କୋରାପୁଟ: ଆଜି ସକାଳେ କୋରାପୁଟ ଜିଲ୍ଲା ସଦର ମହକୁମାଠାରେ ସହକାରୀ ଖଣି ଅଧିକାରୀଙ୍କୁ ଜଣେ ଗାଡି ମାଲିକ ଆକ୍ରମଣ କରିଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି । ଏହି ମାମଲାରେ ଆକ୍ରମଣକାରୀ ଟିପର ମାଲିକଙ୍କୁ ପୁଲିସ ଗିରଫ କରି କୋର୍ଟକୁ ଚାଲାଣ କରିଥିବା କହିଛନ୍ତି କୋରାପୁଟ ଟାଉନଥାନା ଅଧିକାରୀ ଭବାନୀ ପ୍ରଧାନ। 

Advertisment

ସୂଚନାଯୋଗ୍ୟ, ବିନା କାଗଜ ପତ୍ରରେ ଅବାଧରେ ପଥର ଓ ବାଲି ପରିବହନ କରୁଥିବା ଅଭିଯୋଗରେ ଖଣି ଅଧିକାରୀଙ୍କ ଦ୍ବାରା ୫ଟି ଟିପର ଓ ଗୋଟିଏ ଟ୍ରାକ୍ଟରକୁ ଅଟକ ରଖିଥିଲେ। ସଦରଥାନା ନିକଟସ୍ଥ ଖଣି କାର୍ଯ୍ୟାଳୟ ସମ୍ମୁଖରେ ସହକାରୀ ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ଯାଂଚ କରୁଥିବାବେଳେ ଅଚାନକ ଭାବେ ଗୋଟିଏ ଗାଡ଼ିର ମାଲିକ ଆସି ସହକାରୀ ଖଣିଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ସହକାରୀ ଖଣିଅଧିକାରୀ ଜଣକ ତୁରନ୍ତ କୋରାପୁଟ ଟାଉନପୁଲିସକୁ ସୂଚନା ଦେଇଥିଲେ। ଟାଉନପୁଲିସ ଘଟଣାସ୍ଥଳକୁ ପହଚିଂ ସମସ୍ତ ଗାଡ଼ିଗୁଡିକୁ ରେଳବାଇ ପଡ଼ିଆକୁ ନେଇ ଯାଂଚ କରିଥିଲେ। କୋରାପୁଟ ଜିଲ୍ଲାରୁ ବ୍ୟାପକ ଭାବେ ଲଘୁ ଖଣିଜ ପଦାର୍ଥଗୁଡିକୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି ।

 ପାହାଡରୁ ପଥର ଓ ନଦୀ ନାଳରୁ ପ୍ରଚୁର ମାତ୍ରାରେ ବାଲି ଗାଁ ଓ ସହରଗୁଡିକୁ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାରେ ପରିବହନ କରାଯାଉଥିବା ଦେଖିବାକୁ ମିଳୁଛି । ଏହାକୁ ଧରିବା ପାଇଁ ଖଣି ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ କର୍ମଚାରୀ ବା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇ ନାହିଁ । ଏଭଳି ସ୍ଥିତିରେ ଖଣି ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ବେଆଇନ ପରିବହନକୁ ଧରିବା ବା ରୋକିବା ସକାଶେ ପଦକ୍ଷେପ ନେଲେ ମାଫିଆମାନଙ୍କ ଦ୍ବାରା ଆକ୍ରମଣର ଶିକାର ହେଉଛନ୍ତି । ପୂର୍ବରୁ ରାଜସ୍ବ ବିଭାଗର କର୍ମଚାରୀଙ୍କ ସହ ସଲାସୁତରାରେ ଚାଲିଥିବା ଧନ୍ଦା ଅଚାନକ ଭାବେ ଖଣି ବିଭାଗକୁ ଆସିବା ପରେ ଗତ କିଛି ଦିନ ହେବ ଧରପଗଡ଼ ଜୋର ଧରିଛି। ତେବେ ଏହି ସ୍ଥିତିରେ ଧରପଗଡ଼ କରିବାକୁ କର୍ମଚାରୀମାନେ ଭୟ ପ୍ରକାଶ କରିବେ। ଜିଲ୍ଲା ପ୍ରଶାସନ ଏଦିଗରେ ସ୍ବତନ୍ତ୍ର ଧ୍ୟାନ ଦେଇ ରହିଥିବା ସ୍ବତନ୍ତ୍ର ସ୍କ୍ବାର୍ଡକୁ କାର୍ଯ୍ୟନ୍ବୟନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।