ଗୌହାଟି: ଆସାମ ସିଭିଲ୍ ସର୍ଭିସ୍ (ACS)ର ଜଣେ ମହିଳା ଅଧିକାରୀ ନୁପୁର ବୋରାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। ତଦନ୍ତ ସମୟରେ ଅଧିକାରୀମାନେ ତାଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ପାଇଛନ୍ତି। ୨୦୧୯ ବ୍ୟାଚ୍ ଅଧିକାରୀ ନୁପୁର ବୋରା ଗତ ଛଅ ମାସ ଧରି ସ୍ୱତନ୍ତ୍ର ଭିଜିଲାନ୍ସ ସେଲର ନଜରରେ ଥିଲେ। ତାଙ୍କ ଉପରେ ଜମି କାରବାର ଆତ୍ମସାତ ଏବଂ ବିପୁଳ ପରିମାଣର ଟଙ୍କା ଗ୍ରହଣ କରିବାର ଅଭିଯୋଗ ରହିଛି। ସମ୍ପ୍ରତି ତାଙ୍କ ଘରେ ଚଢାଉ କରାଯାଇଥିଲା, ଯେଉଁଠାରେ ପୋଲିସ ବିପୁଳ ପରିମାଣର ନଗଦ ଏବଂ ଅଳଙ୍କାର ଜବତ କରିଥିଲା।

Advertisment

ରିପୋର୍ଟ ମୁତାବକ ଚଢାଉରେ ତାଙ୍କ ଗୌହାଟି ଘରୁ ୯୨.୫୦ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ପ୍ରାୟ ୧.୫ କୋଟି ମୂଲ୍ୟର ଅଳଙ୍କାର ଉଦ୍ଧାର କରାଯାଇଥିବାବେଳେ ବାରପେଟାରେ ତାଙ୍କ ଭଡା ଘରୁ ୧୦ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି | ତେବେ ବଡ କଥା ଯେ ମାତ୍ର ପାଞ୍ଚ ବର୍ଷର ଚାକିରିରେ ଏହି ଅଧିକାରୀ ଯେଉଁ ବିପୁଳ ସମ୍ପତ୍ତି ଠୁଳ କରିଛନ୍ତି ତାହା ସରକାରଙ୍କଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ନୁପୁର ବୋରା ବାରପେଟାରେ ସର୍କଲ ଅଫିସର ଭାବରେ କାର୍ଯ୍ୟ କରୁଥିବା ସମୟରେ ହିନ୍ଦୁଙ୍କର ଜମିଗୁଡିକୁ ସନ୍ଦେହଜନକ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ।

ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, "ଆମେ ଜାଣିପାରିଛୁ ଯେ ସେ ତାଙ୍କର ଆୟ ଉତ୍ସ ଅପେକ୍ଷା ୪୦୦ ଗୁଣ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି। ଆମେ ବିଶ୍ୱାସ କରୁଛୁ ଯେ କେବଳ ନିଲମ୍ବନ କିମ୍ବା ଚାକିରିରୁ ବହିଷ୍କାର ଯଥେଷ୍ଟ ହେବ ନାହିଁ। ଆମକୁ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଦଣ୍ଡ ସୁନିଶ୍ଚିତ କରିବାକୁ ପଡିବ।" ସେ ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ କୌଣସି ଅଧିକାରୀ ଲାଞ୍ଚ ମାଗୁଛନ୍ତି ତେବେ ତୁରନ୍ତ ରିପୋର୍ଟ କରନ୍ତୁ।