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକାର କୌଣସି ଅଭାବ ନାହିଁ । ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଟିକା ଆସିଲେ ଟିକାକରଣ ସୁରୁଖୁରରେ ଚାଲିବ । ତେବେ ଟିକା ନେବା ପାଇଁ ଲୋକମାନେ ପ୍ରଥମେ ରେଜିଷ୍ଟ୍ରେସନ କରିବା ସହିତ ସ୍ଲଟ୍ ବୁକିଂ କରି ଟିକାକେନ୍ଦ୍ରକୁ ଯାଆନ୍ତୁ । ଅଯଥାରେ ଟିକାକେନ୍ଦ୍ରକୁ ଯାଇ ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାବାଦ୍ ଏବେ ଯେଉଁମାନେ ପ୍ରଥମ ଡୋଜ୍ ବେସରାକାରୀ ହସ୍ପିଟାଲରେ ନେଇଛନ୍ତି । ସେମାନେ ତାଙ୍କର ଦ୍ୱିତୀୟ ଡୋଜ୍ ଆସି ସରକାରୀ ହସ୍ପିଟାଲରୁ ମାଗଣାରେ ନେଇପାରିବେ ।

ଏଯାବତ ଆମ ରାଜ୍ୟରେ ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ନେଇଥିବାବେଳେ ୮୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ୨ୟ ଡୋଜ୍ ନେଇସାରିଲେଣି । ୪୫ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ମଧ୍ୟ ଆଗେଇ ଚାଲିଛି । ମେ ପହିଲାରୁ ଆରମ୍ଭ ହୋଇଥିବା ସାବାଳକ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ କିଛି ଅଂଚଳରେ ଏହାର ଅଭାବ ଦେଖିବାକୁ ମିଳିଛି । ତେବେ ଟିକା ଆସିଲେ ଟିକାକରଣ ଯଥାରୀତି ଚାଲିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ତେବେ ଟିକାକରଣ ବେଳେ ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି ଏବଂ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷାରତ ଅଛନ୍ତି ସେମାନଙ୍କୁ ପ୍ରାଥମିକତା ଦିିଆଯିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର