ସୁନ୍ଦରଗଡ଼: ହେମଗିର ତହସିଲ ବରପାଲି ରେଲୱେ ସାଇଡିଂରେ କୋଇଲା ପରିବହନ ଉଦ୍ୟମକୁ ନେଇ ପୁଲିସ, ପ୍ରଶାସନ ଓ ଗାଁ ଲୋକଙ୍କ ମଧ୍ଯରେ ୪ ମାସ ହେଲା ଛକାପଞ୍ଝା ଲାଗି ରହିଛି। ଆଜି ପରିବହନ ସଂସ୍ଥା ପୁଲିସ ଲଗାଇ ପୁଣି କୋଇଲା ପରିବହନ ପାଇଁ ଉଦ୍ୟମ କରୁଥିବା ବେଳେ ଏଠାରେ ଚାପା ଉତ୍ତେଜନା ଦେଖାଦେଇଛି। ବିଧାୟକ ଯୋଗେଶ କୁମାର ସିଂଙ୍କ ସମେତ ଆନ୍ଦୋଳନକାରୀ ଗ୍ରାମବାସୀମାନଙ୍କୁ ଉଠାଇ ପୁଣି କୋଇଲା ପରିବହନ କରାଇବା ପାଇଁ ପୁଲିସ ସଜବାଜ ହେଉଥିବା ବେଳେ ଗ୍ରାମବାସୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଅନ୍ୟପଟେ ଯେଉଁ ରାସ୍ତାରେ କୋଇଲା ପରିବହନ କରାଯାଉଛି, ସେହି ରାସ୍ତା ଗ୍ରାମ୍ଯ ଉନ୍ନୟନ ବିଭାଗ ଅଧୀନସ୍ଥ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହୋଇଥିବା ବେଳେ ଏଥିରେ କୋଇଲା ପରିବହନ ସମ୍ପୂର୍ଣ୍ଣ ବେଆଇନ।
ଯୋଗେଶଙ୍କ ଅଭିଯୋଗଭିତ୍ତିରେ ଖୋଦ୍ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପରିବହନ ସଂସ୍ଥା ବିରୋଧରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉପ ଜିଲ୍ଲାପାଳଙ୍କୁ ଚିଠି କରିଥିଲେ। ଏଯାଏ କାର୍ଯ୍ୟାନୁଷ୍ଠାନ ତ ହୋଇ ନାହିଁ, ବରଂ ଉକ୍ତ ରାସ୍ତାରେ କୋଇଲା ପରିବହନ ପାଇଁ ପ୍ରଶାସନ ବଳ ପ୍ରୟୋଗ କରୁଛି। ଯାହା ଦୁର୍ଭାଗ୍ଯଜନକ ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ବିଧାୟକ ଯୋଗେଶ ସିଂ। ଜେଲ ଗଲେ ଯିବୁ ପଛେ, ବେଆଇନ କୋଇଲା ପରିବହନ କରିବାକୁ ଦେବୁନାହିଁ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ଯ, ହେମଗିରି ବରପାଲି ରେଲ୍ ସାଇଡିଂରୁ କୋଇଲା ପରିବହନକୁ ବିରୋଧ କରି ଚାରି ମାସ ହେଲାଣି ଧାରଣାରେ ବସିଛନ୍ତି ସ୍ଥାନୀୟ ଲୋକେ। ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ମଧ୍ୟ ଲୋକଙ୍କ ପ୍ରତିବାଦକୁ ଆରମ୍ଭରୁ ସମର୍ଥନ କରି ଆସୁଛନ୍ତି। ବିନା ଗ୍ରାମସଭାରେ ଜନବସତି ନିକଟରେ ଜନଜୀବନକୁ ବିପନ୍ନ କରି କିପରି ସାଇଡିଂ କରାଯିବ ବୋଲି ସେ ପ୍ରଶ୍ନ କରି ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରି ଚାଲିଛନ୍ତି। ଏଭଳି ସ୍ଥିତିରେ ୨୪ ତାରିଖରେ ପୁଣି ରେଳ ଯୋଗେ କୋଇଲା ପରିବହନ କରାଯିବା ପାଇଁ ମସୁଧା ଚାଲିଥିବା ଖବର ଶୁଣି ଲୋକେ କ୍ଷୁବ୍ଧ ହୋଇଥିଲେ। ମହିଳା, ଛୁଆ ସହ ପୁରା ପରିବାର ଆସି ପ୍ରତିବାଦ କରିଥିଲେ। ଖବର ପାଇ ବିଧାୟକ ଶ୍ରୀ ସିଂ ଧାରଣାସ୍ଥଳରେ ପହଞ୍ଚି ଖୋଲା ପଡ଼ିଆରେ ସ୍ଥାନୀୟ ବାସିନ୍ଦାଙ୍କ ସହ ସାରା ରାତି ଧାରଣା ଦେଇଥିଲେ ।
ଏହି ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ କୋଇଲା ପରିବହନ କରୁଥିବା ପରିବହନ ସଂସ୍ଥା ଚାପରେ ପୁଲିସ ଓ ପ୍ରଶାସନ ଲୋକଙ୍କ ବହୁ ଦିନର ଦାବିକୁ ନ ଶୁଣି ଗତ ୩ ତାରିଖରେ ବିଧାୟକଙ୍କ ସହ ଗ୍ରାମବାସୀଙ୍କୁ ଅଟକ ରଖି କୋଇଲା ପରିବହନ କରିଥିଲା। ଏହା ପରେ କୋର୍ଟ ରାୟ ଆସିବା ଯାଏଁ ସାଇଡିଂ ବନ୍ଦ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ। କିନ୍ତୁ ୨୪ ରାତିରେ ହଠାତ ସାଇଡିଂରୁ ରେଳ ଯୋଗେ କୋଇଲା ପରିବହନ କରିବାକୁ ଠିକା ସଂସ୍ଥା ଉଦ୍ଯମ କରିବାରୁ ଲୋକେ ବିରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/30/MLUuHzfcg6RfIDuFvPLK.jpg)